କଟକ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୬ ପାଳିତ”ପିଏମ୍ ଶ୍ରୀ ପ୍ରଦର୍ଶନୀ ଓ ଆଦର୍ଶ ସଂସଦ କାର୍ଯ୍ୟକ୍ରମ ଆୟୋଜିତ”

କଟକ,ତା ୦୭-୧୧-୨୦୨୬ରିଖ,- ଶିଶୁମାନଙ୍କ ମଧ୍ୟରେ ଥିବା ପ୍ରତିଭାର ବିକାଶ,ସୃଜନଶୀଳତାର ପରିପ୍ରକାଶ ସହ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସମଗ୍ର ଶିକ୍ଷା ଦ୍ୱାରା ସ୍ଥାନୀୟ ରେଭେନ୍ସା କଲିଜିଏଟ୍ ସ୍କୁଲଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ -୨୦୨୬ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ମହୋତ୍ସବର ଶୁଭ ଉଦ୍ଘାଟନ କରି ମାଟ୍ରିକ ପରୀକ୍ଷାରେ କଟକ ଜିଲ୍ଲାର ସଫଳତା ଏବଂ ମିଶନ ମେରିଟ ସଂପର୍କରେ ଅବଗତ କରାଇ ଆଗାମୀ ଦିନରେ ଛାତ୍ର ଛାତ୍ରୀମାନେ ଶିକ୍ଷା କ୍ଷେତ୍ରରେ ସମସ୍ତ ସଫଳତା ପାଇବା ନିମନ୍ତେ ଉଦ୍ୟମ ଜାରି ରଖିବା ପାଇଁ ଜିଲ୍ଲାପାଳ କହିଥିଲେ । କଟକ ଏକ ସାଧାରଣ ସହର ନୁହେଁ । ଶିକ୍ଷା ଏବଂ କ୍ରୀଡା କ୍ଷେତ୍ରରେ କଟକର ବହୁ ପରିଚୟ ରହିଛି । ଛାତ୍ର ଛାତ୍ରୀମାନେ ବିଦ୍ୟା ସହ କ୍ରୀଡା ତଥା ଅନ୍ୟାନ୍ୟ କ୍ଷେତ୍ରରେ ନିଜର ପ୍ରତିଭା ପ୍ରତିପାଦନ କରିପାରି ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବା ଉପରେ ଜିଲ୍ଲାପାଳ ମତଵ୍ୟକ୍ତ କରିଥିଲେ । ରେଭେନ୍ସା କଲିଜିଏଟ୍ ସ୍କୁଲକୁ ନେଇ କଟକ ଗର୍ବ ଅନୁଭବ କରିଥାଏ । ଏହି ଶିକ୍ଷା ଅନୁଷ୍ଠାନରୁ ଅଧ୍ୟୟନ କରି ବହୁ ଛାତ୍ର ଛାତ୍ରୀ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିପାରିଛନ୍ତି ବୋଲି ସମ୍ବୋଧନ କରିବା ସହ ଛାତ୍ର ଛାତ୍ରୀ ମାନେ ଶିକ୍ଷା, କ୍ରୀଡ଼ା, କଳା ଆଦି କ୍ଷେତ୍ରକୁ ଆପଣାଇ ନିଷ୍ଠାପର ଭାବେ ଜୀବନଶୈଳୀରେ ପରିବର୍ତ୍ତନ ଆଣି ସମସ୍ତ କାର୍ଯ୍ୟ କରିପାରିଲେ ନିଶ୍ଚିତ ସବୁ କ୍ଷେତ୍ରରେ ସଫଳତା ହାସଲ କରି ଗୌରବାନ୍ୱିତ ହୋଇପାରିବେ ବୋଲି ଉପସ୍ଥିତ ସମସ୍ତ ଛାତ୍ର ଛାତ୍ରୀମାନଙ୍କୁ କହିଥିଲେ । ଏହି ଜିଲ୍ଲାସ୍ତରୀୟ ଉତ୍ସଵ ଆୟୋଜନ ଅବସରରେ ପି.ଏମ ଶ୍ରୀ ପ୍ରଦର୍ଶନୀ ମେଳାର ଉଦ୍ଘାଟନ କରିବା ସହ ଅନ୍ୟ ଏକ ଆଦର୍ଶ ସଂସଦ କାର୍ଯ୍ୟକ୍ରମ ମାଧ୍ଯମରେ ଗଣତନ୍ତ୍ର ଦେଶର ଶାସକ ବିରୋଧୀ କାର୍ଯ୍ୟଧାରାକୁ ନେଇ ଛାୟା ସାଂସଦ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କସହ ଜିଲ୍ଲାପାଳ କିଛି ସମୟ ବିତାଇ ସେମାନଙ୍କ ସହ ବାର୍ତ୍ତାଳାପ କରି ଦୃଢ଼ ଇଚ୍ଛାଶକ୍ତି, ମନୋବଳ ଏବଂ ଆତ୍ମ ବିଶ୍ୱାସ ରଖି ଛାତ୍ରଛାତ୍ରୀ ମାନେ ଜୀବନର ଶୀର୍ଷ ସ୍ଥାନରେ ପହଞ୍ଚି ପାରିବେ ବୋଲି ମତବ୍ୟକ୍ତ କରିଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀ ତଥା ସମଗ୍ର ଶିକ୍ଷା ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଶ୍ରୀ ନିତ୍ୟାନନ୍ଦ ବାରିକ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ସମ୍ବନ୍ଧୀୟ କାର୍ଯ୍ୟସୂଚୀ ଓ ଉଦ୍ଦେଶ୍ୟ ଏବଂ ପି ଏମ ଶ୍ରୀ ପ୍ରଦର୍ଶନୀ ଓ ଆଦର୍ଶ ସଂସଦ ଆୟୋଜନ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋରଞ୍ଜନ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

ଅପରାହ୍ନରେ ଚୌଦ୍ଵାର-କଟକ ବିଧାୟକ,ଶ୍ରୀ ସୋଭିକ୍ ବିଶ୍ୱାଳ ଓ କଟକ ସଦର ବିଧାୟକ,ଇଂ ପ୍ରକାଶ ଚନ୍ଦ୍ର ସେଠୀ ଵିଶିଷ୍ଟ ଅତିଥିଭାବେ ଯୋଗଦେଇ ପିଏମ୍ ଶ୍ରୀ ମେଳା ବୁଲି ଦେଖିବା ସହ ଶିଶୁମାନଙ୍କ ମାନସିକ ଓ ଶାରିରୀକ ବିକାଶ ଉପରେ ମତାମତ ରଖିଥିଲେ। ଆୟୋଜିତ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ପରିଶେଷରେ କୃତୀ ପ୍ରିଯୋଗୀମାନଙ୍କୁ ପୁରଷ୍କୃତ କରିଥିଲେ।ଏହି ଅବସରରେ ଆଂଚଳିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ଦୀପ୍ତି ଶୁଭଦର୍ଶନୀ ଉପସ୍ଥିତି ଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସନ୍ତୋଷ ସେଠୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଭିଜିତା ଭାସ୍କର, ପି ଏମ ଶ୍ରୀ ଦାୟିତ୍ଵରେ ଥିବା ଜିଲ୍ଲା ସମଗ୍ରଶିକ୍ଷା ସଂଯୋଜିକା ଶ୍ରୀମତୀ ହୀରାମଣି ମହାନ୍ତି, ଜିଲ୍ଲା ଜନଜାତି ସଂଯୋଜିକା ଡକ୍ଟର ସୁଚିସ୍ମିତା ମହାନ୍ତି ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ସଂଯୋଜନା ଓ ସଞ୍ଚାଳନ କରିଥିବାବେଳେ ଜିଲ୍ଲା ସମଗ୍ରଶିକ୍ଷା ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର ସମନ୍ଵିତ ଶିକ୍ଷା ସଂଯୋଜକ ଶ୍ରୀ ଚିତରଞ୍ଜନ ପଣ୍ଡା, ସଂଯୋଜିକା ମାନସୀ ଧଳ ପ୍ରମୁଖ ଏବଂ ରେଭେନ୍ସା କଲିଜିଏଟ୍ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ତଥା ସି ଆର ସି ସି ମାନେ ପ୍ରତ୍ୟକ୍ଷ ସହଯୋଗ କରି ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ । ବିଭିନ୍ନ ପ୍ରତିଯୋଗୀତାର ମୂଲ୍ୟାୟନ ପାଇଁ ପ୍ରତିଷ୍ଠିତ ବ୍ୟକ୍ତି ମାନେ ବିଚାରକ ଭାବରେ ଯୋଗଦେଇ ରାଜ୍ୟସ୍ତରୀୟ ସୁରଭି ଶ୍ରେଷ୍ଠ ପ୍ରତିଯୋଗୀ ଚୟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଶେଷରେ ରେଭେନସା କଲିଜିଏଟ୍ ସ୍କୁଲର ପ୍ରଧାନଶିକ୍ଷକ ସୁଶ୍ରୀ ପ୍ରଗତି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *