କଟକ : କଟକର ବାଦାମବାଡ଼ି ଅଞ୍ଚଳରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ରୁ ଟଙ୍କା ଲୁଟ୍ ଉଦ୍ୟମ ବେଳେ ଅଭିଯୁକ୍ତଙ୍କୁ କାବୁ କରିଛି ବାଦାମବାଡ଼ି ଥାନା ପୋଲିସ। ଗତ ୪ ତାରିଖ ରାତି ପ୍ରାୟ ୧୧ଟା ୨୦ ମିନିଟ୍ ସମୟରେ ଜଣେ ଅଜଣା ବ୍ୟକ୍ତି ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ କରିବାକୁ ଉଦ୍ୟମ କରୁଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୋଲିସ ଅଭିଯୁକ୍ତଙ୍କୁ ହାତେନାତେ ଧରିଥିଲା। ତେବେ ଏହି ସମୟରେ ଏଟିଏମ୍ ମେସିନ୍ର ତଳ ଭାଗ କ୍ଷତିଗ୍ରସ୍ତ ହୋଇଥିଲା।
ଏହି ଘଟଣାରେ CMS ଇନଫୋ ସିଷ୍ଟମ୍ସ ପ୍ରାଇଭେଟ୍ ଲିମିଟେଡ୍ର ପ୍ରୋଜେକ୍ଟ ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ନଭେମ୍ବର ୫ ତାରିଖରେ ବାଦାମବାଡ଼ି ଥାନାରେ କେସ୍ ନମ୍ବର ୫୪୯/୨୦୨୬, ଦଫା ୩୦୫(ଏ)/୩୨୪(୪)/୬୨ ବିଏନ୍ଏସ୍ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଗିରଫ ଅଭିଯୁକ୍ତ ଜଣକ ବିହାର ରାଜ୍ୟର ଭୋଜପୁର ଜିଲ୍ଲା ପିରୋ ଥାନା ଅନ୍ତର୍ଗତ ରାଜାପୁର ଗ୍ରାମର ଅଶ୍ୱନୀ କୁମାର (୩୪) ବୋଲି ଜଣାପଡ଼ିଛି।
ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଦୁଇଟି ସନ୍ଦିଗ୍ଧ ଏଟିଏମ୍ କ୍ୟାଶ୍ ଟ୍ରାପିଂ ଷ୍ଟ୍ରିପ୍, ଗୋଟିଏ କମ୍ବିନେସନ୍ ପ୍ଲାୟର୍ସ, ଡବଲ୍ ସାଇଡ୍ ଆଡ୍ହେସିଭ୍ ଟେପ୍ର ଗୋଟିଏ ରୋଲ୍, ‘ସନି’ ଲେଖାଥିବା ଧୂସର ରଙ୍ଗର ହେଲମେଟ୍, ଗୋଟିଏ ଟିଭିଏସ୍ ଭିକ୍ଟର ମୋଟରସାଇକେଲ୍, ନଗଦ ୧୮ ହଜାର ଟଙ୍କା, ରାମକୃଷ୍ଣ ମହାପାତ୍ରଙ୍କ ନାମରେ ଥିବା ଏକ ଏସ୍ବିଆଇ ଏଟିଏମ୍ କାର୍ଡ ଏବଂ ଗୋଟିଏ ହାଲୁକା ସିମେଣ୍ଟ ରଙ୍ଗର ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ଜବତ କରାଯାଇଛି।
ବାଦାମବାଡ଼ି ଥାନା ପୋଲିସର ତ୍ୱରିତ ପଦକ୍ଷେପ ଯୋଗୁଁ ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।