କଟକ ଜିଲ୍ଲାସ୍ତରୀୟ ଯୁବ ଉତ୍ସବର ଶୁଭାରମ୍ଭ”ପ୍ରଥମ ଦିନରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ”


କଟକ, ତା ୫-୧୧-୨୬, ନଭେମ୍ୱର ୫ ଓ ୬ ତାରିଖ ଦୁଇଦିନ ଧରି ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହେଉଥିବା କଟକ ଜିଲ୍ଲାସ୍ତରୀୟ ଯୁବ ଉତ୍ସଵର ଶୁଭାରମ୍ଭ ଆଜି ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହେଇଯାଇଛି।
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରତିଭା ଅନ୍ୱେଷଣ ସହ ସବୁ କ୍ଷେତ୍ରରେ ପାରଦର୍ଶିତା ହାସଲ କରିବା ଲକ୍ଷ୍ୟ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ବିଶେଷକରି ଆମ ରାଜ୍ୟର ସଂସ୍କୃତି ପରମ୍ପରା ସହ ସମୃଦ୍ଧ କଳା, କ୍ରିଡ଼ା ଆଦିର ପ୍ରଚାର ପ୍ରସାର କରିବା ସହ ଯୁବ ଜାଗରଣ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଯୁବ ମହୋତ୍ସବ ଆୟୋଜନ କରାଯାଉଛି । ଏହି ଅବସରରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ଶିନ୍ଦେ ଯୋଗଦେଇ ଶୃଙ୍ଖଳିତ ଯୁବକ ଭାବେ ନିଜକୁ ରାଜ୍ୟ ଓ ଦେଶର ବିକାଶ ଓ ପ୍ରଗତି କ୍ଷେତ୍ରରେ ସାମିଲ ହେବା ନେଇ ଯୁବବର୍ଗଙ୍କୁ ଆହ୍ୱାନ ଦେଇଥିଲେ।ଏଥି ସହ ବିଭିନ୍ନ କ୍ଷେତ୍ରରେ ସେମାନଙ୍କୁ ପ୍ରୋତ୍ସାହନ ଓ ଉତ୍ସାହିତ କରିବା ଉଦ୍ଦେଶ୍ୟରେ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏହି ଉତ୍ସବର ଶୁଭାରମ୍ଭ କରାଯାଇଛି ବୋଲି କହିଥିଲେ। ଏଥି ସହ ଆୟୋଜିତ ଲୋକ ନୃତ୍ୟ , ଲୋକ ସଙ୍ଗୀତ ଓ ଚିତ୍ରାଙ୍କନ ପ୍ରିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ୧୦ ହଜାର,୭ହଜାର ୫୦୦ ଏବଂ ୫ହଜାର ଟଙ୍କାର ରାଶି ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତୀ ସ୍ୱାଗତିକା ବେହେରା,ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲୀପ କୁମାର ଜେନା ପ୍ରମୁଖ ଏହି ଶୁଭାରମ୍ଭ ଅବସରରେ ଉପସ୍ଥିତ ଥିଲେ। ମୋ ଭାରତ ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ରୋଶନ କୁମାର ଏବଂ ଜିଲ୍ଲା କ୍ରୀଡା ଅଧିକାରୀ,ଶ୍ରୀ ଗଙ୍ଗାଧର ବେହେରା ଆଜି ମହୋତ୍ସବର ଶୁଭାରମ୍ଭ ଆୟୋଜନ ସହ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *