କୁଚ୍ ବେହାର ଟ୍ରଫି ପାଇଁ ଓଡ଼ିଶା ୧୯ ବର୍ଷରୁ କମ୍ କ୍ରିକେଟ୍ ଦଳ ଘୋଷଣା, ସୁଭାଶିଷ ମଲ୍ଲିକଙ୍କୁ ଅଧିନାୟକ ଦାୟିତ୍ୱ , ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ୧୮ ଜଣିଆ ଦଳ ଘୋଷଣା କଲା ଓଡ଼ିଶା କ୍ରିକେଟ୍ ଆସୋସିଏସନ୍

କଟକ, ୫/୧୧: ଆଗାମୀ ବିସିସିଆଇ ଘରୋଇ କ୍ରିକେଟ୍ ସିଜନ୍ ୨୦୨୬-୨୭ର କୁଚ୍ ବେହାର ଟ୍ରଫି ପାଇଁ ଓଡ଼ିଶାର ୧୯ ବର୍ଷରୁ କମ୍ ପୁରୁଷ କ୍ରିକେଟ୍ ଦଳ ଘୋଷଣା କରିଛି ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)। ଆସନ୍ତା ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ୧୮ ଜଣିଆ ଦଳ ଘୋଷଣା କରାଯାଇଛି। ଦଳର ନେତୃତ୍ୱ ଭାର ସୁଭାଶିଷ ମଲ୍ଲିକଙ୍କୁ ଦିଆଯାଇଥିବା ବେଳେ ଚୟନ କମିଟିର ଅଧ୍ୟକ୍ଷ ସୌରଜିତ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନାମ ଘୋଷଣା କରିଛନ୍ତି।

ଘୋଷିତ ଦଳରେ ରହିଛନ୍ତି ଆଦିତ୍ୟ ଆନନ୍ଦ, ଆୟୁଷ ରଞ୍ଜନ ମନ୍ତ୍ରୀ, ଯୋଗେଶ୍ୱର ବାଗ, କମଳେଶ ପାତ୍ର, ମୋଦିରାସ ବେହେରା, ପଣକାଳ ମୋକ୍ଷିତ, ପ୍ରୟାଣ ପ୍ରାଣ୍ଟିକ ସାମଲ, ରାଜ୍ ଯାଦବ, ରୁଦ୍ର ପ୍ରସାଦ ମଲ୍ଲିକ, ଏସ୍‌.ଆର୍‌. ଗୁଞ୍ଜନ ସାହୁ, ଶେଖ୍ ହାୟତ, ସୁଭାଶିଷ ମଲ୍ଲିକ (ଅଧିନାୟକ), ସ୍ୱାଗତ ସୌରଭ ମିଶ୍ର, ସାହିଲ ସତ୍ୟବ୍ରତ ନାୟକ, ସାଇରାଜ ସାହୁ, ସୌରଭ ଯାଦବ, ଶୁଭମ ରଞ୍ଜନ ପାଲାଇ ଏବଂ ବେଦାନ୍ତ ବିନୋଦ ଦେଭାଡେ।

ଘୋଷିତ କାର୍ଯ୍ୟସୂଚୀ ଅନୁଯାୟୀ, ନଭେମ୍ବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ବଲାଙ୍ଗୀରର ଗାନ୍ଧୀ ଷ୍ଟାଡିୟମ୍‌ରେ ଓଡ଼ିଶା ଓ ଗୋଆ ମଧ୍ୟରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ। ସେହିପରି ଡିସେମ୍ବର ୩ରୁ ୬ ତାରିଖ ପର୍ଯ୍ୟନ୍ତ ବରଗଡ଼ର ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ।

ଏହାପରେ ଡିସେମ୍ବର ୧୧ରୁ ୧୪ ତାରିଖ ମଧ୍ୟରେ ରୋହତକର ଲାହଲିସ୍ଥିତ ଚୌଧୁରୀ ବଂଶୀଲାଲ କ୍ରିକେଟ୍ ଷ୍ଟାଡିୟମ୍‌ରେ ହରିୟାଣା ବିପକ୍ଷରେ, ଡିସେମ୍ବର ୧୮ରୁ ୨୧ ତାରିଖ ପର୍ଯ୍ୟନ୍ତ ବରଗଡ଼ର ବିକାଶ ଗ୍ରାଉଣ୍ଡରେ ଜମ୍ମୁ-କାଶ୍ମୀର ବିପକ୍ଷରେ ଏବଂ ଡିସେମ୍ବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ହୁବଲିସ୍ଥିତ କର୍ଣ୍ଣାଟକ ଷ୍ଟେଟ୍ କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ କର୍ଣ୍ଣାଟକ ବିପକ୍ଷରେ ଓଡ଼ିଶା ଦଳ ମ୍ୟାଚ୍ ଖେଳିବ।

ଯୁବ କ୍ରିକେଟରଙ୍କ ପାଇଁ ଏହି ପ୍ରତିଯୋଗିତା ନିଜର ଦକ୍ଷତା ପ୍ରଦର୍ଶନ କରିବାର ଏକ ବଡ଼ ସୁଯୋଗ ହୋଇଥିବାରୁ ଓଡ଼ିଶା ଦଳ ଭଲ ପ୍ରଦର୍ଶନ କରିବ ବୋଲି କ୍ରୀଡ଼ାପ୍ରେମୀଙ୍କ ଆଶା ରହିଛି।

Leave a Reply

Your email address will not be published. Required fields are marked *