
କଟକ : ସାଧାରଣ ପୂଜା କମିଟି ପାଇଁ ଗୋଟିଏ ନିୟମ, ନେତାଙ୍କ ପାଇଁ ଆଉ ଗୋଟିଏ କି? ପୋଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ..
ନିୟମ କଣ କେବଳ ସାଧାରଣ ଲୋକଙ୍କ ପାଇଁ? ନେତାଙ୍କ କ୍ଷେତ୍ରରେ କଣ ବଦଳିଯାଏ ଆଇନର ମାପଦଣ୍ଡ? କଟକରେ DJ ବ୍ୟବହାରକୁ ନେଇ ଏଭଳି ପ୍ରଶ୍ନ ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।
କଟକ କମିଶନରେଟ୍ ପୋଲିସ ପକ୍ଷରୁ ପୂଜା ପର୍ବରେ DJ ବଜାଇବା ଉପରେ କଟକଣା ଲଗାଯାଇଛି। ନିୟମ ଉଲ୍ଲଂଘନ କଲେ ପୂଜା କମିଟିର ଲାଇସେନ୍ସ ରଦ୍ଦ କରିବା ସହ DJ ସାଉଣ୍ଡ ସିଷ୍ଟମ୍ ଜବତ ଓ ସିଲ୍ କରିବା, ଏପରିକି ଜରିମାନା ଆଦାୟ ଭଳି କଠୋର ପଦକ୍ଷେପ ନିଆଯିବାର ଚେତାବନୀ ରହିଛି। ଏହାକୁ ନେଇ ସାଧାରଣ ପୂଜା କମିଟିଗୁଡ଼ିକ ସତର୍କ ରହୁଥିବା ବେଳେ ଏବେ ରାଜନୈତିକ ପଦଯାତ୍ରାରେ DJ ବ୍ୟବହାରକୁ ନେଇ ଦ୍ୱିମୁଖୀ ନୀତିର ଅଭିଯୋଗ ଉଠିଛି।
ସୋମବାର କଟକର କଲେଜ ଛକରେ ବିଜେପିର ପଦଯାତ୍ରା ସମୟରେ କଟକ ସଦର ବିଧାୟକ ନିଜ ସମର୍ଥକଙ୍କ ସହ DJ ସାଉଣ୍ଡରେ ରାଲି କରିଥିବା ଦୃଶ୍ୟକୁ ନେଇ ଏବେ ପ୍ରଶ୍ନ ଉଠିଛି। ଦିନ ଦ୍ୱିପ୍ରହରରେ ଖୋଲାଖୋଲି DJ ବାଜୁଥିବା ବେଳେ ସେଠାରେ ପୋଲିସର ଭୂମିକା କଣ ଥିଲା ବୋଲି ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି।
ସାଧାରଣ ପୂଜା ମଣ୍ଡପରେ DJ ବାଜିଲେ ପୋଲିସ ପହଞ୍ଚି ଜବତ ଓ ଜରିମାନା କରୁଛି, ତେବେ ରାଜନୈତିକ ରାଲିରେ DJ ବାଜିବା ବେଳେ ସମାନ ନିୟମ କାହିଁକି ଲାଗୁ ହେଲା ନାହିଁ? ଏହା କଣ ୬୦ ଡେସିବଲ୍ ଶବ୍ଦସୀମା ମଧ୍ୟରେ ଥିଲା? ଯଦି ନିୟମ ସମସ୍ତଙ୍କ ପାଇଁ ସମାନ, ତେବେ ତାହାର କାର୍ଯ୍ୟକାରିତାରେ ଭିନ୍ନତା କାହିଁକି?
ପୋଲିସ ପ୍ରଶାସନର ଏହି ଆଭିମୁଖ୍ୟକୁ ନେଇ କଟକବାସୀଙ୍କ ମଧ୍ୟରେ ଅସନ୍ତୋଷ ଓ ଆଲୋଚନା ଆରମ୍ଭ ହୋଇଛି। ଆଇନ କାହା ପାଇଁ ଅଲଗା ହେବା ଉଚିତ୍ ନୁହେଁ, ନିୟମ ସମସ୍ତଙ୍କ ପାଇଁ ସମାନ ଭାବେ ଲାଗୁ ହେବା ଦରକାର ବୋଲି ମତ ପ୍ରକାଶ ପାଉଛି।
ଏବେ ପ୍ରଶ୍ନ ହେଉଛି, DJ ନିୟମ ଉଲ୍ଲଂଘନ ହୋଇଥିଲେ ପୋଲିସ ପ୍ରଶାସନ ସମାନ ପଦକ୍ଷେପ ନେବ କି? ନା ନେତା ଓ ସାଧାରଣ ଲୋକଙ୍କ ପାଇଁ ନିୟମର ମାପଦଣ୍ଡ ଅଲଗା ରହିବ? ଏହାର ସ୍ପଷ୍ଟୀକରଣ କଟକ କମିଶନରେଟ୍ ପୋଲିସ ଦେବା ଆବଶ୍ୟକ ବୋଲି ସହରବାସୀ ଦାବି କରୁଛନ୍ତି।