ଐତିହାସିକ ବାଲିଯାତ୍ରା କଟକ -୨୦୨୬:ପ୍ରାୟ ୧୦୦୦ ପ୍ଲଟ୍ ପାଇଁ ପଞ୍ଜୀକରଣ ଶେଷ, ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢ଼ିଲା ପଞ୍ଜୀକରଣ ଅବଧି


କଟକ, ତା୨୯.୧୦.୨୦୨୬ରିଖ: ଐତିହାସିକ ବାଲିଯାତ୍ରା କଟକ-୨୦୨୬କୁ ନେଇ ବ୍ୟବସାୟୀ, ଉଦ୍ୟୋଗୀ ଓ ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ବ୍ୟାପକ ଉତ୍ସାହ ପ୍ରକାଶ ପାଇଛି। ଚଳିତ ବର୍ଷ ବାଲିଯାତ୍ରା ପଡ଼ିଆରେ ଷ୍ଟଲ୍ ସ୍ଥାପନ ପାଇଁ ପ୍ରାୟ ୧୦୦୦ ପ୍ଲଟ୍‌ର ପଞ୍ଜୀକରଣ ହୋଇସାରିଥିବା ବେଳେ ଆଉ ଅଳ୍ପ କିଛି ପ୍ଲଟ୍ ଖାଲି ରହିଛି। ଆଗ୍ରହୀ ବ୍ୟବସାୟୀଙ୍କ ସୁବିଧା ତଥା ଅଧିକ ଅଂଶଗ୍ରହଣକୁ ଦୃଷ୍ଟିରେ ରଖି ପ୍ଲଟ୍ ପଞ୍ଜୀକରଣର ଶେଷ ତାରିଖକୁ ଆଉ ଗୋଟିଏ ଦିନ ବଢ଼ାଇ ଅକ୍ଟୋବର ୩୧ ତାରିଖ କରାଯାଇଛି। ବାତ୍ୟା ଅର୍ଣ୍ଣବ ଯୋଗୁଁ ସୃଷ୍ଟ ଖରାପ ପାଗ ପାଇଁ ଦୁଇ ଦିନ ହେବ ଆଗ୍ରହୀ ବ୍ୟବସାୟୀ ପଞ୍ଜିକରଣରେ ସାମାନ୍ୟ ହ୍ରାସ ପାଇଥିଲା। ତେଣୁ ଏହି ଅବଧି ଗୋଟିଏ ଦିନ ବୃଦ୍ଧି କରାଯାଇଛି ।
ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହୋଇଥିବା ପଞ୍ଜୀକରଣ ପ୍ରକ୍ରିୟାରେ କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବିଭିନ୍ନ ବାଣିଜ୍ୟିକ ସଂସ୍ଥା, ଉଦ୍ୟୋଗ ଓ ଅନୁଷ୍ଠାନଗୁଡ଼ିକ ଆଗ୍ରହର ସହ ସାମିଲ ହୋଇଛନ୍ତି। ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ ଓ ସୁବିଧାଜନକ କରିବା ପାଇଁ ଅନଲାଇନ୍ ଓ ଅଫ୍‌ଲାଇନ୍—ଉଭୟ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି।
ଆଗ୍ରହୀ ବ୍ୟବସାୟୀ ଓ ଅନୁଷ୍ଠାନଗୁଡ଼ିକ katakabalijatra.net କିମ୍ବା kataka.odisha.gov.in ୱେବ୍‌ସାଇଟ୍‌ ମାଧ୍ୟମରେ ଅନଲାଇନ୍‌ରେ ପ୍ଲଟ୍ ପଞ୍ଜୀକରଣ କରିପାରିବେ। ଏଥିସହ ବାରବାଟୀ ପ୍ୟାଲେସ୍‌ରେ ଅଫ୍‌ଲାଇନ୍ ପଞ୍ଜୀକରଣର ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଏହି ସୁବିଧା ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲୁଛି ।
ପ୍ରଶାସନ ପକ୍ଷରୁ ପଞ୍ଜୀକରଣ ଅବଧି ବୃଦ୍ଧି କରାଯାଇଥିବାରୁ ଯେଉଁ ବ୍ୟବସାୟୀ ଓ ଅନୁଷ୍ଠାନ ଏପର୍ଯ୍ୟନ୍ତ ପଞ୍ଜୀକରଣ କରିନାହାନ୍ତି, ସେମାନେ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଏହି ସୁଯୋଗର ଲାଭ ନେଇପାରିବେ।
ଆସନ୍ତା ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ମହାନଦୀ ତଟରେ ଆୟୋଜିତ ହେବାକୁ ଥିବା ଐତିହାସିକ ବାଲିଯାତ୍ରା କଟକ କେବଳ ଓଡ଼ିଶାର ଗୌରବମୟ ସାମୁଦ୍ରିକ ବାଣିଜ୍ୟ ପରମ୍ପରାର ପ୍ରତୀକ ନୁହେଁ, ଏହା ହଜାର ହଜାର କ୍ଷୁଦ୍ର ବ୍ୟବସାୟୀ, ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଜୀବିକା, ବ୍ୟବସାୟ ଓ ଆର୍ଥିକ ସଶକ୍ତୀକରଣର ଏକ ବୃହତ୍ ମଞ୍ଚ। ଚଳିତ ବର୍ଷ ମଧ୍ୟ ଏହି ମହୋତ୍ସବରେ ବ୍ୟାପକ ଜନସମାଗମ ସହ ବାଣିଜ୍ୟିକ କାରବାର ବୃଦ୍ଧି ପାଇବା ନେଇ ଆଶା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *