
ଚଣ୍ଡିଖୋଲ,୨୬/୯(କ.ଵ୍ୟୁ) (ପ୍ରଶାନ୍ତ ଜେନା ଙ୍କ ରିପୋର୍ଟ) ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବଡଚଣା,ଚଣ୍ଡିଖୋଲ, ଛତିଆ, ବାଲିଚନ୍ଦ୍ର ପୁର ଓ ଏହାର ଆଖ ପାଖ ଅଞ୍ଚଳ ଜଲାର୍ଣାବ ହେବା ସହିତ ଚାଷ ଜମି ଗୁଡିକ ପାଣିରେ ବୁଡ଼ି ରହିଛି। ବର୍ଷାଜଳ ନିଷ୍କାସନ ନାଳ ଓ ଡ୍ରେନେଜ୍ ଗୁଡ଼ିକ ଅବରୋଧ ହରହିଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇ ଥିବା କୁହାଯାଉଛି। ଜାତୀୟ ରାଜପଥ ନିର୍ମାଣ ଓ ହରିଦାସ ପୁର ପାରାଦୀପ ରେଳ ପ୍ରକଳ୍ପ ନିର୍ମାଣ ସମୟରେ ଆବଶ୍ୟକ ସ୍ଥାନରେ ଜଳ ନିଷ୍କାସନ ପଥ ନିର୍ମାଣ ନ ହେବା ଯୋଗୁ ଏପରି ଅସୁବିଧା ସୃଷ୍ଟି ହେଉଛି। ସେହି ପରି ୧୬ନମ୍ବର ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ କାର୍ଯ୍ୟ ଯୋଗୁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଟିକେ ବର୍ଷା ହେଲେ ଚଣ୍ଡିଖୋଲ ଛକର ପ୍ରେସ ଛକ, ଆର୍ ଟି ଓ ଗଳି ପୋଲ,ଚଣ୍ଡିଖୋଲ ଟ୍ରାଫିକ ଛକ ରେ ପାଣି ଜମା ହୋଇ ରହୁଛି। ଏଠାରେ ଥିବା ଡ୍ରେନେଜ୍ ଗୁଡିକ ପୋତି ହୋଇ ଯିବା ଫଳରେ ଏପରି ସମସ୍ୟା ସୃଷ୍ଟି ହେଉଛି। ଫଳରେ ରାସ୍ତା ଘାଟ ପାଣିରେ ବୁଡି ଯିବା ସହିତ ନିକଟରେ ଥିବା ଦୋକାନ ଗୃହ ରେ ପାଣି ପଶି ଯାଉଛି। ଯାହା ଫଳରେ ଯାନବାହାନ ଯାତାୟାତ ରେ ଅସୁବିଧା ହେଉଛି। ବିଶେଷ କରି ଦୁଇ ଚକିଆ ଓ ଛୋଟ ଚାରି ଚକିଆ ଗାଡ଼ି ଚଳା ଚଳ ବ୍ୟାହତ ହେଉଛି । ଏଥି ସହିତ କଟକ ଡ଼ୁବୁରୀ ବାଇପାସ୍ ର ଡାହାଣ ପାର୍ଶ୍ଵ ରେ ଥିବା ପ୍ରାୟ ୩୦ ଏକର ଚାଷ ଜମି ଦୀର୍ଘ ଦିନ ହେବ ପାଣିରେ ବୁଡ଼ି ରହିବା ଫଳରେ ଧାନ ଫସଲ ନଷ୍ଟ ହୋଉଛି। ସେଠାରେ ଥିବା ଜଳ ନିଷ୍କାସନ ପଥ ଅବରୋଧ ଯୋଗୁ ଏପରି ଅସୁବିଧା ସୃଷ୍ଟି ହେଉଛି। ବର୍ଷା ଯଦି ଆଗକୁ ଜାରି ରହେ ତେବେ ପରିସ୍ଥିତି ଅଧିକ ଖରାପ ହେବାର ଆଶଙ୍କା ପ୍ରକାଶ ପାଇଛି।ଏଥିସହିତ ସ୍ଥାନୀୟ ବ୍ୟବସାୟ ବାଣିଜ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ପ୍ରତି ବର୍ଷ ଚଣ୍ଡିଖୋଲ ଛକ ର ବ୍ୟବସାୟୀ ମାନେ ଏପରି ଅସୁବିଧାର ସମ୍ମୁଖିନ ହେଉଥିଲେ ମଧ୍ୟ ଏହାର କୌଣସି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରା ଯାଉ ନାହିଁ। ଫଳରେ ଚଳିତ ବର୍ଷ ବର୍ଷା ସମୟରେ ମଧ୍ୟ ସମାନ ଧରଣର ସମସ୍ୟା ଦେଇ ଗତି କରୁଛନ୍ତି।ଚଣ୍ଡିଖୋଲ ବାସୀ। ଡ୍ରେନେଜ୍ ବ୍ୟବସ୍ତା କରିବା ସହିତ ଜଳ ନିଷ୍କାସନ ପଥ ଅବରୋଧ ହଟାଇବା ଦାବି ନେଇ ସ୍ଥାନୀୟ ଲୋକମାନେ ବ୍ଳକ୍ ଓ ତହସିଲ୍ ଅଧିକାରୀ ଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ଫଳରେ ଜନସାଧାରଣ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଉଛି। ତୁରନ୍ତ ଡ୍ରେନେଜ୍ ସଫା କରିବା ସହିତ ଜଳ ନିଷ୍କାସନ ପଥ ଅବରୋଧ ହଟାଇବା ପାଇଁ ସାଧାରଣରେ ଦାବୀ ହେଉଛି ନଚେତ୍ ଆଗାମୀ ଦିନରେ ସ୍ଥାନୀୟ ଲୋକମାନେ ଆନ୍ଦୋଳନ ପନ୍ଥା ଗ୍ରହଣ କରିବେ ବୋଲି ଜଣାଯାଇଛି।