ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପ୍ରତିରକ୍ଷା କର୍ମଚାରୀଙ୍କ ପାଇଁ ବିଷୟଗତ ଦକ୍ଷତା ବୃଦ୍ଧି ଓ ମୂଲ୍ୟାୟନ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ବାରିପଦା ୨୧/୦୯/୨୦୨୬(କ: ବ୍ଯୁ) : ପ୍ରତିରକ୍ଷା ବାହିନୀର ସେବାରତ ଓ ପୂର୍ବତନ କର୍ମଚାରୀଙ୍କ ଶିକ୍ଷାଗତ ଉନ୍ନତି, ଦକ୍ଷତା ବିକାଶ ଏବଂ ଦ୍ୱିତୀୟ କ୍ୟାରିୟରର ସୁଯୋଗକୁ ସୁଦୃଢ଼ କରିବା ଲକ୍ଷ୍ୟରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ପକ୍ଷରୁ କେନ୍ଦ୍ରୀୟ ସୈନିକ ବୋର୍ଡ ସହଯୋଗରେ ପଶ୍ଚିମବଙ୍ଗ ରାଜ୍ୟ ସୈନିକ ବୋର୍ଡର ପ୍ରତିରକ୍ଷା କାର୍ଯ୍ୟକ୍ରମର ପ୍ରଥମ ବ୍ୟାଚ୍‌ ପାଇଁ ବିଷୟଗତ ଦକ୍ଷତା ବୃଦ୍ଧି ଓ ମୂଲ୍ୟାୟନ କାର୍ଯ୍ୟକ୍ରମ (ଏସ୍‌.ପି.ଇ.ଏ.ପି) ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଯୋଗ ଦେଇ ନିଜ ବକ୍ତବ୍ୟରେ ପ୍ରତିରକ୍ଷା କର୍ମଚାରୀଙ୍କ ସାମରିକ ଅଭିଜ୍ଞତା, ନେତୃତ୍ୱ ଓ ବୃତ୍ତିଗତ ଦକ୍ଷତାକୁ ଔପଚାରିକ ଉଚ୍ଚଶିକ୍ଷା ସହ ସଂଯୋଗ କରି ସେମାନଙ୍କୁ ବେସାମରିକ ନିଯୁକ୍ତି, କର୍ପୋରେଟ୍‌ ନେତୃତ୍ୱ, ଉଦ୍ୟୋଗିତା ଓ ଅନ୍ୟାନ୍ୟ ଦ୍ୱିତୀୟ କ୍ୟାରିୟର ପାଇଁ ପ୍ରସ୍ତୁତ କରିବା ପାଇଁ ବିଶ୍ୱବିଦ୍ୟାଳୟର ପ୍ରତିବଦ୍ଧତା ପ୍ରକାଶ କରିବା ସହ ଏହାକୁ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ଡିଫେନ୍‌ସ ଷ୍ଟଡ଼ିଜ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷାଗତ ପଦକ୍ଷେପ ବୋଲି ଅଭିହିତ କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରତିରକ୍ଷା କର୍ମଚାରୀଙ୍କ ଉଚ୍ଚଶିକ୍ଷା, ଦକ୍ଷତା ବିକାଶ, ପୁନଃଦକ୍ଷତା ଅର୍ଜନ, ଉଦ୍ୟୋଗିତା ଓ ଆଜୀବନ ଶିକ୍ଷା ପାଇଁ ଏକ ସୁଯୋଗ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ବୋଲି ସେ କହିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବାଞ୍ଚଳ ପୁନର୍ବାସ ନିର୍ଦ୍ଦେଶାଳୟ ଅତିରିକ୍ତ ଡିଜି ବ୍ରିଗେଡିୟର ସୌମ୍ୟ ବାନାର୍ଜୀ ଯୋଗ ଦେଇ ନିଜ ବକ୍ତବ୍ୟରେ ପୂର୍ବତନ ସୈନିକମାନଙ୍କ ପାଇଁ ସମ୍ମାନଜନକ ଓ ଅର୍ଥପୂର୍ଣ୍ଣ ଦ୍ୱିତୀୟ କ୍ୟାରିୟର ସୁଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ରାଜେଶ କୁମାର ସିଂହ ଏବଂ ପରୀକ୍ଷା ଉପନିୟନ୍ତ୍ରକ ଶ୍ରୀ ରମାକାନ୍ତ ମହାନ୍ତ ମଞ୍ଚାସୀନ ଥିଲେ । ବିଶ୍ୱବିଦ୍ୟାଳୟର ପ୍ରପ୍ରେସର ଅଫ୍‌ ପ୍ରାକ୍ଟିସ୍‌ ଡ. ଉଜ୍ଜ୍ୱଳ କୁମାର ଘଟକ ପୂର୍ବତନ ସୈନିକମାନଙ୍କ ଶିକ୍ଷାଗତ ଓ ବୃତ୍ତିଗତ ସଶକ୍ତୀକରଣ ସମ୍ପର୍କରେ ନିଜର ଅଭିଜ୍ଞତା ଓ ମତାମତ ରଖିଥିଲେ । ଶେଷରେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡ. ଶାନ୍ତି ସ୍ୱରୂପ ବସା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେବାରତ ଓ ପୂର୍ବତନ ପ୍ରତିରକ୍ଷା କର୍ମଚାରୀଙ୍କ ପ୍ରଥମ ବ୍ୟାଚ୍‌କୁ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମର ଶିକ୍ଷାଗତ ଓରିଏଣ୍ଟେସନ୍‌ ପର୍ଯ୍ୟାୟକୁ ଦୂର ଓ ଅନ୍‌ଲାଇନ ଶିକ୍ଷା କେନ୍ଦ୍ରର ଇଂରାଜୀ ବିଭାଗର ସହକାରୀ ଅଧ୍ୟାପିକା ଅଭିପ୍‌ସା ପଟ୍ଟନାୟକ ପରିଚାଳନା କରିଥିବାବେଳେ, ବିଶ୍ୱବିଦ୍ୟାଳୟର ସାମରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ପ୍ରଫେସର ସୁକାନ୍ତ କୁମାର ନାୟକଙ୍କ ପକ୍ଷରୁ ବ୍ୟବସାୟ ପ୍ରଶାସନ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ସୀତାରାମ ଦାସ ସ୍ୱାଗତ ଓ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ପରେ କମ୍ପ୍ୟୁଟର ବିଜ୍ଞାନ ବିଭାଗର ଡ. ଶାନ୍ତି ସ୍ୱରୂପ ବସା, ରାଜନୀତି ବିଜ୍ଞାନ ବିଭାଗର ଡ. ଧନଞ୍ଜୟ ନାୟକ ଏବଂ ବ୍ୟବସାୟ ପ୍ରଶାସନ ବିଭାଗର ଶ୍ରୀ ବିବେକ ଦାସ ପ୍ରଥମ ବ୍ୟାଚ୍‌ ପାଇଁ ବିଷୟଭିତ୍ତିକ ପାଠ୍ୟ ମଡ୍ୟୁଲ୍‌ ସମ୍ପର୍କରେ ବିସ୍ତୃତ ଧାରଣା ଦେଇଥିଲେ । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ଅଧ୍ୟାପକ ଅଧ୍ୟାପିକା ଓ ଅଣଶିକ୍ଷକ କର୍ମଚାରୀ ଯୋଗଦେଇଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *