ଜିଲ୍ଲା ସଡ଼କ ସୁରକ୍ଷା କମିଟି ଓ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସର ବୈଠକ ଅନୁଷ୍ଠିତ , ସଡ଼କ ସୁରକ୍ଷା ଓ ଦୁର୍ଘଟଣା ନିୟନ୍ତ୍ରଣ ଉପରେ ଗୁରୁତ୍ୱ

କଟକ, ତା ୨୩/୦୯/୨୦୨୬ ରିଖ : ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ଓ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସ ବୈଠକ ଆଜି ଅପରାହ୍ନରେ ଆଭାସୀ ମାଧ୍ୟମରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଭିନ୍ନ ବିଭାଗର ସମନ୍ୱୟରେ ସଡ଼କ ସୁରକ୍ଷା ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ ନେଇ ଆଲୋଚନା କରାଯାଇଥିଲା । ବାଲି ପରିବହନ କରୁଥିବା ଭାରୀଯାନଗୁଡ଼ିକର ନିୟମିତ ଯାଞ୍ଚ ଓ ତଦାରଖକୁ ଅଧିକ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବାଲି ପରିବହନ ସମୟରେ ଗାଡ଼ିରେ ଆବଶ୍ୟକ ତାରପୋଲିନ୍‌ କିମ୍ବା ପାଲ ଢାଙ୍କି ବାଲି ପରିବହନ କରିବାକୁ ଗୁରୁତ୍ୱ ଦିଆଯାଇଥିଲା, ଯାହା ଫଳରେ ବାଲି ରାସ୍ତାରେ ପଡ଼ିବା ଓ ଅନ୍ୟ ଯାତ୍ରୀଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ହ୍ରାସ ପାଇବ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଯେଉଁ ରାସ୍ତା ରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି, ସେହି ରାସ୍ତା ଗୁଡ଼ିକରେ ଆବଶ୍ୟକ ଟ୍ରାଫିକ ସୂଚନା ଓ ସତର୍କତା ସୂଚନା ଫଳକ ଲଗାଇବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରତାପନଗରୀ ନିକଟସ୍ଥ NH ମଧ୍ୟରେ ଥିବା କଟ ବନ୍ଦ କରିବା ସହିତ ମେଡିଆନ ରେ ଅଧିକ ଉଚ୍ଚତାର ବ୍ୟାରିଅର୍ ସ୍ଥାପନ କରିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ଖାନନଗରସ୍ଥିତ ବସ ଷ୍ଟାଣ୍ଡ (KNBT) ବାହାରେ ପାର୍ସଲ ଲୋଡିଂ ପାଇଁ ବସ୍‌ଗୁଡ଼ିକର ଅବୈଧ ପାର୍କିଂ ସମସ୍ୟା ଉପରେ ମଧ୍ୟ ଆଲୋଚନା ହୋଇଥିଲା। ରାସ୍ତା ଉପରେ ଅନଧିକୃତ ଭାବେ ବସ୍‌ ପାର୍କିଂ କରି ଯାତାୟାତରେ ବାଧା ସୃଷ୍ଟି ନକରିବା ପାଇଁ ଆବଶ୍ୟକ ସ୍ଥଳେ ପଦକ୍ଷେପ ନେବାକୁ ବିସ୍ତୃତ ଆଲୋଚନା କରାଯାଇଥିଲା। ଜେବ୍ରା କ୍ରଶିଙ୍ଗ ଓ ଷ୍ଟପ୍ ଲାଇନ୍ ଗୁଡ଼ିକୁ ପୁନଃରଙ୍ଗ କରିବାକୁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଓ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି, ବର୍ତ୍ତମାନ ଖରାପ ଅବସ୍ଥାରେ ଥିବା ଟ୍ରାଫିକ ପୋଷ୍ଟ ଗୁଡ଼ିକର ମରାମତି ଓ ନବୀକରଣ କରିବା ସହ ସ୍ଥାୟୀ ଶୌଚାଳୟ ନିର୍ମାଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ସହରର ବିଭିନ୍ନ ସ୍ଥାନରେ ଥିବା ହମ୍ପ୍ସ ରେ ରେଡିୟମ ଲାଇଟ୍ ଲଗାଇବା ପାଇଁ କେଡିଏ ପକ୍ଷରୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାସ୍ତାରେ ଅନଧିକୃତ ଦଖଲ ଓ ପାର୍କିଂ ଯୋଗୁଁ ଯାତାୟାତରେ ସୃଷ୍ଟି ହେଉଥିବା ବାଧାକୁ ଦୂର କରିବା ସହ ଦୁର୍ଘଟଣା ଆଶଙ୍କା ହ୍ରାସ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ବୈଠକରେ ଶୂନ୍ୟ ମୃତ୍ୟୁହାର ସପ୍ତାହ(Zero Fatality Week )ପାଳନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସେପ୍ଟେମ୍ବର ୨୦୨୬ ରୁ ମାର୍ଚ୍ଚ ୨୦୨୭ ପର୍ଯ୍ୟନ୍ତ ପ୍ରତିମାସର ପ୍ରଥମ ସପ୍ତାହକୁ ଶୂନ୍ୟ ମୃତ୍ୟୁହାର ସପ୍ତାହ ଭାବେ ପାଳନ କରି ସଡ଼କ ସୁରକ୍ଷା ସଚେତନତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ଵଜିତ ଦାଶ କହିଛନ୍ତି। ବିଭିନ୍ନ ସ୍ଥାନରେ ସମୟ ସମୟରେ ଚଢ଼ାଉ ଓ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯାଇ ମଦ୍ୟପାନ କରି ଗାଡି ଚଲାଉଥିବା , ବିନା ହେଲମେଟରେ ଗାଡି ଚଲାଉଥିବା ଚାଳକମାନଙ୍କଠାରୁ ପ୍ରଚଳିତ ନିୟମାନୁଯାୟୀ ଜରିମାନା ଆଦାୟ କରାଯାଉଛି ଏବଂ ଆଗକୁ ଏହା ଆହୁରି କଡା କଡି କରାଯିବ। ପ୍ରକାଶଥାଉକି ପୂର୍ବବର୍ଷ ଅପେକ୍ଷା ଚଳିତ ବର୍ଷ ସଡକ ଦୁର୍ଘଟଣା ଅପେକ୍ଷାକୃତ ଭାବେ ହ୍ରାସ ପାଇଛି । ସେହିପରି ଚଳିତବର୍ଷ ଅଗଷ୍ଟ ମାସ ସୁଦ୍ଧା ୬୯,୦୧,୩୭୪ ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ବୈଠକରେ କଟକ ଜିଲ୍ଲା ବସ ମାଲିକ ସଂଘ ଏବଂ ଟ୍ରକ ମାଲିକ ସଂଘର କର୍ମକର୍ତ୍ତାମାନେ ଭାଗନେଇ ଆଲୋଚନାରେ ଅଂଶଗ୍ରହଣ ପୂର୍ବକ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡଃ ଦିବ୍ୟଲୋଚନ ମହନ୍ତ ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରଦୀପ କୁମାର ସାହୁ ,ଏସିପି ଟ୍ରାଫିକ୍ ଶ୍ରୀ ଜୟନ୍ତ ଦୋରା,ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ପି ଡି ଶ୍ରୀ ସୂରଜ ସିଂଙ୍କ ସମେତ ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନ, ସଂପୃକ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବିଶ୍ଵଜିତ ଦାଶ କାର୍ଯ୍ୟସୂଚୀ ଅନୁଯାୟୀ ବୈଠକ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *