୧୨ରେ ୩୦ତମ ରୁଚି ପ୍ରତିଭା ସମ୍ମାନ ସମାରୋହ , ଶ୍ରେଷ୍ଠ ଓଡ଼ିଆ ପ୍ରତିଭାଙ୍କ ସମେତ ବିଭିନ୍ନ କ୍ଷେତ୍ରର କୃତୀଙ୍କୁ ମିଳିବ ସମ୍ମାନ

କଟକ, ୫/୯ ଦୀର୍ଘ ତିନି ଦଶନ୍ଧି ଧରି ରାଜ୍ୟ ଓ ଦେଶର ବିଭିନ୍ନ କ୍ଷେତ୍ରର କୃତବିଦ୍ୟ ପ୍ରତିଭାଙ୍କୁ ଗୋଟିଏ ମଞ୍ଚରେ ସମ୍ମାନିତ କରି ପ୍ରତିଭାପୂଜନର ଏକ ନିଆରା ପରମ୍ପରା ସୃଷ୍ଟି କରିଆସୁଥିବା ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ଚଳିତବର୍ଷ ୩୦ତମ ରୁଚି ପ୍ରତିଭା ସମ୍ମାନ ସମାରୋହ ଆସନ୍ତା ସେପ୍ଟେମ୍ବର ୧୨ ତାରିଖ ସନ୍ଧ୍ୟା ୫ଟାରେ କଟକ ଶହୀଦ ଭବନଠାରେ ଆୟୋଜିତ ହେବ। ଏହି ଅବସରରେ ସାନ୍ତାଳୀ ଭାଷାର ବିଶିଷ୍ଟ ଲେଖକ ତଥା ଆଦିବାସୀ ସଂସ୍କୃତିର ବର୍ଷୀୟାନ ଗବେଷକ ପଦ୍ମଶ୍ରୀ ଚରଣ ହେମ୍ବ୍ରମଙ୍କୁ ସମ୍ମାନଜନକ ରୁଚି ଦେଶ ଗୌରବ ସମ୍ମାନ, ବିଶିଷ୍ଟ ଉଦ୍ୟୋଗପତି ତଥା ସାଂସଦ ଦିଲ୍ଲୀପ ରାୟଙ୍କୁ ‘ରୁଚି’ର ପ୍ରତିଷ୍ଠାତାଙ୍କ ସ୍ମୃତିରେ ପ୍ରବର୍ତ୍ତିତ ପ୍ରଥମ ‘ଡ. ଶରତ କୁମାର ସାହୁ ସ୍ମାରକୀ ସମ୍ମାନ’, ଚଳିତବର୍ଷର ଇଣ୍ଡିଆନ ଆଇଡଲ ବିଜୟିନୀ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକଙ୍କୁ ‘ରୁଚି ଦେଶ ଜ୍ୟୋତି ସମ୍ମାନ’, ଓଡ଼ିଶାରେ ଜୈବିକ କୃଷିର ବିକାଶ ଓ ପରିବେଶ ସୁରକ୍ଷା ପାଇଁ ସମର୍ପିତ ଜନସେବୀ ସାବରମତୀଙ୍କୁ ‘ରୁଚି ସେବା ଜ୍ୟୋତି ସମ୍ମାନ’, ବିଶିଷ୍ଟ କ୍ରୀଡ଼ାବିତ୍ ତଥା ଭାରତୀୟ ମହିଳା ହକିର ପ୍ରାକ୍ତନ ଉପଅଧିନାୟିକା ଅଲିମ୍ପିଆନ୍ ଦୀପ୍ ଗ୍ରେସ୍ ଏକ୍କାଙ୍କୁ ‘ରୁଚି ବାରବାଟୀ କ୍ରୀଡ଼ା ସମ୍ମାନ’ ପ୍ରଦାନ କରାଯିବ। ସେହିପରି ଚଳିତବର୍ଷ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶା ଟପ୍ପର ସାତ୍ବିକ ସତ୍ୟକାମ ଦେବତାଙ୍କୁ ‘ରୁଚି ବିଦ୍ୟାସାଗର ସମ୍ମାନ’ ଏବଂ ରାଜ୍ୟର ମାଟ୍ରିକ୍ ଟପ୍ପର ଦୁଇ କୃତୀ ଛାତ୍ର ଆଶୁତୋଷ ନାୟକ ଓ ପାର୍ଥସାରଥୀ ମହାନ୍ତଙ୍କୁ ‘ରୁଚି ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯିବ। ସମାରୋହରେ ଭାରତୀୟ ସେନାବାହିନୀର ପୂର୍ବତନ ସହ-ସେନାଧ୍ୟକ୍ଷ ତଥା ନୂଆଦିଲ୍ଲୀସ୍ଥିତ ସଶସ୍ତ୍ରବାହିନୀ ନ୍ୟାୟାଧିକରଣର ପ୍ରଶାସନିକ ସଦସ୍ୟ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ଉଦ୍‌ଘାଟକ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ମୁଖ୍ୟଅତିଥି ଏବଂ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ବିଶିଷ୍ଟ ଅତିଥି ଭାବେ ଯୋଗଦେବେ। ‘ରୁଚି ଫୁଡ୍‌ଲାଇନ’ ଦ୍ୱାରା ସଂସ୍ଥାପିତ ରୁଚି ପ୍ରତିଭା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ସମାରୋହ ସମ୍ପର୍କରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ରୁଚି’ର ଅଧ୍ୟକ୍ଷା ସଙ୍ଗୀତା ସାହୁ, ନିର୍ଦ୍ଦେଶିକା ସଲିନା ସାହୁ, ନିର୍ଦ୍ଦେଶିକା ରଶ୍ମୀ ସାହୁ ଓ ମୁଖ୍ୟ ମହାପ୍ରବନ୍ଧକ ମହେନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ରୁଚି ପ୍ରତିଭା ଫାଉଣ୍ଡେସନର ସମ୍ପାଦକ ଶୁଭେନ୍ଦୁ କୁମାର ଭୂୟାଁ ଚଳିତବର୍ଷ ସମ୍ମାନିତ ହେବାକୁ ଥିବା ପ୍ରତିଭାମାନଙ୍କ ସମ୍ପର୍କରେ ସୂଚନା ଦେବା ସହ ଅନୁଷ୍ଠାନର ବିଭିନ୍ନ ସାମାଜିକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିଥିଲେ।

Leave a Reply

Your email address will not be published. Required fields are marked *