
ବାରିପଦା/ଉଦଳା(କ: ବ୍ଯୁ) ତା. ୧୬/୦୮/୨୦୨୬ : ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ୮୦ ତମ ସ୍ୱାଧୀନତା ଦିବସ ୨୦୨୬ କପ୍ତିପଦା ଉପଖଣ୍ଡ ସ୍ତରରେ ଉଦଳା ହାଇସ୍କୁଲ ପ୍ୟାରେଡ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତ୍ୟୁଷ ଘ୪.୩୦ ମିନିଟ୍ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଉଦଳା ସହରରେ ରାମଧୂନ ପରିବେଷଣ କରାଯାଇଥିଲା । ସକାଳ ୭.୩୦ ମିନିଟ୍ ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ, ବେସରକାରୀ ଅନୁଷ୍ଠାନ ଏବଂ ବାସଗୃହମାନଙ୍କରେ ପତାକା ଉତ୍ତୋଳନ କରାଯାଇଥିଲା । ଉପଖଣ୍ଡସ୍ତରୀୟ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମୁରଲୀଧର ଚନ୍ଦ ମୁଖ୍ୟ ଅତିଥିଙ୍କୁ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ବ୍ୟାଚ୍ ଦେଇ ମଞ୍ଚକୁ ସ୍ୱାଗତ କରିଥିଲେ । ତତ୍ପରେ ଉପଖଣ୍ଡର ଉପଜିଲ୍ଲାପାଳ ପ୍ରଣୟ ରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ପାଳନ ଉତ୍ସବରେ ଯୋଗ ଦେଇ ସକାଳ ଘ୯.୧୫ ମିନିଟ୍ରେ ଜାତୀୟ ପତାକା ଉତ୍ତୋଳନ ପରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଉଦଳାର ଛାତ୍ରୀମାନେ ବନ୍ଦେ ମାତରମ ଗୀତ ଏବଂ ଜାତୀୟ ସଙ୍ଗୀତ ଗାନ କରିଥିଲେ । ଭାରତୀୟ ସହିଦ୍ ଯବାନମାନଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ପରେ ମୁଖ୍ୟ ଅତିଥି ଖୋଲା ଯାନରେ ପ୍ୟାରେଡ୍ ପରିଦର୍ଶନରେ ଯାଇ ଏନସିସି, ସ୍କାଉଟ୍ ସମେତ ୩୬ ଗୋଟି ପ୍ୟାରେଡ୍ ପ୍ରତିଯୋଗୀ ଦଳଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ । ତତ୍ପରେ ପ୍ୟାରେଡ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ସମବେତ ଜନତାଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ମାଧ୍ୟମରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାମନିଷୀମାନଙ୍କ ତ୍ୟାଗ ବର୍ଣ୍ଣନା କରିବା ସହିତ କପ୍ତିପଦା ଉପଖଣ୍ଡକୁ ଏକ ସ୍ୱଚ୍ଛ, ସମୃଦ୍ଧ, ଶିକ୍ଷିତ ଓ ନିରାପଦ ଅଞ୍ଚଳ ଭାବେ ଗଢି ତୋଳିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ସାଇସାଧନା ଶ୍ରେଷ୍ଠ ବିଦ୍ୟାଳୟ ପୁରସ୍କାର ଭାବେ ୪ ଗୋଟି ବ୍ଲକର ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ସ୍ତରରେ ମୋଟ ୮ ଗୋଟି ବିଦ୍ୟାଳୟକୁ ସାଇସାଧନା ଟ୍ରଷ୍ଟ ତରଫରୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା । ମେଧାବୃତ୍ତି ସମ୍ମାନ ପ୍ରଦାନ ସ୍ୱରୂପ ହାଇସ୍କୁଲ ବୋର୍ଡ ପରୀକ୍ଷାରେ ଉପଖଣ୍ଡର ଶ୍ରେଷ୍ଠ ୧ମ,୨ୟ ଏବଂ ୩ୟ ବିଦ୍ୟାର୍ଥୀଙ୍କୁ ପୂର୍ବତନ ବିଧାୟକ ୰ ଗୋଲକ ବିହାରୀ ନାଏକ, ୰ହରିଶ ଚନ୍ଦ୍ର ଦାସ ଏବଂ ସାଇ ସାଧନା ଟ୍ରଷ୍ଟ ଉଦଳାଙ୍କ ତରଫରୁ ଅର୍ଥରାଶି ସହିତ ବିଭିନ୍ନ ପୁରସ୍କାର ଓ ମାନପତ୍ର ଆଦି ପ୍ରଦାନ କରାଯାଇଥିଲା । ଯୁକ୍ତ ୨ ବିଜ୍ଞାନ ମେଧା ସମ୍ମାନ ସ୍ୱରୁପ କପ୍ତିପଦା ଉପଖଣ୍ଡସ୍ତରରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ବିଦ୍ୟାର୍ଥୀମାନଙ୍କୁ ୰ତୁଳସୀ ଦାସ ସଦୁଆଳଙ୍କ ସ୍ମୃତିରେ ପତ୍ନୀ ସ୍ନେହଲତା ସଦୁଆଳଙ୍କ ତରଫରୁ ଆର୍ôଥକ ରାଶି, ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିଲା।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)