ରାୟଗଡ଼ ପୋଲିସକୁ ବଡ଼ ସଫଳତା, ୧୨ ଲୁଟେରା ଗିରଫ


ରାୟଗଡ଼:(ତପନ କୁମାର କାଡ୍ରାକା )ରାୟଗଡ଼ ପୋଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚୋରି ଓ ଲୁଟ୍‌ପାଟ୍‌ ଘଟଣାରେ ସମ୍ପୃକ୍ତ ୧୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ୩ଟି ଦାମୀ କାର୍‌, ୨୩୦ ଗ୍ରାମ ସୁନା ଅଳଙ୍କାର, ୫୮୧ ଗ୍ରାମ ରୂପା, ୧୨ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ବୁଲେଟ୍‌ ମୋଟରସାଇକେଲ୍‌ ସମେତ ବିଭିନ୍ନ ଘରୋଇ ସାମଗ୍ରୀ ଜବତ କରାଯାଇଛି।ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାୟଗଡ଼ ଏସ୍‌ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତମାନେ କାଶୀପୁର,
କଲ୍ୟାଣସିଂହପୁର, କୋଲନରା ଓ ରାୟଗଡ଼ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ସେମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ୧୫ଟି ମାମଲା ରହିଥିବା ଏସ୍‌ପି କହିଛନ୍ତି।
ପୋଲିସ ସୂଚନା ଅନୁସାରେ, ଘର ଖାଲି ଥିବାର ସୁଯୋଗ ନେଇ ଅଭିଯୁକ୍ତମାନେ ଚୋରି କରୁଥିଲେ। ଲୁଟ୍‌ ପୂର୍ବରୁ ସେମାନେ ସିସିଟିଭି କ୍ୟାମେରାକୁ ଅଚଳ କରି ଦେଉଥିଲେ। ଘଟଣାର ତଦନ୍ତ ପାଇଁ ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ବେଳେ ସାଇବର ବିଶେଷଜ୍ଞଙ୍କ ସହାୟତାରେ ଅଭିଯୁକ୍ତମାନଙ୍କୁ ଧରାଯାଇଥିବା ପୋଲିସ କହିଛି।
ଚୋରି ହୋଇଥିବା ସୁନା ଅଳଙ୍କାରକୁ ତରଳାଇ ଅଭିଯୁକ୍ତମାନେ ବିଭିନ୍ନ ଗୋଲ୍ଡ କମ୍ପାନୀରୁ ଋଣ ନେଇଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାରେ ଆହୁରି କିଛି ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଆଗାମୀ ଦିନରେ ସେମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ରାଜ ପ୍ରସାଦ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *