ସରକାର କରିପାରିଲାନି, ଆଦିବାସୀ ଦମ୍ପତି କରି ଦେଖାଇଲେ; ଏବେ ବି ସରକାର ଚୁପ୍ କାହିଁକି ? ନିଜ ଖର୍ଚ୍ଚରେ କାଠ ପୋଲ ନିର୍ମାଣ କରିଥିଲେ ଦମ୍ପତି, ୬ ଖଣ୍ଡ ଗାଁର ଲୋକଙ୍କ ଜୀବନରେଖା ପାଲଟିଛି ପୋଲ


ରାୟଗଡା (ତପନ କୁମାର କାଡ୍ରାକା ) :ସରକାରୀ ସହାୟତାକୁ ଅପେକ୍ଷା ନକରି ଗାଁ ଲୋକଙ୍କ ଯାତାୟାତ ସମସ୍ୟା ଦୂର କରିବାକୁ ନିଜ ଉପାର୍ଜିତ ଅର୍ଥରେ କାଠ ପୋଲ ନିର୍ମାଣ କରିଥିଲେ ଜଣେ ଆଦିବାସୀ ଦମ୍ପତି। ହେଲେ ପ୍ରାୟ ୫ ବର୍ଷ ପରେ ଏହି ଅସ୍ଥାୟୀ କାଠ ପୋଲଟି ଏବେ ଜରାଜୀର୍ଣ୍ଣ ହୋଇପଡ଼ିଛି। ଫଳରେ ପୋଲ ଉପରେ ଯାତାୟାତ କରୁଥିବା ୬ ଖଣ୍ଡ ଗାଁର ଲୋକଙ୍କ ଚିନ୍ତା ବଢ଼ିଛି। ଏହି ସ୍ଥାନରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ଦାବି ଜଣାଇଛନ୍ତି।ପ୍ରାୟ ୫ ବର୍ଷ ତଳେ ଗାଁବାସୀଙ୍କ ଦୁର୍ଦ୍ଦଶା ଦେଖି ଆଦିବାସୀ ଦମ୍ପତି ଶ୍ୟାମଧର ମାଝୀ ଓ ତାଙ୍କ ପତ୍ନୀ ନିଜର ପ୍ରାୟ ଏକ ବର୍ଷର ଦରମା ଖର୍ଚ୍ଚ କରିବା ସହ ସୁନା ବନ୍ଧକ ରଖି ଏହି କାଠ ପୋଲ ନିର୍ମାଣ କରିଥିଲେ। ପଣସପଦର ଗ୍ରାମବାସୀଙ୍କ ଶ୍ରମଦାନରେ ମଧ୍ୟ ପୋଲ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ସରକାରୀ ସହାୟତାକୁ ଅପେକ୍ଷା ନକରି ନିଜ ସାଧ୍ୟ ଅନୁସାରେ ପୋଲ ନିର୍ମାଣ କରି ଦମ୍ପତି ଅନେକ ପରିବାରର ଯାତାୟାତ ସମସ୍ୟା ଦୂର କରିଥିଲେ।ଏହି କାଠ ପୋଲ ଉପରେ ଗଡରାମୁହିଁ, ପୁଷଘାଟି, ଟେକ୍ସିମୁହିଁ, ସିଙ୍ଗିପଟା, ପଣସପଦର ସମେତ ୬ ଖଣ୍ଡ ଗାଁର ଲୋକେ ନିର୍ଭରଶୀଳ। ଛାତ୍ରଛାତ୍ରୀ, ବୃଦ୍ଧ, ମହିଳାଙ୍କଠାରୁ ଆରମ୍ଭ କରି ରୋଗୀମାନେ ମଧ୍ୟ ଏହି ପୋଲ ଦେଇ ଯାତାୟାତ କରୁଛନ୍ତି। ପୋଲଟି ନଥିଲେ ଗ୍ରାମବାସୀଙ୍କୁ ଯାତାୟାତ ପାଇଁ ଅନେକ ଦୂର ବୁଲି ଯିବାକୁ ପଡ଼ୁଛି। ବିଶେଷକରି ଜରୁରୀ ସମୟରେ ରୋଗୀଙ୍କୁ ଡାକ୍ତରଖାନା ନେବା ମଧ୍ୟ କଷ୍ଟକର ହୋଇପଡ଼ୁଛି।
ଇତିମଧ୍ୟରେ ୫ ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ଆସୁଥିବା କାଠ ପୋଲର ଅବସ୍ଥା ଏବେ ଅତ୍ୟନ୍ତ ଦୟନୀୟ। କେଉଁଠି କାଠ ଭାଙ୍ଗି ଯାଇଛି, ତ ଆଉ କେଉଁଠି ପୋଲର ବିଭିନ୍ନ ଅଂଶ ଦୁର୍ବଳ ହୋଇପଡ଼ିଛି। ଏଭଳି ସ୍ଥିତିରେ ପୋଲ ଦେଇ ଯାତାୟାତ କରିବା ବିପଦପୂର୍ଣ୍ଣ ହୋଇପଡ଼ିଛି। ଯେକୌଣସି ସମୟରେ ଅଘଟଣ ଘଟିବାର ଆଶଙ୍କା ରହିଛି।ଗ୍ରାମବାସୀଙ୍କ କହିବାନୁଯାୟୀ, ନିଜ ଅର୍ଥ ଓ ଶ୍ରମରେ ଦମ୍ପତି ଯେଉଁ କାଠ ପୋଲ ନିର୍ମାଣ କରି ଲୋକଙ୍କ ଯାତାୟାତର ବାଟ ଖୋଲିଥିଲେ, ତାହା ଏବେ ଶେଷ ଅବସ୍ଥାରେ। ଦୀର୍ଘଦିନ ଧରି ଏହି ସମସ୍ୟା ରହିଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇନାହିଁ। ତେଣୁ ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ନେଇ ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ କରିବାକୁ ଦାବି ଜୋର ଧରିଛି।ନିଜ ଖର୍ଚ୍ଚରେ ଦମ୍ପତି ପୋଲ କରି ଦେଖାଇଲେ, ଏବେ ସ୍ଥାୟୀ ପୋଲ ନିର୍ମାଣର ପାଳି ସରକାରଙ୍କର ଗ୍ରାମବାସୀଙ୍କ ଏହି ଦାବି କେବେ ପୂରଣ ହେବ, ତାହା ଉପରେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *