
ବାରିପଦା /ଉଦଳା ତା୧୦/୦୮/୨୦୨୬(କ: ବ୍ଯୁ ) : ଉଦଳା ମହାବିଦ୍ୟାଳୟର ୬୧ ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ବସନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଭାସ୍କର ମଢେଇ ଯୋଗ ଦେଇ ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନ କିପରି ସ୍ୱୟଂଶାସିତ ହୋଇପାରିବ ସେ ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ସେହିପରି ମୁଖ୍ୟବକ୍ତା ଭାବେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଡକ୍ଟର ସୁବ୍ରତ କୁମାର ରଣା ଯୋଗ ଦେଇ ଆଜିର ଏହି ପ୍ରତିଷ୍ଠା ଦିବସର ମହତ୍ତ୍ୱ ସହିତ ପିଲାମାନେ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଉଦଳା ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା ଏବଂ ଉଦଳା ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭାପତି ଡକ୍ଟର ସଚ୍ଚିଦାନନ୍ଦ ପରିଡା ପ୍ରମୁଖ ଯୋଗ ଦେଇ ମହାବିଦ୍ୟାଳୟର ଦୀର୍ଘ ସ୍ୱର୍ଣ୍ଣିମ ଇତିହାସକୁ ଉତଥାପନ କରି ବର୍ତ୍ତମାନ ମହାବିଦ୍ୟାଳୟକୁ ଉଚ୍ଚ ଶିକ୍ଷାର ଉତ୍କର୍ଷ କେନ୍ଦ୍ର ଭାବରେ ପ୍ରତିପାଦନ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ସକାଳେ ଅଧ୍ୟକ୍ଷ ବସନ୍ତ କୁମାର ପାତ୍ର ଏବଂ ପୁରାତନ ଛାତ୍ର ସଂଘର ସଭାପତି ଡକ୍ଟର ସଚ୍ଚିଦାନନ୍ଦ ପରିଡାଙ୍କ କରକମଳରେ ପ୍ରତିଷ୍ଠା ଦିବସର ପତାକା ଉତ୍ତୋଳନ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଏହା ସହିତ ଅତିଥିମାନେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ବୃକ୍ଷରୋପଣ କାର୍ଯ୍ୟକ୍ରମ କରିଥିଲେ । ଏଥିରେ ସମସ୍ତ ଛାତ୍ରଛାତ୍ରୀ, ଏନଏସଏସ, ଏନସିସି, ୟୁଥ ରେଡକ୍ରସର ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ । ଅଧ୍ୟାପକ ସୁଧାକର ଆଚାର୍ଯ୍ୟ, ଅଧ୍ୟାପକ ସନ୍ତୋଷ କୁମାର ଜେନାଙ୍କ ସଂଯୋଜନାରେ ସଭା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଶିକ୍ଷାର୍ଥୀ କଳାରେ ବର୍ଷା ସିଂ, ବିଜ୍ଞାନରେ ଜୟଦୀପ ପରିଡା ଓ ବାଣିଜ୍ୟରେ ଶ୍ରୀଜିତ୍ କର୍ମକାର ଏବଂ ଯୁକ୍ତ ୩ ସ୍ତରରେ ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଥିବା ଇଂରାଜୀ ବିଭାଗର ଛାତ୍ରୀ ତପସ୍ୟା ସାହୁ, ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ର ଅଭିଷେକ ପାଣିଗ୍ରାହୀ ଏବଂ ଯୁକ୍ତ ୩ ବିଜ୍ଞାନରେ ସର୍ବୋଚ୍ଚ ଅଙ୍କ ରଖିଥିବା ଅଭିଷେକ ପାଣିଗ୍ରାହୀଙ୍କୁ ପ୍ରାଧ୍ୟାପିକା କଳ୍ପନା ମହାନ୍ତଲଙ୍କ ଦ୍ବାରା ସମ୍ମାନ ପ୍ରଦାନ କରାଯାଇଥିଲା । ଏଥିସହିତ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗୀୟ ମୁଖ୍ୟ ଅଧ୍ୟାପକ ହରିଶ ଚନ୍ଦ୍ର ପଣ୍ଡାଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ । ପରିଶେଷରେ ଡକ୍ଟର ସତ୍ୟଶ୍ରୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)