
ଋତୁସ୍ରବା ନାରୀ ସପ୍ତ ଦିନ ଯାଏ
ନ କରନ୍ତି ଶୁଭ କର୍ମ,
ମାନ୍ଯ ଅମାନ୍ଯରେ ଫଳ ଯଥାକ୍ରମେ
ଅର୍ଜନ୍ତି ଧର୍ମ ଅଧର୍ମ ।
ଋତୁସ୍ରବା ନାରୀ ସ୍ବାମୀଙ୍କ ସାଥିରେ
ନ କରନ୍ତି ସହବାସ,
ଅମାନ୍ଯ ହୋଇଲେ ସ୍ବାମୀ ପୌରୁଷତ୍ବ
କ୍ଷୀଣ ବି ହୁଏ ଆୟୁଷ ।
ଋତୁସ୍ରବା ନାରୀ ସ୍ବାମୀ ସାଥେ ବସି
ନ ଦିଅନ୍ତି ପିଣ୍ଡ ଦାନ,
ଠାକୁର ଘରକୁ ପ୍ରବେଶ ନିଷେଧ
ସୁଜ୍ଞାନ କର ଅର୍ଜନ ।
ଋତୁସ୍ରବା ନାରୀ ସୂର୍ଯ୍ୟଙ୍କୁ ଅର୍ପଣ
ନ କରେ ଆଞ୍ଜୁଳା ନୀର,
ଫୁଲ-ଫଳ ଭରା ବୃକ୍ଷ ନ ଛୁଅନ୍ତି
ନ ଦୁହନ୍ତି ଗାଈ କ୍ଷୀର ।
ଋତୁସ୍ରବା ନାରୀ ଶୁଭ ଅନୁକୂଳ
କର୍ମ ନ କରନ୍ତି ଜାଣ,
ସର୍ବପ୍ରଥମରେ ମଟର ଗାଡ଼ିକୁ
ଚଢ଼ଣ ଥାଏ ବାରଣ ।
ଋତୁସ୍ରବା ନାରୀ ହେଲେ ବି ସେ ନେତ୍ରୀ
ଫିତା ନ କାଟନ୍ତି ଜାଣ,
ଯୋଜନା ପ୍ରକଳ୍ପ ବନ୍ଧ କି ମନ୍ଦିର
ଶିଳାନ୍ୟାସ ବି ବାରଣ ।
ମାନ୍ଯରେ ଈଶ୍ୱର ଅମାନ୍ଯେ ପଥର
ହେଲେ ବି ଅନ୍ଧବିଶ୍ୱାସ,
ବେଦ-ଶାସ୍ତ୍ର ଯଦି ଗ୍ରହଣୀୟ ଜାଣ
ଫଳାଫଳ ସବିଶେଷ ।
ବିନା ଋତେ ନାରୀ ନାରୀରେ ଅଗଣ୍ଯ
ନାରୀ ହିଁ ଶ୍ରେଷ୍ଠ ମହାନ,
ଋତୁ-କାଳ ସପ୍ତ- ଦିବସ ସ୍ନାନାନ୍ତେ
ସର୍ବ କର୍ମ ସୁଶୋଭନ ।
ନାରୀ ସୃଜନର ସୃଜିକା ପୂଜ୍ଯତା
ରଜସ୍ବଳା ସୁଲକ୍ଷଣ,
ଶମ୍ଭୁନାଥ ଦାସ ଅପଣ୍ଡିତ ଭାବ
ମାନ୍ଯରେ ସୃଷ୍ଟି-ବିଧାନ ।
ଶମ୍ଭୁନାଥ ଦାସ
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,