
ଡମ୍ବରୁଧର ଶଙ୍କର ମଙ୍ଗଳମୟ ଈଶ୍ୱର
ତ୍ରାଣକର୍ତ୍ତା ପ୍ରଭୁ ଶିବ ହେ ତ୍ରିଲୋଚନ,
ଦୁର୍ନୀତି ଅନ୍ଯାୟ ନାଟ ଜନତାଙ୍କୁ ଛଟପଟ
କରି ନେଉଅଛି ଏବେ ଜନ-ଜୀବନ ।
କରୁଅଛି ମୁଁ ନିବେଦନ,
ଏ ସୁନ୍ଦର ଧରାଧାମ ରଖ ଶୋଭନ !!
ହେ ପ୍ରଭୁ ଡମ୍ବରୁଧର କିବା ତବ ଅଗୋଚର
ସାରା ବିଶ୍ବ ଥରହର ଯୁଦ୍ଧର କୋପ,
ମନେଅଛି ତ ଈଶ୍ୱର କରିଥିଲ ପାନ କ୍ଷୀର
ତବ ପଥର ମୂର୍ତ୍ତିର ନୁହେଁ ଯେ’ ଗଳ୍ପ ।
ଲେଖନୀରେ କରୁଛି ଜପ,
ଧରା ସୁଶୋଭନେ କର ଯୁଦ୍ଧ ବିଲୋପ !!
ଆହେ ପ୍ରଭୁ ଆଶୁତୋଷ କୁହ କିମ୍ପା ଅସନ୍ତୋଷ
ଜର୍ଜରିତ ଏ ମଣିଷ ପାଏ କଷଣ,
ବାର ମାସେ ତେର ଯାତ ପ୍ରତି ସୋମବାରେ ଭକ୍ତ
ପୂଜା-ଅର୍ଘ୍ୟେ ସମର୍ପିତ କରେ ଜଣାଣ !
ଦେଖ ଏବେ ମହାସଂକଟ,
ନେତା-ମନ୍ତ୍ରୀ ହେଉଛନ୍ତି ଚୋର ଲମ୍ପଟ !!
ହେ ପ୍ରଭୁ ଶିବ-ଶଙ୍କର ଅତି ମହିଁମା ତୁମର
ବରଦାନ’ର ଈଶ୍ୱର ସର୍ବ-ବିଦିତ,
ତୁମେ ପ୍ରଭୁ ସର୍ବେଶ୍ଵର ସର୍ବାଗ୍ରେ କରୁଣା-କର
ତେବେ ତ ପ୍ରାର୍ଥନା ମୋର ମୁଁ ଅନୁଗତ ।
ସୂର୍ଯ୍ୟଦେବ ହୁଅନ୍ତି ଛିନ୍ନ,
ରକ୍ଷାକର ଏ ସୁନ୍ଦର ସୃଷ୍ଟି-ସୃଜନ !!
ଆହେ ପ୍ରଭୁ ନୀଳକଣ୍ଠ ପୂଜା ଅର୍ଘ୍ୟେ ସମର୍ପିତ
କୋଟି କୋଟି ତୋ’ ଭକତ ଏବେ ସ°କଟ,
ଜଗତ ହିତ ସାଧନ କରିଥାଅ ବିଷ ପାନ
ଧରା ତବ ସୁଶୋଭନ ବ୍ରତ ଯେମନ୍ତ !
ତ୍ରାହିକର ହେ ଭଗବାନ,
ପାପ-ତାପ ଧ୍ଵ°ସି କର ଧରା ଶୋଭନ !!
ଶହେ ଆଠ ବେଲପତ୍ର ଦୁଦୁରା ଓ କନିଅର
ଫୁଲ ଧରି ମୁଁ ଶଙ୍କର ଗଲି ମନ୍ଦିର,
ହାତେ ଧରି କଞ୍ଚା-କ୍ଷୀର ଢାଳି ଭିଜାଇଲି ଶିରଃ
ମାଗିଲି ଶିବଙ୍କୁ ବର ‘ବିଶ୍ଵ-ଉଦ୍ଧାର’ ।
କାନ୍ଦି କାନ୍ଦି ମୁଁ ତ୍ରାହି କର,
ଗୁହାରୁଛି ଧରି ପ୍ରଭୁ ଶିବ- ପୟର ।
ଶମ୍ଭୁନାଥ ଦାସ କୋଲକାତା