କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କଲେ ମୁଖ୍ୟ ନିର୍ବାଚନ ଅଧିକାରୀ

କଟକ, ୧୦.୦୬.୨୦୨୬: କଟକ ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision) କାର୍ଯ୍ୟର ଅଗ୍ରଗତି ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଆର୍‌. ଏସ୍‌. ଗୋପାଳନ ଆଜି ସମୀକ୍ଷା କରି ନିର୍ବାଚନ ମଣ୍ଡଳୀ ଅନୁଯାୟୀ ଏନୁମରେସନ୍ ଫର୍ମ ବଣ୍ଟନ, ସଂଗ୍ରହ ଓ ଡିଜିଟାଇଜେସନ୍ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଥିଲେ।
ଜିଲ୍ଲାରେ ଆଜି ସୁଦ୍ଧା ମୋଟ ୯୩ ପ୍ରତିଶତ ଏନୁମରେସନ୍ ଫର୍ମ ବଣ୍ଟନ କାର୍ଯ୍ୟ ସମ୍ପନ୍ନ ହୋଇଛି। ଜିଲ୍ଲାର ୯ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଥ୍ ସ୍ତରୀୟ ଅଧିକାରୀମାନେ ଘର ଘର ବୁଲି ଭୋଟରମାନଙ୍କୁ ଫର୍ମ ପ୍ରଦାନ କରୁଛନ୍ତି। ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ସର୍ବାଧିକ ଫର୍ମ ବଣ୍ଟନ କରାଯାଇଥିବାବେଳେ ଏହା ପଛକୁ କଟକ ସଦର ବିଧାନସଭା ନିର୍ବାଚନମଣ୍ଡଳୀ ରହିଛି।
ଶ୍ରୀ ଗୋପାଳନ ସମସ୍ତ ନିର୍ବାଚନ ମଣ୍ଡଳୀରେ ଧାର୍ଯ୍ୟ ସମୟ ମଧ୍ୟରେ ଏନୁମରେସନ୍ ଫର୍ମ ବଣ୍ଟନ, ସଂଗ୍ରହ ଓ ଡିଜିଟାଇଜେସନ୍ କାର୍ଯ୍ୟ ଶେଷ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସଠିକ୍, ସ୍ୱଚ୍ଛ ଓ ସମୟବଦ୍ଧ ଭାବେ ସମାପ୍ତ କରିବା ପାଇଁ ସେ ନିର୍ବାଚନ କର୍ମଚାରୀମାନଙ୍କୁ ଆହ୍ୱାନ ଦେଇଥିଲେ।
କେତେକ ସ୍ଥାନରେ ଭୋଟରମାନେ ସ୍ଥାନ ପରିବର୍ତ୍ତନ କରିଥିବାରୁ ସେମାନଙ୍କୁ ଚିହ୍ନଟ କରି ଏନୁମରେସନ୍ ଫର୍ମ ପହଞ୍ଚାଇବାରେ ସାମାନ୍ୟ ସମସ୍ୟା ସୃଷ୍ଟି ହେଉଛି। ତେବେ ଯେଉଁ ଯୋଗ୍ୟ ଭୋଟରମାନେ ଏପର୍ଯ୍ୟନ୍ତ ଫର୍ମ ପାଇନାହାନ୍ତି, ସେମାନେ ନିକଟସ୍ଥ ବିଏଲଓଙ୍କ ସହ ଯୋଗାଯୋଗ କରି ନିଜର ଏନୁମରେସନ୍ ଫର୍ମ ପୂରଣ କରିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ମୋବାଇଲ ଆପ୍ ମାଧ୍ୟମରେ ମଧ୍ୟ ଅତ୍ୟନ୍ତ ସହଜ ଓ କମ୍ ସମୟ ମଧ୍ୟରେ ଏନୁମରେସନ୍ ଫର୍ମ ପୂରଣ କରାଯାଇପାରୁଥିବାରୁ ଭୋଟରମାନେ ନିଜେ ନିଜେ ଅନଲାଇନ୍ ମାଧ୍ୟମରେ ଫର୍ମ ପୂରଣ କରିବାକୁ ଅନୁରୋଧ କରାଯାଇଛି।
ଜିଲ୍ଲାର ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀର ବିଏଲଓମାନେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ତତ୍ପରତାର ସହ ନିୟୋଜିତ ରହି କାର୍ଯ୍ୟ କରୁଛନ୍ତି।
ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ଶ୍ରୀ ସୁଶାନ୍ତ କୁମାର ମିଶ୍ର, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କମଲଜିତ୍ ଦାସ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦିବ୍ୟଲୋଚନ ମହାନ୍ତ, ଡେପୁଟୀ ସିଇଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ, ଡେପୁଟୀ ସିଇଓ ଶ୍ରୀମତୀ ଅନାମିକା ସିଂହଙ୍କ ସମେତ ଜିଲ୍ଲାର ୯ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀର ନିର୍ବାଚକ ପଞ୍ଜିକରଣ ଅଧିକାରୀ ଓ ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *