
ଆହାଃ, ଆଜିକାଲି ଫୁଲଗୁଡ଼ାକ ବି
ଏମିତି ଅଝଟ ବୋଲି ଜାଣି ନ ଥିଲି ,
ଜାଣିଥିଲେ ତାଙ୍କ ଚାରା ରୋପି ନ ଥା’ନ୍ତି
ଆମ ଘର ସାମ୍ନା ଅଗଣାରେ !
ଯାହାହେଉ ଭଲ ହେଲା
ସେମାନଙ୍କ ଅଝଟପଣରୁ ବି
କିଛି ବୁଝିହେଲା… କିଛି ଜାଣିହେଲା,
କିଛି ଜ୍ଞାନ ବି ସଞ୍ଚରିଲା ।
ଆହାଃ ! ମଲ୍ଲି-ମାଳତୀ, ଚମ୍ପା-ସେବତୀ
ମୋ ପାଖରେ ଆଉ ତ ନାହାନ୍ତି
ତେବେ ରଜନୀଗନ୍ଧାକୁ କ’ଣ ନେଇହେବ
ଚନ୍ଦନ-ସିନ୍ଦୂର ସାଥିରେ ମନ୍ଦିରକୁ (?)
ସେ’ ତ କାଲି ରାତିରେ ମହକ ଉଡ଼ାଇଦେଇ
ଧୂଳି-ବାଲିରେ ପଡ଼ିଯାଇଛି ଯେ’
ଭୋ’ରୁ ଭୋ’ରୁ ଝାଡ଼ୁ ପ୍ରହାରରେ
ଠେଲିହୋଇ ଚାଲିଯିବ ସିଝୁବାଡ଼ କଡ଼କୁ !
ଆହାଃ, ମନ୍ଦିରକୁ ଯାଇପାରିଲି ନାହିଁ
ଆମ ଘର-ସଂସାରର ମଙ୍ଗଳ ମନାସିବାକୁ
ଫୁଲମାନେ ତ ହସଖୁସିରେ ଯାଇଛନ୍ତି
ନରପତିଙ୍କ ବେକରେ ଆନନ୍ଦରେ ଝୁଲିବାକୁ ,
ପ୍ରଜାପତିମାନେ ବିକଳ ଚିତ୍କାର କରି
ଖୋଜୁ ଖୋଜୁ ପିଟିହେଲେ ଝରକା ବନ୍ଧରେ
ବହୁ କଷ୍ଟରେ ପ୍ରବେଶିଲେ ଉଆସରେ ତ
ନରମ ଶୁଣ୍ଢ ତାଙ୍କର ଭାଙ୍ଗିଗଲା
ଆହ୍ଲାଦିତ ହେଉ ହେଉ ପ୍ଲାଷ୍ଟିକ ଫୁଲରେ !
ତେବେ ମୁଁ ଆଉ କ’ଣ କରିବି ଯେ’
ଜାଣିଥିଲେ ତ ଫୁଲଚାରା ରୋପିଥାନ୍ତି
ଘରପଛ ତାରବାଡ଼ ବେଷ୍ଟନୀ ମଧ୍ଯରେ,
ତଥାପି ତ ଫୁଲମାନଙ୍କୁ ଫେରେଇ
ଆଣିବାକୁ ହେବ ମନ୍ଦିରକୁ,
ନ ହେଲେ ଅଭିମାନ କରିବେ ରାଧା-କୃଷ୍ଣ
ତାଣ୍ଡବ କରିବେ ଶିବ ମୋ’ ଇଲାକାରେ !
ସବୁ ଦୁଃଖ ଶୁଣିସାରିବା ପରେ ଗୋଲାପ
ରାଜି ହେଲା ଯିବାକୁ ମନ୍ଦିର ମୋ’ ସାଥିରେ
ମନ୍ଦିରକୁ ଚାଲୁ ଚାଲୁ ବାଟରେ
ଗୋଲାପ ବି ବିଶ୍ୱାସଘାତକତା କଲା,
ରକ୍ତାକ୍ତ କରିଦେଲା ମୋ’ ହାତକୁ
ତା’ ମୁନିଆଁ କଣ୍ଟାରେ,
କହିଲା ସେ ତାତ୍ସଲ୍ୟ ଭଙ୍ଗିରେ,
ଯାଉଛି ମୁଁ କେଦାରଗୌରୀଙ୍କ ପ୍ରେମ-ପ୍ରଣୟକୁ
ଜାଣିନୁ କି, ତବ ଛନ୍ନ ଛନ୍ନ ଫୁଲକଢ଼ି ସବୁ
ବୋମା ହୋଇ ଫୁଟିଗଲେଣି ମଞ୍ଚରେ…. !!■
ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା / କୋଲକାତା
ସା/ କଣ୍ଟିବାଙ୍କ (ପାଲଟପୁର), ମଙ୍ଗଳପୁର,
ଯାଜପୁର