
ମେଘ ବରଷାର ଚଡ଼କକୁ ଟାଣି
ଜାଳଇ ନିଜ ଜୀବନ,
ପ୍ରାଣୀ ଜଗତର ସୁରକ୍ଷା କବଚ
ଏମନ୍ତ କି ବୃକ୍ଷ ଧନ୍ଯ !
ଏମିତିକା ବୃକ୍ଷ ଦେଖିଅଛ ପିଲେ
ନାହିଁ ତା’ର କିଛି ଡାଳ,
ଉପକାରୀ ବୃକ୍ଷ ଭାବରେ ଗଣନ
ଖଜୁରି ନଡ଼ିଆ ତାଳ ।
ତା’ ମଧ୍ଯରୁ ତାଳ କଥା ଶୁଣ ତା’ର
ମୂଳରୁ ପତର ଯାଏ,
ବାଇଆ ଚଢ଼େଇ ବରଡ଼ା ପତ୍ରରେ
ବସା ବାନ୍ଧି ରହିଥାଏ ।
ବରଡ଼ା ପତ୍ରରେ ବିଞ୍ଚଣା ଆସନ
ସଜ ପତରରେ ପୋଥି,
ଆଗ କାଳେ ଯେବେ ନ ଥିଲା କାଗଜ
ଏ ଥିଲା ଲେଖକ ସାଥି ।
ଏବେ ବି ଜ୍ଯୋତିଷ ତାଳ-ମଞ୍ଜ-ପତ୍ରେ
ଲେଖେ ଟିପ୍ପଣା ଜାତକ,
ଜୀବନର ଘାତ- ପ୍ରତିଘାତ ଜାଣି
ଲୋକେ ଛଡ଼ାନ୍ତି ପାତକ ।
ଧାର ବା କେରଟ ରସି ମଜଭୁତ
ତାଳ ବାହୁଙ୍ଗାରୁ ଜାତ,
ବାଡ଼ବତା ପାଇଁ ବାନ୍ଧୁଣି ଦଉଡ଼ି
ଅଟଇ ଭାରି ଶକତ ।
ତାଳ-କାଠ ଅତି ଶକତ ଅଟଇ
ଘର ତିଆରିରେ ଲୋଡ଼ା,
ବରଡ଼ା ପତ୍ରରେ ଗରିବ ଘରର
ଛାଉଣିରେ ଲାଗେ ପରା ।
ତାଳ-ଫମ୍ପଡ଼ାରେ ଚପଲ ପ୍ରସ୍ତୁତ
ପିନ୍ଧନ୍ତି ରଜ-ପରବେ,
ଧରିତ୍ରୀ ମାତାକୁ ପାଦ ସ୍ପର୍ଶ ବିନା
ସମ୍ମାନ ଜଣାନ୍ତି ସର୍ବେ ।
ତାଳସଜ ବଡ଼ ମଧୁରରେ ଭାଇ
ଖରାଦିନେ ତା’ ଆଦର,
ପାଚିଲା ତାଳରେ ହୁଏ ଘରେ ଘରେ
ପିଠା ବିଭିନ୍ନ ପ୍ରକାର ।
କୁଆଁର ପୁନେଇ ପରବେ ପ୍ରବଳ
ଖୋଜାହୁଏ ତାଳଗଜା,
ବୃନ୍ଦାବତୀଙ୍କର ପ୍ରଥମ ପ୍ରସାଦ
ସ୍ବାଦ ସୁମଧୁର ମଜା ।
ଏତେ ଦରକାର ପରେ ପୁଣି ଜାଣ
ଅବଶିଷ୍ଟ ଅଂଶ ଜାଳ,
ସାମାଜିକ କଥା ଢଗ-ଢମାଳିରେ
ହୃଦେ ଜାଗେ ଅସମ୍ଭାଳ ।
ତଳ ବରଡ଼ା ତ ଖସୁଅଛି ଦେଖ
ଉପର ବରଡ଼ା ହସେ,
ମଝି ବରଡ଼ା ତ ଦୁଃଖେ କହୁଥାଏ
ମୋର ଦିନ-କାଳ ଆସେ ।
ଜନମ ମୃତ୍ଯୁର ଏ ଜୀବନ ଯାତ୍ରା
ରଚିଅଛି ମହାକାଳ,
ସାଥୀ ଭାବେ ସାକ୍ଷୀ ସୁନ୍ଦର ସୃଜନେ
ଏହି ଆମ ଗଛ ତାଳ ।
ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା