ବାରିପଦା/ଉଦଳା(କ:ବ୍ଯୁ) ତା୦୪/୦୪/୨୦୨୬ : ଉଦଳା ତାଲୁକ ଆଇନ୍ ସହାୟତା କମିଟି ତରଫରୁ ଏସଟି/ଏସସି ପ୍ରିଭେନସନ୍ ଅଫ୍ ଆଟ୍ରୋସିଟି ଆକ୍ଟ ଏବଂ ସେକ୍ସୁଆଲ ହାରାସମେଣ୍ଟ ଏଟ୍ ୱାର୍କ ପ୍ଲେସ୍ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଆଜି ସନ୍ଧାନ ଗୃହରେ ଅନୁଷ୍ଠିତ ହୋଇଯାଇଛି । ସକାଳ ୯ ଘଟିକା ସମୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ତାଲୁକ ଆଇନ୍ ସହାୟତା କମିଟି ଚେୟାରମ୍ୟାନ୍ ତଥା ଏଡିଜେ ପ୍ରଦୀପ କୁମାର ବେହେରା ସଭାପତିତ୍ୱ କରି ଆଇନ୍ ସହାୟତା କମିଟି କାର୍ଯ୍ୟ ଏବଂ ବିଭିନ୍ନ ଆଇନ୍ ଉପରେ ସଚେତନ କରିବା ସହିତ ଆଦିବାସୀ, ହରିଜନ ଉପରେ ହେଉଥିବା ଅତ୍ୟାଚାର ଓ କର୍ମଜୀବି ମହିଳାମାନଙ୍କ ଉପରେ ହେଉଥିବା ଯୌନ ଶୋଷଣ ଓ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଦଳା ଓକିଲ ସଂଘର ସମ୍ପାଦକ ବସନ୍ତ କୁମାର ପରିଡା, ଉପଖଣ୍ଡ ଓକିଲ ସଂଘର ସମ୍ପାଦକ ରଜତ କୁମାର ମହାପାତ୍ର, ଆଇନଜୀବି ନିରାକାର ମହାପାତ୍ର, ରିଟେନର ମକରନ୍ଦ ପଲେଇ, ସିଡିପିଓ କ୍ରିଷ୍ଣା ମହାପାତ୍ର, ଏସଡିଏମଓଙ୍କ ପ୍ରତିନିଧି ଏବଂ ମହିଳା ଆଇନଜୀବି ହରପ୍ରିୟା ହାଁସଦା ଏବଂ ଆଇନଜୀବିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭରେ ଆଇନ୍ ସହାୟତା କମିଟି ତରଫରୁ ରିମାଣ୍ଡ ଆଡଭୋକେଟ୍ କମଳାକାନ୍ତ ମହାନ୍ତି ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଅଙ୍ଗନବାଡି କେନ୍ଦ୍ର, ଆଶା କର୍ମୀ ବହୁ ମହିଳା ଯୋଗ ଦେଇଥିଲେ । ଆଇନ୍ ସହାୟତା କମିଟିର ସନତ କୁମାର ସେଠୀ ଓ ବିଚାର ବିଭାଗୀୟ କର୍ମଚାରୀମାନେ ସହଯୋଗ କରିଥିଲେ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧ)