
ବାରିପଦା(କ:ବ୍ଯୁ) ତା୨୍୩/୧୨/୨୫ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ସାନ୍ତାଳୀ ବିଭାଗ ଦ୍ଵାରା ଆୟୋଜିତ ଏକ ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ର ଉଦ୍ଘାଟିତ ହୋଇଯାଇଛି । ଓଲ୍ ଚିକି ଲିପି ଉଦ୍ଭାବନର ଶତବାର୍ଷିକୀ ପାଳନ ଅବସରରେ ଭାରତ ସରକାରଙ୍କ ପି.ଏମ୍ ଉଷା କାର୍ଯ୍ୟକ୍ରମ ପ୍ରାୟୋଜିତ “ଓଲ୍ ଚିକି- ପୂର୍ବେ ଓ ଏବେ: ପରିବର୍ତ୍ତନଶୀଳ ବିଶ୍ୱରେ ଓଲ୍ ଚିକି ଲିପି- ଆହ୍ୱାନ ଏବଂ ସମ୍ଭାବନା” ଶୀର୍ଷକ ଏହି ଜାତୀୟ ଆଲୋଚନାଚକ୍ରକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ଉଦ୍ଘାଟନ କରି ନିଜ ବକ୍ତବ୍ୟରେ ଓଲ୍ ଚିକି ଲିପିର ଶତବର୍ଷ ଉତ୍ସବ ଆଦିବାସୀ ଭାଷା ଓ ସଂସ୍କୃତିର ସଂରକ୍ଷଣରେ ଏକ ଐତିହାସିକ ଘଟଣା ଏବଂ ଆମର ବିଶ୍ୱବିଦ୍ୟାଳୟ ଏହାର ଉତ୍ସବ ଆୟୋଜନ କରି ସାନ୍ତାଳୀ ସମାଜର ଗର୍ବକୁ ସମ୍ମାନ ଜଣାଇଛି ଏବଂ ଏହା ଭାରତର ବିବିଧତାକୁ ପ୍ରତିଫଳିତ କରି ରାଷ୍ଟ୍ରୀୟ ଏକତାକୁ ସଶକ୍ତ କରିବ ବୋଲି କହିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ସହଯୋଗୀ ପ୍ରଫେସର ଡକ୍ଟର ନାକୁ ହାଁସଦା ମୁଖ୍ୟ ବକ୍ତା ଭାବେ ଯୋଗଦେଇ କହିଥିଲେ ଯେ ଓଲ୍ ଚିକି ଲିପି ସାନ୍ତାଳୀ ଭାଷା ଓ ସଂସ୍କୃତିର ଅସ୍ତିତ୍ୱର ପ୍ରତୀକ ଏବଂ ଏହାର ଶତବର୍ଷ ଉତ୍ସବ ସାନ୍ତାଳୀ ସମାଜର ଗର୍ବର ବିଷୟ, ଆଧୁନିକ ଡିଜିଟାଲ୍ ଯୁଗରେ ଏହାର ବ୍ୟବହାର ବଢ଼ାଇବା ପାଇଁ ଆମେ ନୂଆ ପ୍ରଯୁକ୍ତି ଓ ଶିକ୍ଷା ମାଧ୍ୟମରେ ଏହାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ । ଓଲ୍ ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ନାତି ଶ୍ରୀ ଚୁନିୟାନ୍ ରଘୁ ମୁର୍ମୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ତାଙ୍କ ପିତାମହ ପଣ୍ଡିତ ରଘୁନାଥ ମୁର୍ମୁ ଓଲ୍ ଚିକି ଲିପି ସୃଷ୍ଟି କରି ସାନ୍ତାଳୀ ସମାଜକୁ ଏକ ନିଜସ୍ୱ ଲିପି ଦେଇଥିଲେ ଏବଂ ଏହାର ଶତବର୍ଷ ଉତ୍ସବ ସାନ୍ତାଳୀ ଭାଷାର ବିକାଶରେ ଏକ ମାଇଲଖୁଣ୍ଟ । ଆମକୁ ଏହାକୁ ସଂରକ୍ଷଣ କରି ନୂଆ ପିଢ଼ିକୁ ହସ୍ତାନ୍ତର କରିବାକୁ ହେବ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର କମଳ ଲୋଚନ ବାରିକ ନିଜ ବକ୍ତବ୍ୟରେ ଏହି ଆଲୋଚନାଚକ୍ର ସାନ୍ତାଳୀ ଭାଷା ଓ ଲିପିର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ଉନ୍ନତିରେ ଯୋଗଦାନ କରିବ ବୋଲି କହିଥିଲେ । ବିଶ୍ୱବିଦ୍ୟାଳୟ ପି.ଏମ୍ ଉଷା କାର୍ଯ୍ୟକ୍ରମର ନୋଡାଲ୍ ଅଧିକାରୀ ପ୍ରଫେସର ଇନ୍ଦ୍ରଜିତ ନାଏକ ବିଶ୍ୱବିଦ୍ୟାଳୟରେ ଏଭଳି କାର୍ଯ୍ୟକ୍ରମ ଆଦିବାସୀ ଭାଷା ଓ ସଂସ୍କୃତିର ସଂରକ୍ଷଣରେ ସହାୟକ ହେବ ଏବଂ ଏହା ରାଷ୍ଟ୍ରୀୟ ଶିକ୍ଷା ନୀତିର ଲକ୍ଷ୍ୟ ସହ ସଂଗତିପୂର୍ଣ୍ଣ ବୋଲି କହିଥିଲେ । ଆଲୋଚନାଚକ୍ରର ଆବାହକ ତଥା ବିଭାଗୀୟ ସଂଯୋଜକ ଡ. ଯତୀନ୍ଦ୍ର ନାଥ ବେଶ୍ରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ଅଧ୍ୟାପିକା ବିଷ୍ଣୁପ୍ରିୟା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦ୍ୱିଦିବସୀୟ ଜାତୀୟ ଆଲୋଚନାଚକ୍ରରେ ପଦ୍ମଶ୍ରୀ ବିଜେତା ଡ. ଦମୟନ୍ତୀ ବେଶ୍ରା, ବିଦ୍ୟାସାଗର ବିଶ୍ୱବିଦ୍ୟାଳୟର ଅବରରପ୍ରାପ୍ତ ପ୍ରଫେସର ଡ. ରତନ ହେମ୍ବ୍ରମ୍, ସହକାରୀ ପ୍ରଫେସର ଡ. ଖୁଦିରାମ ମୁର୍ମୁ, ଏମ୍ପିସି ଅଟୋନମସ କଲେଜର ସହକାରୀ ପ୍ରଫେସର ଡ. ଲକ୍ଷ୍ମଣ ବାସ୍କେ, ଭୁବନେଶ୍ୱର କିସ୍ର ଏକାଡେମିକ୍ ନିର୍ଦ୍ଦେଶକ ଡା. କାଡେ ସୋରେନ, ସିଧୋ କାହ୍ନୋ ବିର୍ସା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ପାଲ୍ଟନ ମୁର୍ମୁ, ଶାନ୍ତିନିକେତନ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ରାମୁ ହେମ୍ବ୍ରମ୍, ସାନ୍ତାଳୀ ୱିକିପେଡ଼ିଆର ଏଡ୍ମିନ୍ ଶ୍ରୀ ଆର୍. ଅଶ୍ୱିନ୍ ବଞ୍ଜମ୍ ମୁର୍ମୁ, ପଶ୍ଚିମବଙ୍ଗ ବେଲଦା କଲେଜର ସହକାରୀ ପ୍ରଫେସର ଡ. ଶ୍ୟାମ ମୁର୍ମୁ, ବାଙ୍କୁରା ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ଅଞ୍ଜନ କର୍ମକାର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ମାନେ ଯୋଗଦାନ କରିଥିଲେ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)