ନୟାଗଡ : ଏକତରଫା ପ୍ରେମର କରୁଣ ପରିଣତି । ନାବାଳିକା ପ୍ରେମିକାକୁ ପିଟି ହତ୍ଯା କରିବା ପରେ ଜବରଦସ୍ତ ବିଷ ପିଆଇ ନିଜେ ବିଷ ପିଇଲା ପ୍ରେମିକ । ଶରଣକୂଳ ଥାନା ମଗରବନ୍ଧ ଗାଁର ଘଟଣା । ନାବାଳିକା ମୃତ । ପ୍ରେମିକ ପୂର୍ଣ୍ଣ ନାୟକ ଗୁରୁତର ଅବସ୍ଥାରେ ନୟାଗଡ ଏବଂ ପରେ ଭୂବନେଶ୍ବର ସ୍ଥାନାନ୍ତର । ମଗରବନ୍ଧ ଗାଁର ଗୋଲେଖ ନାୟକଙ୍କ ପୁଅ ପୂର୍ଣ୍ଣ ଗତ ୨ବର୍ଷ ହେଲା ନିଜ ଗାଁର ଜଣେ ନାବାଳିକାକୁ ଏକତରଫା ପ୍ରେମ କରୁଥିଲେ । ଏନେଇ ନାବାଳିକାର ପରିବାର ଲୋକେ ପୂର୍ଣ୍ଣର ବାପାମାଆଙ୍କୁ ଜଣାଇଥିଲେ ମଧ୍ଯ ପରିବାର ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ଏପରିକି ନାବାଳିକାଜଣକ ସ୍କୁଲ୍ ଏବଂ ଟ୍ୟୁସନ୍ ଯିବା ସମୟରେ ପୂର୍ଣ୍ଣ ବାରମ୍ବାର ତାକୁ ଅସଦାଚରଣ କରୁଥିଲେ ବୋଲି ନାବାଳିକାର ବାପା କହିଛନ୍ତି । ଆଜି ନାବାଳିକାଜଣକ ଟ୍ୟୁସନ ଯାଉଥିବା ସମୟରେ ବିନାୟକପୁର ଶିବ ମନ୍ଦିର ନିକଟରେ ପୂର୍ଣ୍ଣ ପ୍ରଥମେ ନାବାଳିକାର ମୁଣ୍ଡକୁ ଏକ ପାଇପରେ ପିଟିଦେବା ପରେ ଜବରଦସ୍ତ ତାକୁ ବିଷ ପିଆଇଦେଇଥିଲେ । ପରେ ପୂର୍ଣ୍ଣ ନିଜେ ମଧ୍ଯ ବିଷ ପିଇଦେଇଥିଲେ । ସ୍ଥାନୀୟଯୁବକମାନେ ଉଭୟଙ୍କୁ ନୟାଗଡ ମେଡିକାଲ ଆଣିବାପରେ ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଥିଲେ । ଘଟଣା ଜଣାପଡିବା ପରେ ନୟାଗଡ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଥିଲା । ପୂର୍ଣ୍ଣକୁ ଗୁରୁତର ଅବସ୍ଥାରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଛି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ