“ଉଦଳା ଠାରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ’

ବାରିପଦା-ଉଦଳା ତା. ୧୩/୧୧/୨୫ ସାଇବର ଠକେଇରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଅକ୍ଟୋବର ମାସ ୧୮ ତାରିଖରୁ ନଭେମ୍ବର ମାସ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ସାଇବର ସୁରକ୍ଷା ସଚେତନତା ଅଭିଯାନ – ୨୦୨୫ ଚାଲୁ ରହିଥିବା ପରିପ୍ରେକ୍ଷୀରେ ଆଜି ଉଦଳା ଥାନା ପକ୍ଷରୁ ଉକ୍ତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉଦଳା ମହାବିଦ୍ୟାଳୟ, ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ, ସାଇସାଧନା ବିଜ୍ଞାନ ମହାବିଦ୍ୟାଳୟ, ରାଢୋ ମହାବିଦ୍ୟାଳୟ, କୁଣ୍ଡାବାଇ ମହାବିଦ୍ୟାଳୟ ଆଦିର ଛାତ୍ରଛାତ୍ରୀ, ଓଡିଶା ସରକାରଙ୍କ ପ୍ରେରିତ ସାଇବର ସୁରକ୍ଷା ସଚେତନତା ରଥ ସହିତ ଉଦଳା ଥାନା ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସଚେତନତା ସ୍ଲୋଗାନ ମାଧ୍ୟମରେ ସହର ପରିକ୍ରମାକରି ଉଦଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ମଞ୍ଚ ନିକଟରେ ପହଞ୍ôଚବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭରେ ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୁଷ୍ପ ଓ ଧୂପ ଅର୍ପଣ କରିଥିଲେ । ଉକ୍ତ ସଭାରେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ, ଏଡିସନାଲ ଏସପି ସବିତା ମାଝୀ ଏବଂ ଦୀପକ ଗୋଚ୍ଛାୟତ, ଡିଏସପି ବାରିପଦା ଅଜୟ ବାରିକ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ବିଇଓ ଉଦଳା ଦୀପକ ମିଶ୍ର ଉପରୋକ୍ତ ସମସ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷ ଅତିଥି ଭାବେ ଯୋଗ ଦେବା ସହିତ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ । ସମସ୍ତ ଅତିଥି ନିଜ ବକ୍ତବ୍ୟ ମାଧ୍ୟମରେ ସାଇବର ସଚେତନତା ବାର୍ତ୍ତା ପ୍ରେରଣ କରିଥିବା ବେଳେ ଉଦଳା ଥାନାର ଭାରପ୍ରାପ୍ତ ଅଧିକାରୀ ବନମାଳୀ ବାରିକ ଏବଂ ସାଇବର ରଥ ସଂଯୋଜକ ସୁଶାନ୍ତ କୁମାର ବେହେରା ବହୁ ସାରଗର୍ଭକ ବକ୍ତବ୍ୟ ରଖିଥିଲେ । ସାଇବର ଠକମାନେ ସେମାନଙ୍କର କୁଟିଳ ବୁଦ୍ଧି ପ୍ରୟୋଗ କରି ଅଭିନବ ଉପାୟ ଅବଲମ୍ବନ ମାଧ୍ୟମରେ ଆର୍ଶ୍ଚ୍ୟଜନକ ଭାବେ ଜନସାଧାରଣଙ୍କୁ ତାଙ୍କର ଶିକାର ବନାଇ କୋଟି କୋଟି ଟଙ୍କା ଆତ୍ମସାତ କରବିା ସହିତ ଲୋକଙ୍କୁ କାଙ୍ଗାଳ କରୁଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ଲୋଭ, ଭୟ ଏବଂ ଦାୟିତ୍ୱହୀନତା । ତେଣୁ ଏଥିରୁ ନିବୃତ ହୋଇ ସତର୍କତା ଆପଣାଇବାକୁ ପରାମର୍ଶ ଦିଆଯାଇଥିଲା । ବର୍ତ୍ତାମନର ସାଇବର ଠକେଇ ମଧ୍ୟରେ ମୁଖ୍ୟତଃ ଡିଜିଟାଲ ଆରେଷ୍ଟ, ନିବେଶ ଏବଂ ଟ୍ରେଡିଂ, ପାର୍ସଲ କଷ୍ଟମ୍ସ, ସେକ୍ସଟୋର୍ସନ ଫାନ୍ଦ, ନକଲି ଋଣ/ ତତ୍କାଳ କ୍ରେଡିଟ୍ ଆପ, ନକଲି ପରିଚୟ ଏବଂ ଓଟିପି, ଚାକିରୀ ଏବଂ ଘରୁ କାମ କରିବା, ଇକମର୍ସ ରିଫଣ୍ଡ/ଅଫର ଆଦି ଠକେଇ ତେଣୁ ଏଥିରୁ ସୁରକ୍ଷା ପାଇବା ପାଇଁ ସତର୍କ ରହି ମୋବାଇଲ୍ କ୍ଲିକ୍ କରିବା ପୂର୍ବରୁ ସତର୍କତା, ଡିଭାଇସକୁ ସୁରକ୍ଷିତ ରଖିବା, ସୁରକ୍ଷିତ ବ୍ୟାଙ୍କିଂ ଅଭ୍ୟାସ, ସୋସିଆଲ ମିଡିଆରେ ସତର୍କତା, କଲ ଏବଂ ମେସେଜ ସଚେତନତା, ଅନଲାଇନ ସପିଙ୍ଗ୍ ଆଦି ଉପରେ ସତର୍କତା ଅବଲମ୍ବନ କରନ୍ତୁ । ଏଥିନିମନ୍ତେ ଜନ ସଚେତନତା କେବଳ ପୋଲିସ୍ ବିଭାଗ ଦ୍ୱାରା ସମ୍ଭବ ନୁହେଁ ବରଂ ସମସ୍ତଙ୍କର ସହଭାଗିତାରେ ଏହାର ସଫଳ ମୁକାବିଲା କରାଯାଇପାରିବ । କୌଣସି ପରିସ୍ଥିତିରେ ସଇବର ଠକେଇର ଶିକାର ହେଲେ ତୁରନ୍ତ ୧୯୩୦ ନମ୍ବରକୁ ଫୋନ କରନ୍ତୁ କିମ୍ବା ସାଇବର କ୍ରାଇମ ପୋର୍ଟାଲ୍‌ରେ ରିପୋର୍ଟ କରିବା ଏବଂ ସାଇବର ଥାନାର ପରାମର୍ଶ ନେବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା । ଉଦଳା ମହାବିଦ୍ୟାଳୟର ଅଧ୍ୟାପକ ସୌମେନ୍ଦ୍ର ଦାଶ ମଞ୍ଚ ପରିଚାଳନା କରିଥିଲେ । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ଉଦଳା ଥାନାର ଭାରପ୍ରାପ୍ତ ନିରୀକ୍ଷକ ବନମାଳୀ ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ଉଦଳା ଥାନାର ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନଙ୍କ ଠାରୁ ପ୍ରକାଶ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *