ନୟାଗଡ : ଡକାୟତଙ୍କ ବୋମାମାଡରେ ୩ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି । ଜଣେ ଡକାୟତକୁ ଧରି ଉତ୍ତମମଧ୍ଯମ ଦେଲେ ଗ୍ରାମବାସୀ । ଡକାୟତଜଣକ ମଧ୍ଯ ମେଡିକାଲରେ ଭର୍ତ୍ତି ହୋଇଛି । ନୟାଗଡ ଟାଉନ ଥାନା ଶୁଳିଆ ଗାଁରେ ବିଳମ୍ବିତ ରାତିରେ ଘଟିଛି ଘଟଣା । ଶୁଳିଆ ଗାଁରେ ରାସ୍ତା କାମ ଚାଲୁଥିବାରୁ ଦୁଇଜଣ ଯୁବକ ସିମେଣ୍ଟ ଜଗିବାକୁ ରାସ୍ତା ପାଖରେ ରହିଥିଲେ । ୬ଜଣ ଲୋକ ରାତି ପ୍ରାୟ ସାଢେବାରଟା ସମୟରେ ଶୁଳିଆ ଗାଁ ନିକଟରେ ବିଭିନ୍ନ ମାରଣାସ୍ତ୍ର ଧରି ବୁଲୁଥିବା ଦେଖି ଯୁବକ ଦୁଇଜଣ ଗାଁ ଲୋକଙ୍କୁ ଡାକିଥିଲେ । ଗ୍ରାମବାସୀମାନେ ପଳାଇଆସିବା ଦେଖି ଦୁର୍ବୃତ୍ତମାନେ ଗ୍ରାମବାସୀଙ୍କ ଉପରକୁ ୩ଟି ବୋମା ଫୋପାଡିଦେଇଥିଲେ । ବୋମାମାଡରେ ଗାଁର ଉପେନ୍ଦ୍ର ଖଟେଇ , ସୁମନ୍ତ ବାରିକ ଏବଂ ଶତୃଘ୍ନ ବାରିକ ଗୁରୁତର ଆହତ ହୋଇ ନୟାଗଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ୪ଜଣ ଦୁର୍ବୃତ୍ତ ବୋମାମାଡ କରି ଫେରାର୍ ହୋଇଯାଇଥିବାବେଳେ କଇଥଗାଡିଆ ଗ୍ରାମର ଅକୃର ପ୍ରଧାନକୁ ଧରି ଗ୍ରାମବାସୀ ଉତ୍ତମମଧ୍ଯମ ଦେଇଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳକୁ ଯାଇ ଅକୃରକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଅକୃରକୁ ପୋଲିସ ଜିଲ୍ଲା ମୂଖ୍ଯ ଚିକିତ୍ସାଳୟକୁ ଆଣିବା ପରେ ସେଠାରେ ମଧ୍ଯ ଉତ୍ତେଜନା ଦେଖାଦେଇଥିଲା । ଆହତଙ୍କ ସମ୍ପର୍କୀୟମାନେ ଅକୃରକୁ ମେଡିକାଲରେ ମଧ୍ଯ ପ୍ରବଳ ମାଡ ମାରିଥିଲେ । ଦୁର୍ବୃତ୍ତମାନେ ଡକାୟତୀ କରିବା ପାଇଁ ଯାଇଥିବା ଶୂଳିଆ ଗ୍ରାମବାସୀ କହୁଥିବାବେଳେ କାଠ ଚୋରି କରିବାକୁ ଯାଇଥିଲେ ବୋଲି ଧରାପଡିଥିବା ଅକୃର କହିଛି । ଖସିଯାଇଥିବା ସମସ୍ତ ଲୋକ କଇଥଗାଡିଆ ଗ୍ରାମର ବୋଲି ଅକୃର କହିଛି । ଗ୍ରାମବାସୀ ଜବତ କରିଥିବା ଡକାୟତଙ୍କ ଦୁଇଟି ବାଇକ୍ କୁ ପୋଲିସ ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ