
ବାରିପଦା,ଉଦଳା(କ:ବ୍ଯୁ) ତା୦୭/୦୯ – ଉଦଳା ଭାଗବତ ଟୁଙ୍ଗୀର ଆଜି ବାର୍ଷିକ ଉତ୍ସବ ଉଦଳା ବରିଷ୍ଠ ନାଗରିକ ସଂଘ ସଭାଗୃହରେ ପାଳିତ ହୋଇଯାଇଅଛି । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ପ୍ରଥମେ ପୂଜାର୍ଚ୍ଚନା ଓ ହୋମଯଜ୍ଞ କରାଯାଇଥିଲା । ଭାଗବତ ଟୁଙ୍ଗୀର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ସଭାକାର୍ଯ୍ୟକ୍ରମର ପ୍ରାରମ୍ଭରେ ସହସମ୍ପାଦକ କାଶୀନାଥ ଦାସ ଅତିଥିମାନଙ୍କୁ ମଞ୍ଚକୁ ଆହ୍ୱାନ କରିବା ସହିତ ସମସ୍ତଙ୍କର ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସଭା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବେ ଉଦଳା ବିଧାୟକ ଭାସ୍କର ମଢ଼େଇ ପ୍ରଦୀପ ପ୍ରଜ୍ୱଳନ କରି ଉତ୍ସବକୁ ଉଦଘାଟନ କରିଥିଲେ । ଅବକ୍ଷୟ ମୁଖୀ ଯୁବ ସମାଜକୁ ଓଡ଼ିଶାର ଅସ୍ମିତା, ବାର୍ଦ୍ଧକ୍ୟ ସମୟରେ ବୟସ୍କମାନଙ୍କର ଧାର୍ମିକ ଚେତନା ଓ ସର୍ବପରି ଉଦଳା ଏନ.ଏ.ସି.କୁ ପୌରପାଳିକା ଭାବରେ ପରିଗଣିତ କରିବା ପାଇଁ ଦୃଢ଼ ମତ ବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱନକ୍ଷତ୍ର ଦିବସରେ ଅତିଥି ଭାବେ ଉଦଳା ନଗରପାଳିକା ପ୍ରମିଳା ପଣ୍ଡା, ମୁଖ୍ୟ ବକ୍ତା ଭାବେ ସାହିତ୍ୟିକ ସମାଜ ସେବୀ ଓ ଐତିହାସିକ ଭାବେ ଜଣାଶୁଣା ତଥା ମୟୂରଭଞ୍ଜ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ସମ୍ପାଦକ ଡ଼. ଶ୍ୟାମସୁନ୍ଦର ଦାଶ, ଉଦଳା ଚିନ୍ମୟ ମିଶନର ଅଧ୍ୟକ୍ଷ ବ୍ରହ୍ମଚାରୀ ଅଚ୍ୟୁତ ଚୈତନ୍ୟ, ସଭାପତି ବରିଷ୍ଠ ନାଗରିକ ମଞ୍ଚ, ବାରିପଦା ପ୍ରଫେସର ପ୍ରଦୀପ୍ତ କିଶୋର ପଣ୍ଡା ଓ ଉଦଳା ବରିଷ୍ଠ ନାଗରିକ ମଞ୍ଚର ଉପସଭାପତି ଡ଼. ସଚ୍ଚିଦାନନ୍ଦ ପରିଡ଼ା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଭାଗବତ ଟୁଙ୍ଗୀର ସମ୍ପାଦକ ଉପେନ୍ଦ୍ରନାଥ ପୁହାଣ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପଦେଷ୍ଟା ନରେନ୍ଦ୍ର ମୋହନ ଜେନା ବିବରଣୀକୁ ସମର୍ଥନ ପୂର୍ବକ ନିଜର ବକ୍ତବ୍ୟ ରଖିଥିଲେ । ଭାଗବତ ଟୁଙ୍ଗୀର ସ୍ୱ-ନକ୍ଷେତ୍ର ଦିବସର ସ୍ମାରକୀ ପାଇଁ ମଞ୍ଚାସୀନ ଅତିଥି ମାନଙ୍କୁ ଉପହାର ପ୍ରଦାନ କରାଯାଇଥିବା ବେଳେ ଉଦଳା ସଂଲଗ୍ନ ବିଭିନ୍ନ ଭାଗବତ ଟୁଙ୍ଗୀର କର୍ମକର୍ତ୍ତା ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଭାଗବତ ଟୁଙ୍ଗୀର ପ୍ରାଣପ୍ରତିଷ୍ଠାତା, ଉଦଯୋଗୀ ବ୍ୟକ୍ତି ବିଶେଷ ଶଯ୍ୟାଶାଇ ଥିବା ବରିଷ୍ଠ ନାଗରିକ ମଞ୍ଚାର ଆଜୀବନ ସଭାପତି ଜୟଚନ୍ଦ୍ର ପତ୍ରୀଙ୍କୁ ସ୍ମାରକୀ ପ୍ରଦାନ କରାଯାଇଥିଲା । ଏଥି ସହିତ ବର୍ଷ ତମାମ ଶ୍ରୋତାମଣ୍ଡଳୀ ମଧ୍ୟରୁ ବିରିଷ୍ଠ ଶ୍ରୋତା ପ୍ରଫୁଲ୍ଲ ଚନ୍ଦ୍ର ବାରିକଙ୍କୁ ଶ୍ରେଷ୍ଠ ଶ୍ରୋତା ଭାବେ ସମ୍ମାନିତ କରାଯାଇଥିଲା । ସର୍ବଶେଷରେ ଟୁଙ୍ଗୀର ଉପସଭାପତି ଭଗବାନ ଆରୁଖ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଟୁଙ୍ଗୀର ସମସ୍ତ ସଦସ୍ୟ, ଉପଦେଷ୍ଟା ତଥା ବରିଷ୍ଠ ନାଗରିକ ସଂଘର ସମସ୍ତ ସଦସ୍ୟ/ସଦସ୍ୟା ଉପସ୍ଥିତ ରହି ସକ୍ରୀୟ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)