
ନଡ଼ିଆ ଆମ୍ଭର ଦେଶେ ଶୁଭ ଫଳ
ଜାଣିଥିବ ପିଲାମାନେ,
ନଡ଼ିଆର ଗୁଣ – ଗାରିମା କହୁଛି
ଶୁଣ ଏବେ ମନ-ଧ୍ୟାନେ ।
ଶ୍ରୀପଞ୍ଚମୀ ଆଉ ଶ୍ରୀଗଣେଶ ପୂଜା
ବିଧିରେ ନଡ଼ିଆ ପିଟା,
ମାଆ ତାରିଣୀ ଯେ’ ନଡ଼ିଆରେ ପ୍ରୀତ
ମାନସିକେ ସର୍ବ-ଜିତା ।
ଗୁଆ ନଡ଼ିଆର ସମ୍ମୋହନ ଗୁଣ
ଧର୍ମ ମିତ୍ରତା ବନ୍ଧନ,
ଦାସିଆ ବାଉରି ହସ୍ତୁ ମହାପ୍ରଭୁ
ନଡ଼ିଆଟି ନେଲେ ଜାଣ ।
ନଡ଼ିଆ-କତାରେ ବାନ୍ଧୁଣି ଦଉଡ଼ି
ଗଦି କାରଖାନା ଲାଭ,
ସକଳ ମଙ୍ଗଳ କର୍ମରେ ବିଧାନ
ନଡ଼ିଆ ସଂସ୍କୃତି ଶୁଭ ।
କ୍ଷୀର ଦହି ଗୁଡ଼ କଦଳୀ ନଡ଼ିଆ
ଭୋଗ-ଅର୍ଘ୍ଯ ସମର୍ପଣ,
ଦେବ-ଦେବୀଙ୍କର ପ୍ରଥମ ନୈବେଦ୍ୟ
ପର୍ବ-ପର୍ବାଣି ଶୋଭନ ।
ମଙ୍ଗଳ କର୍ମରେ କଳସ ଉପରେ
ପଇଡ଼ଟି ଥୁଆ ଆଗ,
ଘର କି ମନ୍ଦିର ଦୁଆର ଆଗରେ
ସୁଶୋଭନେ ଦିଶେ ବାଗ ।
ପଇଡ଼ର ଜଳ ଆହାଃ କି ମଧୁର
ପେଟ-ରୋଗ କରେ ନାଶ,
ନଡ଼ିଆ ପତ୍ରରେ କେତେ ଯେ’ ଆସନ
ଆମ୍ଭର ଯେ’ ବସବାସ ।
ନଡ଼ିଆ କଞ୍ଚିରେ ଝାଡ଼ୁ – ପହଁରାରେ
ସଫାକରୁ ଦାଣ୍ଡ-ଘାଟ,
ସେହି କଞ୍ଚିରେ ବି ଖଇଞ୍ଚି – ପୋଳୁହ
ମାଛ ଧରିବାର ବାଟ ।
ନଡ଼ିଆର ତେଲ ଶରୀର ଚିକ୍କଣ
ରଖିଥାଏ ସଦାକାଳେ,
କାକରା କି ମଣ୍ଡା ଅବା ପିଠା-ପଣା
ନଡ଼ିଆ ତ ଖୋଜା ଭଲେ ।
ଆହୁରି ଅନେକ ନଡ଼ିଆର ଗୁଣ
ଏବେ ପାଠ ପଢ଼ି ଜାଣ,
ଆସନ୍ତୁ କରିବା ନଡ଼ିଆ ବଗିଚା
ହେବା ପାଇଁ ଲାଭବାନ ।