
ବାରିପଦା(କ:ବ୍ଯୁ) ତା୦୨-୦୮-୨୦୨୫ରିଖ ପି ଏମ କିସାନ ସମ୍ମାନନିଧିର ୬ବର୍ଷ ପୂର୍ତ୍ତି ଅବସରରେ ଆଜି ଉତ୍ତର ପ୍ରଦେଶର ବାରଣାସୀ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ପି ଏମ କିଷାନ ସମ୍ମାନ ସମାରୋହ କୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ପି ଏମ କିଷାନ ଯୋଜନାର ୨୦ତମ କିସ୍ତିକୁ ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ଆଭାସୀ ମାଧ୍ୟମରେ ପ୍ରଦାନ କରିଛନ୍ତି। ଏହି କୃଷକ କଲ୍ୟାଣ ଯୋଜନା ଯାହାକି କୃଷକ ମାନଙ୍କ ଅର୍ଥନୈତିକ ଉନ୍ନତି ନିମିତ୍ତ ୨୦୧୯ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା ଯେଉଁ ଯୋଜନା ରେ ଚାଷୀଙ୍କୁ ଗୋଟିଏ ବର୍ଷରେ ୩ଟି କିସ୍ତି ରେ ୨୦୦୦ ହଜାର ଟଙ୍କା ଲେଖାଏଁ ମୋଟ ୬୦୦୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ।
ଏହି ଅବସରରେ ଆଜି ସ୍ଥାନୀୟ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ପରିସରସ୍ଥିତ ଆନେକ୍ସ ହଲ୍ଲ ଠାରେ ଜିଲ୍ଲା କୃଷି ଓ କୃଷକ ସଶକ୍ତି କରଣ ବିଭାଗ ତରଫରୁ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଜିଲ୍ଲାପାଳ ଶ୍ରୀ ହେମ କାନ୍ତ ସୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାଧାରଣ ଉଦ୍ୟୋଗ ବିଭାଗ, ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ଉଦଳା ଶ୍ରୀ ଭାସ୍କର ମଢେଇ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଯୋଗ ଦେଇଥିଲେ। ସମସ୍ତ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥ ଙ୍କ ଶ୍ରୀଚରଣରେ ପୁଷ୍ପ ଅର୍ଘ୍ୟ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ଶ୍ୟାମାଖୁଣ୍ଟା କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀମତୀ ସଙ୍ଘମିତ୍ରା ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସହ ଏହି ଯୋଜନା ସମ୍ଭନ୍ଧ ରେ ତାଙ୍କର ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଡ. ମହାପାତ୍ର କହିଥିଲେ ଯେ ଆଜି ଦେଶର ପାଖାପାଖି ୯ କୋଟି ୭୦ ଲକ୍ଷ ଚାଷୀ ଭାଇ ଭଉଣୀଙ୍କ ବ୍ୟାଙ୍କ ଖାତାକୁ ୨୦୦୦ ଟଙ୍କା ଲେଖାଏଁ କୃଷକ ସହାୟତା ରାଶି ପ୍ରଧାନ ମନ୍ତ୍ରୀଙ୍କ ଦ୍ୱାରା ବ୍ୟାଙ୍କ ଖାତା ଜରିଆରେ ହସ୍ତାନ୍ତର କରାଯାଇଛି। ଏହି କ୍ରମରେ ଆମ ରାଜ୍ୟର ପାଖାପାଖି ୩୫ ଲକ୍ଷ ହଜାର ଚାଷୀ ଭାଇ ଭଉଣୀ ଉପକୃତ ହୋଇଥିବାବେଳେ ମୟୂରରଭଞ୍ଜ ଜିଲ୍ଲାର ୨,୪୨, ୧୧୫ ଜଣ ଚାଷୀ ଉପକୃତ ହୋଇଛନ୍ତି। ଏହି ଯୋଜନା ମାଧ୍ୟମରେ ଆମ ଦେଶର ସାଧାରଣ ଚାଷୀ ମାନେ ଏହି ସହାୟତା ରାଶିକୁ ଉପଯୋଗ କରି ଚାଷ କାର୍ଯ୍ୟ ସମୟରେ ସମ୍ମୁଖୀନ ହେଉଥିବା ଆର୍ଥିକ ଅସୁବିଧାକୁ କିଛି ମାତ୍ରାରେ ଦୂର କରିପାରୁଛନ୍ତି। ଏହି ଯୋଜନା ବ୍ୟତୀତ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆହୁରି ମଧ୍ୟ ଅନେକ ଯୋଜନା ରହିଛି ଯାହା ଦ୍ୱାରା ଚାଷୀମାନେ ଉପକୃତ ହେଉଛନ୍ତି।
ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ବୃନ୍ଦ ମଧ୍ୟ ଉକ୍ତ ଯୋଜନାର ବିଭିନ୍ନ ଦିଗ ଉପରେ ନିଜ ନିଜ ସୁଚିନ୍ତିତ ମତାମତ ବ୍ୟକ୍ତ କରିଥିଲେ।
ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜ୍ଞାନ ବଲ୍ଲଭ ଦାସଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଟଙ୍କଧର କାଲୋ, ଯଶିପୁର କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ
ଦୀପକ କୁମାର ମହାନ୍ତି ଯୋଗ ଦେଇଥିବା ବେଳେ ସହକାରୀ କୃଷି ନିର୍ଦ୍ଦେଶିକା ମଧୁସ୍ମିତା ଜେନା,ସହକାରୀ କୃଷି ଅଧିକାରୀ ରମ୍ୟ ରଞ୍ଜନ ମହାନ୍ତ, ଅର୍ଚ୍ଚନା ବଳା ଏବଂ କାର୍ଯ୍ୟାଳୟ ର ତୁଷାର କାନ୍ତ ମହାନ୍ତି, ମାନସ ରଞ୍ଜନ ମହାନ୍ତି,ଥ ସରୋଜ ଦାସ, ରାଜାରାମ ସାହୁଓ ଭାଗ୍ୟଶ୍ରୀ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥି ଲେ।
କାର୍ଯ୍ୟକ୍ରମ ରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କୃଷି ବିଭାଗର ବିଭାଗୀୟ ଅଧିକାରୀ ଙ୍କ ସମେତ ବିଭିନ୍ନ ବ୍ଲକର ଶତାଧିକ ଚାଷୀ ଯୋଗ ଦେଇଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)