
ଶୁଭିଲାଣି ଶୁଭଶଙ୍ଖ ବିଜୟ ଖବର
ରାହୁ-କେତୁ ଗଲେ ଚାଲି କହଇ ଡଗର
ରାଜା ଏବେ ନରପତି ଉଚ୍ଛୁଳେ ନଗର
ପତିତପାବନ ବାନା ଉଡ଼େ ଫରଫର ।
ରାଜ୍ୟର ଶାସକ ଏବେ ରାମ ଅବତାର
ପାତର-ଅନ୍ତର ନାହିଁ ସତ୍ଯ ସଦାଚାର
ସର୍ବେ ଏଠି ଭ୍ରାତା-ଭଗ୍ନୀ ନାହିଁ ଅତ୍ଯାଚାର
ପତିତପାବନ ବାନା ଉଡ଼େ ଫରଫର ।
ସଭ୍ୟତାର ରାଜପଥ ଶାନ୍ତି ଦରବାର
ସ୍ନେହ ପ୍ରେମ ମମତାର ଆମରି ସଂସାର
ମାନବ ନାହାଁନ୍ତି କିନ୍ତୁ ଶୃଗାଳ ଚିତ୍କାର
ପତିତପାବନ ବାନା ଉଡ଼େ ଫରଫର ।
ପ୍ରଗତିର ନନ୍ଦିଘୋଷ ଗଡ଼େ ନିରନ୍ତର
ବିଶ୍ରାମ ନିଅନ୍ତି ଅଶ୍ବ ଟାଣନ୍ତି କୁକୁର
ହସୁଛି ଦୁନିଆ ଆଜି ନାହିଁ ତିଳେ ଡର
ପତିତପାବନ ବାନା ଉଡ଼େ ଫରଫର ।
ସତ୍ଯ ଶାନ୍ତି ଦୟା କ୍ଷମା ଅହିଂସା ଜୁଆର
ପ୍ଳାବିତ ଏ ବେଳାଭୂମି ଉଚ୍ଛୁଳା ସାଗର
ଦୀନ ହୀନ ଅସହାୟ ଜୀବନ ବେକାର
ପତିତପାବନ ବାନା ଉଡ଼େ ଫରଫର ।
ସ୍ବାର୍ଥଯଜ୍ଞ ପୂର୍ଣ୍ଣାହୁତି ସର୍ବେ ନିଷ୍ଠାପର
ଉପୁଡ଼ଇ ଦୁର୍ନୀତିର ଚେର ବାରମ୍ବାର
କ୍ଷୁଧା-ତୃଷ୍ଣା ନିବାରଣେ ସର୍ବତ୍ର ଛତର
ପତିତପାବନ ବାନା ଉଡ଼େ ଫରଫର ।
ମଙ୍ଗଳ ତରାଜୁ ଧରି ହସେ ଶନିଶ୍ଚର
ହରିବୋଲ ବୋଲହରି ଉଚ୍ଛୁଳେ ସଂସାର
ଶ୍ବାନ ଆଉ ଶୃଗାଳର ଚାଲେ କଚେବାର
ପତିତପାବନ ବାନା ଉଡ଼େ ଫରଫର ।