

କଟକ : ରାଜ୍ୟର ପାରମ୍ପରିକ କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ସହ ପ୍ରତିଭାବାନ କଳାକାରମାନଙ୍କୁ ସୁଯୋଗ ଦେବା ନିମନ୍ତେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ “ଆମ କଳାକାର” ପୋର୍ଟାଲ ମାଧ୍ୟମରେ ପଞ୍ଜୀକୃତ କଳାକାରମାନଙ୍କୁ ଚୟନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ନେତାଜୀ ସଂସ୍କୃତିଭବନ ଓ ସ୍ଵରାଜ ଆଶ୍ରମଠାରେ ଆମ କଳାକାର ଅନ୍ତର୍ଗତ ଜିଲ୍ଲାସ୍ତରୀୟ କଳାକାର ଚୟନ ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି । ଆମ କଳାକାର ପୋର୍ଟାଲ ମାଧ୍ୟମରେ ଆବେଦନ କରିଥିବା ଜିଲ୍ଲାର ପ୍ରାୟ ୫୭ଟି ଓଡିଶୀ ଡାନ୍ସ ଗ୍ରୁପ ଓ ୫୦ଟି ପାଲା ଅନୁଷ୍ଠାନ ଆଜି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ବିଚାରକମଣ୍ଡଳୀ ଦ୍ଵାରା କଳାକାରମାନଙ୍କ ପ୍ରଦର୍ଶନକୁ ମୂଲ୍ୟାୟନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଏହି କାର୍ଯ୍ୟକ୍ରମ ଆସନ୍ତା ୧୦ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା ସୂଚନା ଦେଇଛନ୍ତି। ଚୟନ ପ୍ରକ୍ରିୟାରେ ମନୋନୀତ ଦଳଗୁଡିକ ଆଗାମୀ ଦିନରେ ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ବିଭିନ୍ନ ମହୋତ୍ସବରେ ଭାଗ ନେବାର ସୁଯୋଗ ପାଇବେ ।