
ଚଣ୍ଡିଖୋଲର ,୭/୧୧(କ ବ୍ୟୁ)ଶିକ୍ଷାଦାନ ସହିତ କ୍ରୀଡ଼ା କ୍ଷେତ୍ରରେ ନିଜର ଅନନ୍ୟ ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରି ଗୌରବ ଅର୍ଜନ କରିଛନ୍ତି ବରଚଣା ବ୍ଲକ୍ ଖଇରାସ୍ଥିତ ପିଏମ୍ ଶ୍ରୀ ବଡଚଣା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଶୈଳେଶ କୁମାର ମିଶ୍ର। ଶିକ୍ଷା ବିଭାଗ ପକ୍ଷରୁ ପ୍ରଦାନ କରାଯାଉଥିବା ସମ୍ମାନଜନକ ଜିଲ୍ଲାସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୫-୨୬’ରେ ସେ ଶାରୀରିକ ଶିକ୍ଷା ବିଭାଗରେ ପୁରସ୍କୃତ ହୋଇଛନ୍ତି।
ଏହି ସଫଳତା ସହିତ ସେ କ୍ରମାଗତ ତୃତୀୟ ଥର ପାଇଁ ଏହି ପୁରସ୍କାର ହାସଲ କରି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ସେ ୨୦୨୩-୨୪, ୨୦୨୪-୨୫ ଏବଂ ୨୦୨୫-୨୬ ଶିକ୍ଷାବର୍ଷରେ ଲଗାତାର ଭାବେ ଏହି ସମ୍ମାନ ପାଇ ନିଜର କର୍ମନିଷ୍ଠା, ଶିକ୍ଷାଦାନ ପ୍ରତି ନିଷ୍ଠା ଓ କ୍ରୀଡ଼ା କ୍ଷେତ୍ରରେ ଅବଦାନର ପରିଚୟ ଦେଇଛନ୍ତି।
ଶ୍ରୀ ମିଶ୍ର କେବଳ ଜଣେ ଦକ୍ଷ ଶିକ୍ଷକ ନୁହନ୍ତି, ବରଂ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଜଣେ ସକ୍ରିୟ ଓ ଅଭିଜ୍ଞ ବ୍ୟକ୍ତିତ୍ୱ। ସେ ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସହ ଜଡ଼ିତ ରହି ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି। ବିଶେଷକରି କବାଡ଼ି ଖେଳରେ ଜାତୀୟସ୍ତରୀୟ ରେଫରି ଭାବେ ତାଙ୍କର ଅଭିଜ୍ଞତା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି।
ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ, ଶୃଙ୍ଖଳା, ଶାରୀରିକ ସୁସ୍ଥତା ଓ ଦଳଗତ ମନୋଭାବ ବିକାଶ କରିବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ । ଏହା ସହ ଶ୍ରୀଯୁକ୍ତ ମିଶ୍ର ପରିବେଶବିତ ଭାବେ ଯାଜପୁର ଜିଲ୍ଳାରେ ଦୁଇ ଥର “ପ୍ରକୃତି ବନ୍ଧୁ” ପୁରସ୍କାର ଦ୍ଵାରା ମଧ୍ୟ ସମ୍ମାନୀତ ହୋଇଛନ୍ତି ।ତାଙ୍କର ଏହି ସଫଳତା ବିଦ୍ୟାଳୟ, ଶିକ୍ଷକ ସମାଜ ଓ ସମଗ୍ର ବଡଚଣା ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି।
ତାଙ୍କର ଏହି ତ୍ରିମୁକୁଟ ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସହକର୍ମୀ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଅଭିଭାବକ ତଥା ଅଞ୍ଚଳବାସୀଙ୍କ ପକ୍ଷରୁ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅ ଛୁଟିଛି। ତାଙ୍କର ଏହି ସଫଳତା ଅନ୍ୟ ଶିକ୍ଷକମାନଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ହୋଇଛି।