ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ , ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ ସହ ସର୍ବଧର୍ମ ପ୍ରାର୍ଥନା ସଭା , ବକ୍ତୃତା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ପୁରସ୍କୃତ

ବାରିପଦା, ତା୦୨/୧୦/୨୦୨୬
(କ: ବ୍ଯୁ)
ସ୍ଥାନୀୟ ଗାନ୍ଧୀ ପାର୍କଠାରେ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ବାରିପଦା ପୌରପାଳିକାର ମିଳିତ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଜିଲ୍ଲାପାଳ ହେମକାନ୍ତ ସୟ୍ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ମୁଖ୍ୟ ଅତିଥି ଏବଂ ବାରିପଦା ପୌରପାଳିକା ଅଧ୍ୟକ୍ଷ ଶ୍ରୀ କୃଷ୍ଣାନନ୍ଦ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

              ଜୟନ୍ତୀ ଅବସରରେ ମହାତ୍ମା ଗାନ୍ଧୀ, ଲାଲ୍ ବାହାଦୂର ଶାସ୍ତ୍ରୀ ଓ କସ୍ତୁରବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଥିଲା । ନିମନ୍ତ୍ରିତ ଅତିଥି ଓ ବିଭିନ୍ନ ପ୍ରଶାସନିକ ଅଧିକାରୀମାନେ ପ୍ରତିମୂର୍ତ୍ତିଗୁଡ଼ିକରେ ମାଲ୍ୟାର୍ପଣ କରି ମହାନ ବ୍ୟକ୍ତିତ୍ୱମାନଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରିଥିଲେ ।

            ଏହାପରେ ଗାନ୍ଧୀ ପାର୍କଠାରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ‘ପ୍ରତିଶ୍ରୁତି’ ପତ୍ରିକାର ସମ୍ପାଦକ ଡ. ଭାଗବତ ପଣ୍ଡା ଶ୍ରୀମଦ୍ଭାଗବଦ୍ ଗୀତାର ନୀତିବାଣୀ ପାଠ କରିଥିବା ବେଳେ ମୌଲାନା ତାହିର ହବିବ୍ ଅଲ୍ଲୀ କୋରାନ୍‌ର କିୟଦଂଶ ପାଠ କରିଥିଲେ । ଏହି ସର୍ବଧର୍ମ ପ୍ରାର୍ଥନା ମାଧ୍ୟମରେ ଶାନ୍ତି, ସହିଷ୍ଣୁତା ଓ ସାମ୍ପ୍ରଦାୟିକ ସଦ୍‌ଭାବର ବାର୍ତ୍ତା ପ୍ରସାର କରାଯାଇଥିଲା ।

            ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୂର୍ବରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ କୃତୀ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ତଥା ଉପସ୍ଥିତ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ୱାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା ।

            ଏହି ଅବସରରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ, ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ,  ବାରିପଦା ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀପ୍ରସାଦ ରାଉତଙ୍କ ସମେତ ପୌରପାଳିକାର କାଉନସିଲରମାନେ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟାଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଏବଂ ବାରିପଦା ପୌରପାଳିକାର କର୍ମଚାରୀମାନେ କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ ।

ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲାପ୍ରତିନିଧି)

Leave a Reply

Your email address will not be published. Required fields are marked *