ଏସୟୁସିଆଇ ( କମ୍ୟୁନିଷ୍ଟ) ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେସ କୁମାର ଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ଓ କୁଶପୁତ୍ତଳିକା ଦାହ


କଟକ ତା ୨/୧୦- ଦୈନିକ ଇଂରାଜୀ ସମ୍ବାଦପତ୍ର ‘ଦି ଇଣ୍ଡିଆନ୍ ଏକ୍ସପ୍ରେସ୍’ ରେ ପ୍ରକାଶିତ ଖବର ସ୍ପଷ୍ଟ ଭାବେ ପ୍ରମାଣିତ କରିଛି ଯେ ଦେଶର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାର ଅତ୍ୟନ୍ତ ଏକଛତ୍ରବାଦୀ ଢଙ୍ଗରେ କ୍ଷମତାସୀନ ବିଜେପି ଦଳକୁ ଫାଇଦା ପହଞ୍ଚାଇବା ଏବଂ ବିଭିନ୍ନ ରାଜ୍ୟରେ ଏହି ଦଳର ନିର୍ବାଚନୀ ବିଜୟକୁ ସୁନିଶ୍ଚିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ଜନବିରୋଧୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏସଆଇଆର୍ ଓ ଲଜିକାଲ ଡିସକ୍ରିପାନ୍ସୀ ନାଁରେ ସାରା ଦେଶରେ ୧୩ କୋଟିରୁ ଅଧିକ ଲୋକଙ୍କୁ ଭୋଟର ତାଲିକାରୁ ମନ ଇଛା ବାଦ ଦିଆଯାଇଛି। ବାଦ୍ ପଡ଼ିଥିବା ଏହି ଲୋକମାନେ ଯେ କେବଳ ଭୋଟ ଅଧିକାରୁ ବଞ୍ଚିତ ହେବେ ତାହା ନୁହେଁ, ସେମାନଙ୍କ ଭାରତୀୟ ନାଗରିକତ୍ବକୁ ନେଇ ପ୍ରଶ୍ନ ଉଠିବ ଏବଂ ସେମାନେ ବହୁ ସରକାରୀ ସୁବିଧା ସୁଯୋଗରୁ ମଧ୍ୟ ବଞ୍ଚିତ ହେବେ ।ଫର୍ମ ୬ ରେ ବିବାଦୀୟ ପ୍ରସଙ୍ଗକୁ ଯୁକ୍ତ କରି ଲକ୍ଷ ଲକ୍ଷ ସଂଖ୍ୟାରେ ନୂଆ ଭୋଟରଙ୍କୁ ଭୋଟର ଭାବରେ ପଞ୍ଜିକରଣରୁ ବଞ୍ଚିତ କରାଯାଇଛି । ଏକ ବିବାଦୀୟ ସଫ୍ଟୱେର ଜରିଆରେ ଭୋଟର ତାଲିକାରେ ନାମ ଯୋଡିବା ଓ କାଟିବା ନିଷ୍ପତ୍ତିକୁ ସମ୍ପୂର୍ଣ୍ଣ କେନ୍ଦ୍ରୀକୃତ କରି ଶାସକ ଦଳକୁ ଲାଭ ପହଞ୍ଚାଯାଇଛି । ଫର୍ମ ୭ ର ଅପବ୍ୟବହାର କରି ଲକ୍ଷ ଲକ୍ଷ ସଂଖ୍ୟାରେ ଶାସକ ବିଜେପି ଦଳର ବିରୋଧୀ ମାନଙ୍କ ଭୋଟ କାଟିବା ସମ୍ପର୍କିତ ଗୁରୁତର ଅଭିଯୋଗ ଆସୁଛି। ମୁଖ୍ୟ ନିର୍ବାଚନ କମିଶନରଙ୍କର ଏହି ଧରଣର ଅପରାଧିକ କାର୍ଯ୍ୟ ଜନସଧାରଣଙ୍କ ଗଣତାନ୍ତ୍ରିକ ଅଧିକାର ଉପରେ ଏକ ଫାସିବାଦୀ ଆକ୍ରମଣ ।

ଏହି ପରିସ୍ଥିତିରେ ଏସୟୁସିଆଇ ( କମ୍ୟୁନିଷ୍ଟ) କଟକ ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବହିଷ୍କାର କରିବା, ସମଗ୍ର ଏସଆଇଆର ପ୍ରକ୍ରିୟାକୁ ତୁରନ୍ତ ରଦ୍ଦ କରିବା ଓ ଏସଆଇଆର ଜରିଆରେ ସମଗ୍ର ଦେଶରେ ଭୋଟର ତାଲିକାରୁ ବାଦ୍ ପଡ଼ିଥିବା ସମସ୍ତ ଭୋଟରଙ୍କ ନାମ ପୁନର୍ବାର ତାଲିକାଭୁକ୍ତ କରିବା ଦାବିରେ କଲେଜ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ ସ୍ଥଳ ପ୍ରତିବାଦ ସଭାରେ ଏସ୍ ୟୁ ସି ଆଇ (କମ୍ୟୁନିଷ୍ଟ) ଜିଲ୍ଲା ସମ୍ପାଦକ ବିଶ୍ୱାବସୁ ଦାସଙ୍କ ପରିଚାଳନାରେ ପାର୍ଟି ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ଛବି ମହାନ୍ତି ବକ୍ତବ୍ୟ ଦେଇଥିଲେ।ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ, ବବି ବଳବନ୍ତରାୟ, ଦୀପକ ଦାସ, ସିଦ୍ଧାର୍ଥ ରଥ, ବସନ୍ତ ନାୟକ, ଭାଗ୍ୟରବି ଦାସ, ବିନୋଦ ସେଠୀ, ତରୁଣସେନ ନାୟକ, ଶିବାନୀ ସାହୁ, ଶୁଭସ୍ମିତା ସାହୁ, ଅକ୍ଷୟ ରାଉଳ,ସ୍ୱାଧିନୀ ବେହେରା , ପ୍ୟାଭେଲ ପ୍ରିୟଦର୍ଶନ, ପ୍ରତାପ ମିଶ୍ର, ସୌଭାଗ୍ୟ ସାମଲ, ସିପ୍ରା ମହାନ୍ତି, ଶୋଭା ଦେହୁରୀ, ଝରଣା ଦାସ, ଭାଗ୍ୟଶ୍ରୀ ପ୍ରଧାନ ପ୍ରମୁଖ ବିକ୍ଷୋଭରେ ନେତୃତ୍ୱ ନେଇଥିଲେ। ବିକ୍ଷୋଭ ସ୍ଥଳରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଥିଲା ଓ ଜ୍ଞାନେସ କୁମାରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

Leave a Reply

Your email address will not be published. Required fields are marked *