
ରାଇରଙ୍ଗପୁର,
ତା. ୦୨-୧୦-୨୦୨୬(କ: ବ୍ଯୁ)
ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଭାବେ ପରିଚିତ ଲାଲ ବହାଦୁର ଶାସ୍ତ୍ରୀଙ୍କ ପବିତ୍ର ଜନ୍ମ ଜୟନ୍ତୀ ଅବସରରେ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ‘ସ୍ୱଚ୍ଛ ଭାରତ ଦିବସ’ ପାଳିତ ହୋଇଯାଇଛି। ଏହି ଅବସରରେ ପୌରପାଳିକା ତରଫରୁ ସକାଳେ ପୌରପାଳିକା ଅଧ୍ୟକ୍ଷ, ଉପାଧ୍ୟକ୍ଷା, ପାରିଷଦ, କାର୍ଯ୍ୟାଳୟର କର୍ମଚାରୀ ଓ ସଫେଇ କର୍ମଚାରୀଙ୍କ ମିଳିତ ସହଯୋଗ ରେ ସହରର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା କାର୍ଯ୍ୟ ଆୟୋଜନ କରାଯାଇଥିଲା କରିଥିଲେ ଏବଂ ରାଇରଙ୍ଗପୁର ସହରକୁ ସ୍ଵଛ, ସୁନ୍ଦର ଓ ସୁସ୍ଥ ସହର ଭାବେ ଗଢି ତୋଳିବାକୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ବର୍ତ୍ତା ଦିଆଯାଇଥିଲା।ପରେ ପରେ ସ୍ଥାନୀୟ ଗାନ୍ଧୀ ପାର୍କ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କର ସତ୍ୟ, ଅହିଂସା, ସ୍ୱଚ୍ଛତା ଓ ସେବାର ମହାନ ଆଦର୍ଶକୁ ସ୍ମରଣ କରାଯାଇଥିଲା ଏବଂ ପାର୍କ ପରିସରରେ “ମା ପାଇଁ ଗଛଟିଏ ” ଅଭିଯାନରେ ବୃକ୍ଷ ଚାରା ରୋପଣ କରାଯାଇଥିଲା
ଦିବସ ପାଳନ ଅବସରରେ ସ୍ଥାନୀୟ ମହତାବ ଭବନ ଠାରେ ଏକ ସଭା ଆୟୋଜିତ ହୋଇଥିଲା ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ପୌରପାଳିକାର ଅଧ୍ୟକ୍ଷ ଶ୍ରୀ ଅଭିଷେକ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଉପାଧ୍ୟକ୍ଷା ଶ୍ରୀମତୀ ମମିତା ଚୌଧୁରୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି ଓ ପାରିଷଦ ଆଲୋକ ମହାନ୍ତ, ହୀରାମଣି ବେଶ୍ରା, ଦେବାଶିଷ ନାଏକ ଓ ସୂର୍ଯ୍ୟମଣି ହାଁସଦା ପ୍ରମୁଖ ଯୋଗ ଦେଇଥିବା ବେଳେ ପୌରପାରିଷଦ ସଦସ୍ୟ/ସଦସ୍ୟାମାନେ, ପୌରପାଳିକାର ଅଧିକାରୀ, କର୍ମଚାରୀ ଓ ସ୍ୱଚ୍ଛତା କର୍ମୀମାନେ ଉପସ୍ଥିତ ଥିଲେ।
ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ମହାତ୍ମା ଗାନ୍ଧୀ ସ୍ୱଚ୍ଛତାକୁ ବ୍ୟକ୍ତିଗତ ଜୀବନ ଓ ସାମାଜିକ ଦାୟିତ୍ୱର ଏକ ଅବିଚ୍ଛିନ୍ନ ଅଂଶ ଭାବେ ଗୁରୁତ୍ୱ ଦେଇଥିଲେ। ତେଣୁ ତାଙ୍କର ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ନିଜ ଘର, ପଡ଼ୋଶି, ରାସ୍ତାଘାଟ ଓ ସାର୍ବଜନୀନ ସ୍ଥାନକୁ ସ୍ୱଚ୍ଛ ରଖିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସ୍ୱଚ୍ଛତା ପ୍ରତି ସଚେତନ କରିବା ଆବଶ୍ୟକ । ସ୍ୱଚ୍ଛତା ପ୍ରତି ନିଜର ଦାୟିତ୍ୱବୋଧତାକୁ ଦୃଢ କରିବା ସହିତ ରାଇରଙ୍ଗପୁର ସହରକୁ ଏକ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ସହର ଭାବେ ଗଢି ତୋଳିବାକୁ ସହର ବାସିଙ୍କ ସହଯୋଗ କାମନା କରିଥିଲେ।
ଉପାଧ୍ୟକ୍ଷା ଶ୍ରୀମତୀ ଚୌଧୁରୀ ନିଜ ବକ୍ତବ୍ୟରେ କହିଥିଲେ ଯେ, ସ୍ୱଚ୍ଛ ଓ ସୁସ୍ଥ ସହର ଗଠନ ପାଇଁ ପୌରପାଳିକା ସହିତ ସହରବାସୀଙ୍କ ସକ୍ରିୟ ସହଯୋଗ ଅତ୍ୟନ୍ତ ଆବଶ୍ୟକ ଏବଂ ସାର୍ବଜନୀନ ସ୍ଥାନର ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ।
ଏହି ଅବସରରେ ଶିକ୍ଷକ ଦିଲ୍ଲୀପ ମହାନ୍ତିଙ୍କ ଦ୍ୱାରା ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ନେଇ ସ୍ୱଚ୍ଛତା ଉପରେ ଅନ ଦି ସ୍ପଟ କୁଇଜ ପ୍ରତିଯୋଗିତା ପରିଚାଳନା କରାଯାଇ ବିଜେତା ଓ ଅନ୍ୟାନ୍ୟ କୃତି ପ୍ରତଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏତଦବ୍ୟତୀତ ସ୍ୱଚ୍ଛ ଭାରତ ମିଶନ ଅଭିଯାନ କୁ ଫଳପ୍ରଦ କରୁଥିବା ସଫେଇ କର୍ମୀ ଓ ସ୍ୱଚ୍ଛ ସାଥି ମାନଙ୍କୁ ସେମାନଙ୍କ ମହତ ଅବଦାନ ପାଇଁ ପୁରସ୍କୃତ କରାଯାଇଥିଲା।
ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରିଣୀ ଶ୍ରୀମତୀ ଶକୁନ୍ତଳା ହାଂସଦାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଦିବସର ସମସ୍ତ କାର୍ଯ୍ୟକ୍ରମ କାର୍ଯ୍ୟାଳୟର ପରିମଳ ବିଶେଷଜ୍ଞ ସ୍ୱାଧୀନ କୁମାର ଦୁଆରୀଙ୍କ ଦ୍ୱାରା ସୁଚାରୁ ରୂପେ ପରିଚାଳନା କରାଯାଇଥିଲା।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)