

ଚଣ୍ଡିଖୋଲ, ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳ ଏବେ ଅଶାନ୍ତ ହେବାରେ ଲାଗିଛି। ଅତିତରେ ଆଇନ ଶୃଙ୍ଖଳାକୁ ଦଳିମକଚି ଦେଇ ଧର୍ମଶାଳାରେ ଯାହା କେବେ ଘଟିନଥିଲା ଏବେ ଦିନକୁ ଦିନ ସେପରି ଅଭାବନୀୟ ଘଟଣା ଏଠାରେ ଘଟିଚାଲିଛି। ଯାହାକୁ ନେଇ ସମଗ୍ର ଜିଲ୍ଲା ପୋଲିସ ପାଇଁ ଏହା ଆହ୍ୱାନ ସୃଷ୍ଟିକରିଛି। ଆଗରୁ ରାଜନୀତିକୁ ନେଇ ଲୋକେ ଏଠାରେ ନିଜନିଜ ଭିତରେ ହିଂସା କାଣ୍ଡ ଭିଆଇ ଚାଲିଥିଲା ବେଳେ ଏବେ ସିଧାସଳଖ ପୋଲିସ ଉପରେ ଆକ୍ରମଣ ହୋଇଛି। ଧର୍ମଶାଳାର ଜେନାପୁର ଥାନା ଅଞ୍ଚଳରେ ଲୁଚିଥିବା ଜଣେ ଅପହରଣ କାରୀକୁ ଧରିବାକୁ ଯାଇଥିବା ବଡଚଣା ପୋଲିସକୁ ଲୋକେ ଠେଙ୍ଗାବାଡି ଓ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ପ୍ରବଳ ମାଡ ମାରିଥିବା ଜଣାପଡିଛି। ଜେନାପୁର ଥାନା ପୋଲିସକୁ ପୂର୍ବରୁ ସୂଚନା ଦେଇ ବଡଚଣା ଥାନା ପୋଲିସ ଜେନାପୁର ଥାନାର ପନ୍ତୁରୀ ଗ୍ରାମରେ ଲୁଚିରହିଥିବା ଉକ୍ତ ଅପହରଣ କାରୀକୁ ମଙ୍ଗଳବାର ବିଳମ୍ବ ରାତିରେ ଧରିବା ପାଇଁ ସେଠାରେ ଚଢାଉ କରିଥିଲେ। ନିଜ ଘରେ ଲୁଚିଥିବା ବେଳେ ପୋଲିସ ଅପହରଣକାରୀ ସହ ଜଣେ ଅପ୍ରାପ୍ତ ବୟସ୍କ ଯୁବତୀଙ୍କୁ ଧରି ଗାଡିରେ ବସାଇ ଥିଲେ। ଏହି ସମୟରେ ଅପହରଣ କାରୀଙ୍କ ପରିବାର ଓ ଗ୍ରାମର ବହୁ ଲୋକ ସିଧା ଆସି ମାରଣାସ୍ତ୍ର ଓ ଠେଙ୍ଗା ବାଡିରେ ବଡଚଣା ପୋଲିସକୁ ଆକ୍ରମଣ କରିବା ସହ ନିସ୍ତୁକ ପିଟି ପୋଲିସ ଗାଡିରୁ ଅପରହରଣ କାରୀକୁ ଛଡାଇ ନେଇଥିଲେ। ସେଠାରେ ୫/୭ ଜଣ ପୋଲିସ ଥିଲାବେଳେ ଆକ୍ରମଣକାରୀଙ୍କ ସଂଖ୍ୟା ବହୁ ଅଧିକ ଥିବାରୁ ପୋଲିସ ନିଜ ଜୀବନ ବଞ୍ଚାଇବାଇବାକୁ ଯାଇ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ। ପରେ ଆକ୍ରମଣ କରୀମାନେ ବଡଚଣା ପୋଲିସ ଗାଡିକୁ ବାଡେଇ ଚୁରମାର କରିଦେଇଥିଲେ। ପୋଲିସକୁ ଆକ୍ରମଣ କରୁଥିବା ସମୟରେ ଆକ୍ରମଣକାରୀ ମାନେ ଧର୍ମଶାଳାର ଜଣେ ରାଜନେତଙ୍କ ନାନେଇ ଏହି ଅଭାବନୀୟ କାଣ୍ଡ ଭିଆଇଥିବା ପ୍ରତ୍ୟକ୍ଷ ଦର୍ଶୀ ମାନେ କହିଛନ୍ତି। ଆମେ ଯାହାବି କଲେ ଭାଇ ସେକଥା ବୁଝିବେ ଓ ଆମର କେହି କିଛି କରିପାରିବେ ନାହିଁ ବୋଲି ଆକ୍ରମଣକାରୀ ମାନେ କହୁଥିବା ଜଣାପଡିଛି। ଏହି ଆକ୍ରମଣରେ ବଡଚଣା ଥାନାର ଏଏସଆଇ ସୁବ୍ରତ ପ୍ରଧାନ ଓ ମହିଳା ପୋଲିସ କଳ୍ପନା ନାୟକ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଏଥିସହ ଅନ୍ୟ ୩ଜଣ ପୋଲିସ କର୍ମଚାରୀ ମଧ୍ୟ ଆକ୍ରମଣକାରୀଙ୍କ ମାଡରେ ଆହତ ହୋଇଥିବା ଜଣାପଡିଛି। ଗୁରୁତର ଅବସ୍ଥାରେ ଏଏସଆଇ ଶ୍ରୀ ପ୍ରଧାନ ଓ କଳ୍ପନା ଏବେ ବଡଚଣା ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି। ଅପରପକ୍ଷରେ ବଡଚଣା ଥାନାର ଓଡି୦୫ଜି ୮୨୦୭ ନମ୍ବର ବୋଲେରୋ ଗିଡିକୁ ମଧ୍ୟ ଆକ୍ରମଣକାରୀ ମାନେ ବାଡେଇ ଭାଙ୍ଗି ଦେଇଛନ୍ତି । ପନ୍ତୁରୀ ଗ୍ରାମର କାହ୍ନା ଦଳେଇ ଗତ ମେ ମାସରେ ବଡଚଣା ଥାନା ଅନ୍ତର୍ଗତ ଦଳେଇ ସାହିର ଜଣେ ଅପ୍ରାପ୍ତ ବୟସ୍କ ଯୁବତୀଙ୍କୁ ଅପହରଣ କରିନେଇଥିଲେ। ଏହି ଘଟଣାକୁ ନେଇ ଝିଅର ପରିବାର ଲୋକଙ୍କ ଏତଲା କ୍ରମେ ପୋଲିସ ବଡଚଣା ଥାନାରେ ୧୫୯/୨୬ରେ ଏକ ମାମଲା ରୁଜୁକରି ତଦନ୍ତ କରୁଥିଲା। ଅଭିଯୁକ୍ତ କାହ୍ନା ଉକ୍ତ ଝିଅ ସହିତ ପନ୍ତୁରୀ ଗ୍ରାମର ନିଜ ଘରେ ଥିବା ଖବର ପାଇ ଉକ୍ତ ମାମଲାର ତଦନ୍ତ ଅଧିକାରୀ ବଡଚଣା ଥାନା ଏଏସଆଇ ସୁବ୍ରତ ପ୍ରଧାନ ଓ କଳ୍ପନା ନାୟକ ପ୍ରମୁଖ ଏକ ପୋଲିସ ଟିସ ସହିତ ଜେନାପୁର ଥାନା ପୋଲିସ ସହାୟତାରେ ମଙ୍ଗଳବାର ରାତି ପ୍ରାୟ ଗୋଟାଏ ବେଳେ ପନ୍ତୁରୀ ଗ୍ରାମରେ ଚଢାଉ କରିଥିଲେ। ଚଢାଉ ସମୟରେ ଅଭିଯୁକ୍ତ କାହ୍ନା ଓ ଅପହରଣ ହୋଇଥିବା ଝିଅକୁ ସେଠାରୁ ଧରିବା ସହ ସେମାନଙ୍କୁ ଗାଡିରେ ବସାଇ ଥାନାକୁ ଆଣିବା ପାଇଁ ଉଦ୍ୟତ ହେଉଥିବା ବେଳେ ପୋଲିସ ଉପରେ ଏହି ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଆହତ ଏଏସଆଇ ସୁବ୍ରତ ପ୍ରଧାନଙ୍କ ଏତଲା କ୍ରମେ ଜେନାପୁର ଥାନାରେ ୨୩୫/୨୬ରେ ଏକ ମାମଲା ରୁଜୁ ହୋଇଛି। ସର୍ବଶେଷ ସୂଚନା ଅନୁଯାୟୀ ପୋଲିସ ଆକ୍ରମଣକାରୀଙ୍କ ମଧ୍ୟରୁ ତିନିଜଣଙ୍କୁ ବୁଧବାର ଗିରଫ କରିଥିବା ଜଣାପଡ଼ିଛି। ଏପରି ଅଭାବନୀୟ କାଣ୍ଡକୁ ଧର୍ମଶାଳାର ବୁଦ୍ଧିଜୀବୀ ମାନେ ନାପସନ୍ଦ କରିଛନ୍ତି।