*ଜୋର ଧରୁଛି ବାହାଡ଼ାଝୋଲା ଫାଣ୍ଡିକୁ ଥାନା ମାନ୍ୟତା ଦାବି ।


ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଅଞ୍ଚଳବାସୀଙ୍କୁ ତ୍ୱରିତ ପୁଲିସ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ଇଂରେଜ ଶାସନ ସମୟରୁ ଦୀର୍ଘ ବର୍ଷ ତଳୁ ବାହାଡ଼ାଝୋଲାଠାରେ ଫାଣ୍ଡି ପ୍ରତିଷ୍ଠା କରାଯାଇଥିଲା।
ଓଡ଼ଗାଁ ଥାନା ଅଧୀନରେ ଥିବା ଏହି ଫାଣ୍ଡି ଉପରେ ନୂଆଗାଁ ବ୍ଲକର ବାହାଡ଼ାଝୋଲା, ବେରୁଆଁବାରୀ, କାପ୍ତାପଲ୍ଲୀ, ଗୁମୀ, ହରିପୁର ଓ ସିଙ୍ଗାରପଲ୍ଲୀ ପ୍ରଭୃତି ୬ ଟି ପଞ୍ଚାୟତର ୯୬ ଟି ଗ୍ରାମର ଜନସାଧାରଣ ନିର୍ଭର କରିଥାନ୍ତି।
ଏହି ଅଞ୍ଚଳର ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ଜନସାଧାରଣ ବସବାସ କରୁଥିବା ବେଳେ, ଅଞ୍ଚଳ ରେ ଆଇନଶୃଙ୍ଖଳା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ପାଇଁ ଏହି ଫାଣ୍ଡି ଉପରେ ନିର୍ଭରଶୀଳ ଅଛନ୍ତି।

ବର୍ତ୍ତମାନ ଫାଣ୍ଡିରେ ଜଣେ ଏଏସଆଇ ଓ ୪ ଜଣ କନେଷ୍ଟବଳ ନିୟୋଜିତ ରହିଛନ୍ତି।
ଅଞ୍ଚଳର ଜନସଂଖ୍ୟା, ଗ୍ରାମ ସଂଖ୍ୟା ଓ ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ବାହାଡ଼ାଝୋଲା ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ଦୀର୍ଘଦିନ ଧରି ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଆସୁଛି।
ଫାଣ୍ଡିକୁ ଥାନା ମାନ୍ୟତା ମିଳିଲେ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା ଓ ଲୋକଙ୍କୁ ତ୍ୱରିତ ପୁଲିସ ସେବା ଯୋଗାଇଦେବାରେ ସୁବିଧା ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ ପ୍ରାୟ ୬ ମାସ ତଳେ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ପକ୍ଷରୁ ଏନେଇ ପ୍ରଶାସନ,ବିଭାଗୀୟ ଉଚ୍ଚ ଅଧିକାରୀ ଏବଂ ଜନପ୍ରତିନିଧି ମାନଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା।
ତେବେ ଦାବିପତ୍ର ପ୍ରଦାନର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏଯାବତ୍‌ ଏହା ଉପରେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ଏହି ପରିପ୍ରେକ୍ଷୀରେ ରବିବାର ଅପରାହ୍ନରେ ବାହାଡ଼ାଝୋଲା ଫାଣ୍ଡି ପରିସରରେ ଅଞ୍ଚଳର ବୁଦ୍ଧିଜୀବୀ, ଜନପ୍ରତିନିଧି, ଅବସରପ୍ରାପ୍ତ ଶିକ୍ଷକ ଓ ସାମ୍ବାଦିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଫାଣ୍ଡିକୁ ଥାନା ମାନ୍ୟତା ପ୍ରଦାନ ଦାବିକୁ ଆଗାମୀ ଦିନରେ ଅଧିକ ଜୋରଦାର କରିବା ପାଇଁ ବୈଠକରେ ଆଲୋଚନା କରାଯାଇଥିଲା।

ଏଥିନେଇ ଏକ କମିଟି ଗଠନ କରାଯାଇଥିବା ବେଳେ ପ୍ରହଲ୍ଲାଦ ସାହୁଙ୍କୁ କମିଟିର ସଭାପତି ଭାବେ ଚୟନ କରାଯାଇଛି। କମିଟିରେ ସ୍ଥାନୀୟ ଜନପ୍ରତିନିଧି, ବୁଦ୍ଧିଜୀବୀ, ଅବସରପ୍ରାପ୍ତ ଶିକ୍ଷକ ଓ ସାମ୍ବାଦିକମାନେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ, ସମ୍ପୃକ୍ତ ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ସମେତ ଜିଲ୍ଲା ଓ ବିଭାଗୀୟ ପ୍ରଶାସନିକ ଅଧିକାରୀଙ୍କୁ ଭେଟି ବାହାଡ଼ାଝୋଲା ଫାଣ୍ଡିକୁ ଥାନାରେ ପରିଣତ କରିବା ନେଇ ଦାବି ଜଣାଇବାକୁ ନିଷ୍ପତ୍ତି ନିଆଯାଇଛି। ଅଞ୍ଚଳର ବିସ୍ତୃତ ଜନସଂଖ୍ୟା ଓ ୯୬ଟି ଗ୍ରାମର ଆଇନଶୃଙ୍ଖଳା ଦାୟିତ୍ୱକୁ ଦୃଷ୍ଟିରେ ରଖି ବାହାଡ଼ାଝୋଲା ଫାଣ୍ଡିକୁ ଶୀଘ୍ର ଥାନା ମାନ୍ୟତା ପ୍ରଦାନ କରିବା ସହ ଆବଶ୍ୟକ ପୁଲିସ କର୍ମଚାରୀ ଓ ଭିତ୍ତିଭୂମି ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *