



କଟକ : ୦୮ ଜୁନ ୨୦୨୬: କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଇଶାଣୀ ବେରହମ୍ପୁର ଗ୍ରାମ ପଞ୍ଚାୟତର ଖେଣ୍ଟାଳଠାରେ ଏକ ଗ୍ରାମୀଣ ଶିଳ୍ପ ଉଦ୍ୟାନ କ୍ଲଷ୍ଟର (Rural Industrial Park Cluster – RIPC) ର ଉଦ୍ଘାଟନ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କ୍ଲଷ୍ଟରକୁ କଟକ ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୃହରି ମହତାବ ଏବଂ କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ ଉଦ୍ଘାଟନ କରିଥିଲେ।
ଏହି ଉଦ୍ଘାଟନୀ ଉତ୍ସବରେ ଶ୍ରୀ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ, ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, କଟକ; ଶ୍ରୀ ପ୍ରଶାନ୍ତ କୁମାର ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ-ସହ-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କଟକ; ଶ୍ରୀ କମଳଜିତ ଦାସ, ଅତିରିକ୍ତ ଜିଲ୍ଲାପାଳ, କଟକ; ଶ୍ରୀ ଦିବେନ୍ଦୁ କୁମାର ଦାସ, ବ୍ଲକ ଉନ୍ନୟନ ଅଧିକାରୀ, ନିଶ୍ଚିନ୍ତକୋଇଲି; ସୁଶ୍ରୀ ନିରୂପମା, ବରିଷ୍ଠ ପ୍ରବନ୍ଧକ (ଅଗରବତୀ), ITC; ଶ୍ରୀ ଚିତ୍ତ ରଞ୍ଜନ ପଟ୍ଟନାୟକ, ଉପ-ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ORMAS ଏବଂ ଅନ୍ୟାନ୍ୟ ବିଶିଷ୍ଟ ଅଧିକାରୀ ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ।
ଏହି ଗ୍ରାମୀଣ ଶିଳ୍ପ ଉଦ୍ୟାନ କ୍ଲଷ୍ଟରଟି ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ORMAS ଏବଂ କଟକ ଜିଲ୍ଲା ପ୍ରଶାସନର ମିଳିତ ପ୍ରୟାସରେ ପ୍ରତିଷ୍ଠା କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ଶିଳ୍ପାୟନକୁ ପ୍ରୋତ୍ସାହନ ଦେବା, ସ୍ଥାୟୀ ଜୀବିକା ସୃଷ୍ଟି କରିବା ଏବଂ ମହିଳା ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକୁ ସଶକ୍ତ କରିବା।
ଏହି କ୍ଲଷ୍ଟରରେ ୨୦ଟି ସ୍ୱୟଂଚାଳିତ ଅଗରବତୀ ତିଆରି ଯନ୍ତ୍ର, ୧ଟି ଅଗରବତୀ ମସଲା ପ୍ରସ୍ତୁତି ମେସିନ ଏବଂ ୧ଟି ଇଲେକ୍ଟ୍ରିକ ଡ୍ରାୟର ମେସିନ ସ୍ଥାପନ କରାଯାଇଛି। ଏହା ମାଧ୍ୟମରେ ପ୍ରାୟ ୧୦୦ ଜଣ ଗ୍ରାମୀଣ ମହିଳାଙ୍କୁ ସିଧାସଳଖ ଜୀବିକା ସୁଯୋଗ ମିଳିବାର ଆଶା ରହିଛି। ଏହି ୟୁନିଟ୍ରେ ବାର୍ଷିକ ପ୍ରାୟ ୩୦ ମେଟ୍ରିକ ଟନ୍ ପ୍ରସ୍ତୁତ ଅଗରବତୀ ଉତ୍ପାଦନ କରାଯିବ, ଯାହା ହିତାଧିକାରୀମାନଙ୍କ ପାଇଁ ଏକ ସ୍ଥାୟୀ ଆୟର ଉତ୍ସ ସୃଷ୍ଟି କରିବ।
ଏହା ମାଧ୍ୟମରେ ପ୍ରାୟ ୧୦୦ ଜଣ ଗ୍ରାମୀଣ ମହିଳାଙ୍କୁ ସିଧାସଳଖ ଜୀବିକା ସୁଯୋଗ ମିଳିବାର ଆଶା ରହିଛି। ଏହି ୟୁନିଟ୍ରେ ବାର୍ଷିକ ପ୍ରାୟ ୩୦ ମେଟ୍ରିକ ଟନ୍ ପ୍ରସ୍ତୁତ ଅଗରବତୀ ଉତ୍ପାଦନ କରାଯିବ, ଯାହା ହିତାଧିକାରୀମାନଙ୍କ ପାଇଁ ଏକ ସ୍ଥାୟୀ ଆୟର ଉତ୍ସ ସୃଷ୍ଟି କରିବ।
ଏହି ପଦକ୍ଷେପ ଅଞ୍ଚଳରେ ଏକ ଗୁରୁତ୍ୱପୂର୍ଣ୍ଣ ରୋଜଗାର ସୃଷ୍ଟି କେନ୍ଦ୍ର ଭାବେ କାର୍ଯ୍ୟ କରିବ ଏବଂ ମହିଳାମାନଙ୍କୁ ନିୟମିତ ଜୀବିକା ସୁଯୋଗ ପ୍ରଦାନ କରିବା ସହ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ। ଉତ୍ପାଦିତ ଅଗରବତୀର ବଜାରଜାତକରଣ ଓ ବ୍ୟବସାୟିକ ବିକାଶ ନିମନ୍ତେ ITC ପକ୍ଷରୁ ବଜାର ସଂଯୋଗ (Market Linkage) ସହାୟତା ପ୍ରଦାନ କରାଯିବ।
ଗ୍ରାମୀଣ ଶିଳ୍ପ ଉଦ୍ୟାନ କ୍ଲଷ୍ଟରଗୁଡ଼ିକ ଗ୍ରାମାଞ୍ଚଳରେ ଉଦ୍ୟୋଗୀ ସୃଷ୍ଟି, ରୋଜଗାର ବୃଦ୍ଧି, ଗ୍ରାମୀଣ ଆୟ ବୃଦ୍ଧି ଏବଂ ସମାବେଶୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ଏକ ମୁଖ୍ୟ ଭୂମିକା ନିଭାଇଥାଏ।
ଖେଣ୍ଟାଳ ଗ୍ରାମୀଣ ଶିଳ୍ପ ଉଦ୍ୟାନ କ୍ଲଷ୍ଟର ଗ୍ରାମୀଣ ଉଦ୍ୟୋଗ ବିକାଶ ଏବଂ ମହିଳା ଆର୍ଥିକ ସଶକ୍ତିକରଣର ଏକ ଆଦର୍ଶ ମଡେଲ ଭାବେ ପରିଗଣିତ ହେବା ସହ ଓଡ଼ିଶାର ସ୍ୱାବଲମ୍ବୀ ଓ ସ୍ଥାୟୀ ଗ୍ରାମ ଗଠନର ଲକ୍ଷ୍ୟ ପୂରଣରେ ସହାୟକ ହେବ।