ଝିରପାଣି ଗ୍ରାମରେ ମହିଳାଙ୍କ ଗଳା କାଟି ହତ୍ୟା

ରାଜଗାଙ୍ଗପୁର , ୨୭/୨୦୨୬ (କ ବ୍ୟୁ) :- ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ କିରିଙ୍ଗସିରା ପଞ୍ଚାୟତର ଝିରପାଣି ଗ୍ରାମରେ ଜଣେ ମହିଳାଙ୍କ ହତ୍ୟା ଘଟଣା ଘଟିଥିବାରୁ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ମୃତକା ହେଲେ ଗ୍ରାମର ସରୋଜିନୀ ଏକ୍କା (୪୨)। ସ୍ଥାନୀୟ ସୂଚନା ଅନୁସାରେ, ଘଟଣାଟି ଆଜି ଅପରାହ୍ନରେ ଘଟିଥିବା ଅନୁମାନ କରାଯାଉଛି। ସରୋଜିନୀ ଏକ୍କା ଗ୍ରାମର ସ୍ବର୍ଗତ ୱିଲିଆମ ଏକ୍କାଙ୍କ ବିଧବା ସ୍ତ୍ରୀ ଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି। ଝିଅ ସମ୍ବଲପୁର ଠାରେ ରହି କଲେଜ କରୁଛନ୍ତି । ପ୍ରତିଦିନ ଭଳି ଆଜି ସକାଳେ ଖାଇପିଇ ଘରୁ ବାହାରିଥିଲେ। ପୁଅ ମେଟ୍ରିକ ପରୀକ୍ଷା ଦେବାପାଇଁ ପରୀକ୍ଷା ସାରି ଫେରିବା ପରେ ପୁଅ ଘରେ ପ୍ରବେଶ କରି ମାଁଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲା। ଏହା ଦେଖି ସେ ଚିତ୍କାର କରିବା ସହ ଗ୍ରାମବାସୀଙ୍କୁ ଖବର ଦେଇଥିଲା। ପରେ ଗ୍ରାମବାସୀ ଘଟଣାସ୍ଥଳକୁ ପହଞ୍ଚି କୁତ୍ରା ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ କୁତ୍ରା ପୁଲିସ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପ୍ରାରମ୍ଭିକ ତଦନ୍ତରୁ ହତ୍ୟା ଘଟଣା ହେବା ସନ୍ଦେହ କରାଯାଉଥିବା ବେଳେ, ଘଟଣାର ପ୍ରକୃତ କାରଣ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ। ପୁଲିସ ପକ୍ଷରୁ କୁହାଯାଇଛି ଯେ ଘଟଣାର ସମସ୍ତ ପ୍ରାଙ୍ଗଣରୁ ତଦନ୍ତ କରାଯାଉଛି ଓ ଦୋଷୀଙ୍କୁ ଶୀଘ୍ର ଗିରଫ କରାଯିବ। ଏହି ଘଟଣା ପରେ ଝିରପାଣି ଗ୍ରାମରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଗ୍ରାମବାସୀମାନେ ଘଟଣାର ଶୀଘ୍ର ତଦନ୍ତ ସହ ଦୋଷୀଙ୍କ ଗିରଫ ଦାବି କରିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ଆଲୋଚନା ଚାଲିଥିବା ବେଳେ ପୁଲିସ ତଦନ୍ତ ଜାରି ରହିଛି ।

(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *