
ବାରିପଦା(କ:ବ୍ଯୁ) ୨୨/୦୨/୨୦୨୬ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ପୂଣ୍ୟଶ୍ଲୋକ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ପୁଣ୍ୟତିଥି ପାଳିତ ହୋଇଯାଇଛି । ଏହି ଅବସରରେ କୁଳପତି ପ୍ରଫେସର ପ୍ରମୋଦ କୁମାର ଶତପଥୀ ବିଶ୍ୱବିଦ୍ୟାଳୟ ପ୍ରାଙ୍ଗଣ ସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ମହାରାଜାଙ୍କ ସ୍ମୃତିଚାରଣ କରିଥିଲେ । ନିଜ ଅଭିଭାଷଣରେ ପ୍ରଫେସର ଶତପଥୀ ମହାରାଜାଙ୍କ ଓଡ଼ିଶା ତଥା ମୟୂରଭଞ୍ଜ ନିମନ୍ତେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, କଳା ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ନିର୍ମାଣରେ ମହାରାଜାଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । କୁଳସଚିବ ସୁଶ୍ରୀ ସୁମିତା ସିଂ ନିଜ ବକ୍ତବ୍ୟରେ ପ୍ରଜାବତ୍ସଳ ମହାରାଜାଙ୍କ ଅତୁଳନୀୟ ଅବଦାନ ପାଇଁ ଓଡ଼ିଶାବାସୀ ଚିର ଋଣୀ ରହିବେ ବୋଲି ମତପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପରୀକ୍ଷା ନିୟନ୍ତ୍ରକ ଡ. ସୁବ୍ରତ କୁମାର ରଣା, ଛାତ୍ର ମଙ୍ଗଳ ନିର୍ଦ୍ଦେଶିକା ପ୍ରଫେସର ପୁଷ୍ପାଞ୍ଜଳି ପରିଡ଼ାଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)