
ବାରିପଦା (୧୩/୦୨) (କ.ବ୍ୟୁ.) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରସ୍ଥ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଓ ଯୋଜନା ଗୁଡିକର ସ୍ଥିତି, ଅଗ୍ରଗତି ଓ ଉପଲବ୍ଧି ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଉକ୍ତ ବୈଠକରେ ସମୀକ୍ଷା କରିଥିଲେ । ମୁଖ୍ୟତଃ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ, ରାସ୍ତା ଓ ବଙ୍ଗଳା, ଆଇଟିଡିଏ, ଗ୍ରାମ ନିର୍ମାଣ ବିଭାଜନ, ମନରେଗା ଓ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି । ସେହିପରି ଜଙ୍ଗଲ ବିଭାଗ ସମନ୍ୱୟରେ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତିକୁ ମଧ୍ୟ ନିରୀକ୍ଷଣ କରି ଶୀଘ୍ର ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏହା ସହ ପ୍ରତ୍ୟେକ ଗ୍ରାମରେ ଆବଶ୍ୟକ ମୁତାବକ ଜଳଯୋଗାଣ ସୁନିଶ୍ଚିତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବକେୟା ରହିଯାଇଥିବା ଆରଡ଼ି ରାସ୍ତା ଏବଂ ନୂତନ ରାସ୍ତା ତିଆରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରି ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ତ୍ୱରିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି । କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ଯଦି କିଛି ପ୍ରତିବନ୍ଧକ ଥାଏ ତେବେ ଏହାର ସମାଧାନ ପାଇଁ ପ୍ରସ୍ତାବ ଦେଲେ ଏଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ପ୍ରକାଶ କରିଛନ୍ତି । ଉକ୍ତ ବୈଠକରେ ଜିଲ୍ଲାପାଳ ଶ୍ରୀ ହେମକାନ୍ତ ସୟ୍, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଇଶ୍ୱର ଚନ୍ଦ୍ର ନାୟକ, ଆରସିସିଏଫ ପ୍ରକାଶ ଚନ୍ଦ୍ର ଗଗିନାନୀ, ଉପ ନିର୍ଦ୍ଦେଶକ (ଉତ୍ତର) ପ୍ରଶାନ୍ତ ପାଟିଲ୍, ଉପ ନିର୍ଦ୍ଦେଶକ (ଦକ୍ଷିଣ) ସମ୍ରାଟ ଗୌଡ, ପିଏ ଆଇଟିଡିଏ କରଞ୍ଜିଆ ଚିତ୍ତରଞ୍ଜନ ମହାନ୍ତ, ପିଏ ଆଇଟିଡିଏ ନରେନ୍ଦ୍ର ଖମାରୀ, ପିଏ ଆଇଟିଡିଏ ରାଇରଙ୍ଗପୁର ଜଗରଞ୍ଜନ ନାୟକ, ପିଏ ଆଇଟିଡିଏ ବାରିପଦା ପ୍ରଣୟ ରଞ୍ଜନ ବେହେରା ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।