ରେମାଣ୍ଡା ସେଣ୍ଟର ଓ ଦର୍ଶନ ଏକାଡେମୀର ଭବ୍ୟ ଉଦ୍ଘାଟନ

ରାଜଗାଙ୍ଗପୁର/06.02.2026 :-ସୁନ୍ଦରଗଡ଼ ଜିଲ୍ଲାର ରେମାଣ୍ଡା ଅଞ୍ଚଳ ଅନ୍ତର୍ଗତ ବାଜପେୟୀ ନଗରରେ ସ୍ଥିତ ରେମାଣ୍ଡା ସେଣ୍ଟର ଓ ଦର୍ଶନ ଏକାଡେମୀର ଉଦ୍ଘାଟନ ଉତ୍ସବ ଆଜି ତାରିଖ ୬ ଫେବୃଆରୀ ୨୦୨୬ ରେ ଭବ୍ୟ ଓ ଶ୍ରଦ୍ଧାଭାବର ସହିତ ଅନୁଷ୍ଠିତ ହୋଇଯାଇଛି। ସାୱନ କିର୍ପାଲ ରୁହାନୀ ମିଶନର ଆୟୋଜନରେ ହୋଇଥିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ଆତ୍ମିକ ଶିକ୍ଷା, ନୈତିକ ମୂଲ୍ୟବୋଧ, ସେବାଭାବ ଓ ସାମାଜିକ ସମନ୍ୱୟକୁ ପ୍ରୋତ୍ସାହନ ଦେବା। ଉଦ୍ଘାଟନ ସଭାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁରଜ କୁମାର ପଟ୍ଟନାୟକ ଯୋଗଦେଇ ଦର୍ଶନ ଏକାଡେମୀର ଆଦର୍ଶ ଓ ଆତ୍ମିକ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଏପରି ପ୍ରତିଷ୍ଠାନ ମାନବୀୟ ମୂଲ୍ୟବୋଧ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଏ। ସମ୍ମାନିତ ଅତିଥି ଭାବେ ଟାଙ୍ଗରପାଲି ବିଡିଓ ଶ୍ରୀ ବିରସେନ ବେହେରା, ଟାଙ୍ଗରପାଲି ବିଇଓ ଶ୍ରୀମତୀ ସିନି ବାଡା, ଦର୍ଶନ ଏକାଡେମୀର ଏଡ୍ୟୁକେସନ ଅଫିସର ଶ୍ରୀ ଉନ୍ନୀକୃଷ୍ଣନ, ମହୁଲପାଲି ଦର୍ଶନ ଏକାଡେମୀର ପ୍ରିନସିପାଲ ଡ଼. ପ୍ରଦୀପ ଆର.ଭି. ଓ ମେଜର କିଶୋର କୁମାର ନାଏକ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ସମଗ୍ର ନେତୃତ୍ୱ ଦାୟିତ୍ୱ LMC ମେମ୍ବର ଶ୍ରୀ ଦେବାନନ୍ଦ ନାଏକ ନିର୍ବାହ କରିଥିଲେ। ଉଦ୍ଘାଟନ ଅବସରରେ ଏକ ବୃହତ୍ ମାରାଥନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରାୟ ୨୦୦ ଜଣ ପିଲା ଅଂଶଗ୍ରହଣ କରିଥିଲେ। ଏହି ମାରାଥନ ଭସ୍ମା ଠାରୁ ଦର୍ଶନ ଏକାଡେମୀ, ରେମାଣ୍ଡା ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ଓ ଭସ୍ମା ଥାନାର ପୋଲିସ ପ୍ରଶାସନ ପକ୍ଷରୁ ସହଯୋଗ ମିଳିଥିଲା । ସକାଳ ବେଳେ ଏକ ପ୍ରଭାତ ଫେରି ଆୟୋଜିତ ହୋଇଥିଲା, ଯେଉଁଥିରେ ପ୍ରାୟ ୧୦ଟି କୀର୍ତ୍ତନ ମଣ୍ଡଳୀ ଅଂଶ ନେଇ ସମଗ୍ର ଅଞ୍ଚଳକୁ ଆତ୍ମିକ ପରିବେଶରେ ଭରିଦେଇଥିଲେ। ସାମାଜିକ ସେବାର ଅଂଶ ଭାବେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇ, ସେଠାରେ ୨୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହା ସହିତ ଏକ ମୁକ୍ତ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ମଧ୍ୟ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ପୁରସ୍କାର ବିତରଣ, ଗଣମାନ୍ୟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା ଓ ଏକ ଭଜନ ସନ୍ଧ୍ୟା ଆୟୋଜିତ ହୋଇ ଉପସ୍ଥିତ ସମସ୍ତଙ୍କୁ ଆତ୍ମିକ ଆନନ୍ଦରେ ମୁଗ୍ଧ କରିଥିଲା । ମଞ୍ଚ ପରିଚାଳନାର ଦାୟିତ୍ୱ ସୁଚାରୁ ଭାବେ ନିର୍ବାହ କରିଥିଲେ ଶ୍ରୀମତୀ ଭାରତୀ ମେହେର ଶିକ୍ଷାଗତ ସଂଯୋଜକ ଓ ଶ୍ରୀମତୀ କାଜଲ ପଟେଲ। କାର୍ଯ୍ୟକ୍ରମ ସଫଳତାରେ ରୁପେଶ ପଟେଲ, ବିଭୁତି ଭୂଷଣ ସାମନ୍ତରାୟ, ସୁବାସିନୀ ନାଏକ, ଶିଖାରାଣୀ ପଟେଲ ସହିତ ମହୁଲପାଲି ଦର୍ଶନ ଏକାଡେମୀର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ। ନୂତନଭାବେ ଉଦ୍ଘାଟିତ ଏହି ରେମାଣ୍ଡା ସେଣ୍ଟର ଓ ଦର୍ଶନ ଏକାଡେମୀ ଆଗାମୀ ଦିନରେ ଅଞ୍ଚଳର ଶିଶୁ ଓ ଯୁବପିଢ଼ିଙ୍କୁ ଶିକ୍ଷା ସହିତ ଆତ୍ମିକ ଓ ନୈତିକ ଉନ୍ନତିର ପଥ ଦେଖାଇବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *