“ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ରାଇରାଙ୍ଗପୁରର ଇଗ୍ନୋ ରିଜିଓନାଲ୍ ସେଣ୍ଟର ଏବଂ ସ୍କିଲ୍ ସେଣ୍ଟର ଆଭାସୀ ଜରିଆରେ ଲୋକାର୍ପିତ”

ବାରିପଦା-ରାଇରଙ୍ଗପୂର (କବ୍ଯୁ)ତା୦୧/୦୧/୨୫
ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁରର ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ କୌଶଳ କେନ୍ଦ୍ରର ଭର୍ଚୁଆଲ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ଏହି ଐତିହାସିକ କାର୍ଯ୍ୟକ୍ରମ ଅବସରରେ ଆୟୋଜିତ ସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କୌଶଳ ବିକାଶ ଓ ଉଦ୍ୟମିତା ଏବଂ ଶିକ୍ଷା ବିଭାଗର ରାଜ୍ୟମନ୍ତ୍ରୀ (ସ୍ବତନ୍ତ୍ର ଦାୟିତ୍ଵ) ଶ୍ରୀ ଜୟନ୍ତ ଚୌଧୁରୀ ଏବଂ ଇଗ୍ନୋର କୁଳପତି ପ୍ରୋଫେସର ଉମା କଞ୍ଜିଲାଲ ପ୍ରମୁଖ ମଞ୍ଚରେ ଉପସ୍ଥିତ ଦେଇଥିଲେ । ରାଇରାଙ୍ଗପୁରରେ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍ନୋ) ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ରର ଉଦଘାଟନ ଭାରତର ଶିକ୍ଷା ଓ ଦକ୍ଷତା ବିକାଶ ଇତିହାସରେ ଏକ ଗୁରୁତ୍ବପୂର୍ଣ ପଦକ୍ଷେପଭାବେ ଗଣ୍ୟ ହେବ । ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ପ୍ରଧାନ ଅଞ୍ଚଳ ରାଇରାଙ୍ଗପୁରରେ ଏହି କେନ୍ଦ୍ର ସ୍ଥାପନା ହେବା ଦ୍ବାରା ସ୍ଥାନୀୟ ଯୁବକ-ଯୁବତୀ, କାର୍ଯ୍ୟରତ ବ୍ୟକ୍ତି, ଗୃହିଣୀ ଓ ଶିକ୍ଷାରୁ ବଞ୍ଚିତ ଲୋକମାନଙ୍କ ପାଇଁ ନୂଆ ସମ୍ଭାବନାର ଦ୍ବାର ଖୋଲିଛି । ଏହା ମାଧ୍ୟମରେ ମୁକ୍ତ ଓ ଦୂରଶିକ୍ଷା ପ୍ରଣାଳୀ ଦ୍ବାରା ଉଚ୍ଚଶିକ୍ଷା ସହିତ, ଦକ୍ଷତାମୂଳକ ତାଲିମ ଲୋକମାନଙ୍କ ଦ୍ବାରା ସହଜରେ ଗ୍ରହଣ କରାଯିବା ସମ୍ଭବ ହେବ ବୋଲି ମାନନୀୟ ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି । ଏହାସହ ସେ କହିଛନ୍ତି ଯେ ଶିକ୍ଷା ହେଉଛି ଏକ ସଶକ୍ତ ଓ ସମାବେଶୀ ରାଷ୍ଟ୍ର ଗଠନର ମୂଳ ଆଧାର I ଦେଶର ଦୂରାନ୍ତର ଓ ଆଦିବାସୀ ଅଞ୍ଚଳରେ ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ସୁବିଧା ପହଞ୍ଚିବା ନିମନ୍ତେ ଇଗ୍ନୋପରି ପ୍ରତିଷ୍ଠାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ ଭୂମିକା ନିର୍ବାହ କରୁଛି । ସେ ଡିଜିଟାଲ୍ ଶିକ୍ଷା, ଅନଲାଇନ୍ କୋର୍ସ ଏବଂ କୌଶଳ ତାଲିମର ଆବଶ୍ୟକ‌ତା ଉପରେ ଜୋର ଦେଇ କହିଥିଲେ ଯେ ଏହି ପ୍ରକାର ଶିକ୍ଷା ପ୍ରଣାଳୀ ଯୁବ ପିଢ଼ିକୁ ଆତ୍ମନିର୍ଭର କରିବାରେ ସହାୟକ ହେବ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଭାଷଣରେ କହିଥିଲେ ଯେ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁସାରେ ଶିକ୍ଷାକୁ ଅଧିକ ସୁଗମ, ସହଜ ଏବଂ ଦକ୍ଷତାଭିମୁଖୀ କରିବା ହେଉଛି ସରକାରଙ୍କ ମୂଳ ଲକ୍ଷ୍ୟ । ରାଇରାଙ୍ଗପୁରରେ ଅବସ୍ଥିତ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ର ସ୍ଥାପନା ଏହି ଦୃଷ୍ଟିକୋଣକୁ ବାସ୍ତବ ରୂପ ଦେବାରେ ଏକ ଗୁରୁତ୍ବପୂର୍ଣ ପଦକ୍ଷେପ । ଏହାସହ ସେ ଉଲ୍ଲେଖ କରିଥିଲେ ଯେ ଏହି କେନ୍ଦ୍ର ମାଧ୍ୟମରେ ଯୁବପିଢ଼ି ମାନେ ରୋଜଗାରମୁଖୀ କୌଶଳ ଶିଖି ଦେଶର ଆର୍ଥିକ ବିକାଶରେ ଅବଦାନ ରଖିପାରିବେ ।
କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଶିକ୍ଷା ବିଭାଗର ରାଜ୍ୟମନ୍ତ୍ରୀ (ସ୍ବତନ୍ତ୍ର ଦାୟିତ୍ଵ) ଶ୍ରୀ ଜୟନ୍ତ ଚୌଧୁରୀ ତାଙ୍କ ଅଭିଭାଷଣ ଟେକ୍ନୋଲୋଜିର ଭୂମିକା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଡିଜିଟାଲ୍ ଭାରତ ଅଭିଯାନ ମାଧ୍ଯମରେ ଗାଁ- ଗାଁ ଯାଏଁ ଇଣ୍ଟରନେଟ୍ ଓ ଡିଜିଟାଲ୍ ସୁବିଧା ପହଞ୍ଚିବାରୁ ଶିକ୍ଷା ଓ ଦକ୍ଷତା ବିକାଶର ଅବସର ବହୁଗୁଣା ବଢ଼ିଛି । ଇଗ୍ନୋ ପରି ସଂସ୍ଥାଗୁଡ଼ିକ ଏହି ଡିଜିଟାଲ୍ ସଂଯୋଗକୁ ବ୍ୟବହାର କରି ଦେଶର ଅପେକ୍ଷାରତ ଶେଷ ମଣିଷ ପର୍ଯ୍ୟନ୍ତ ଶିକ୍ଷା ପହଞ୍ଚାଇପାରୁଛନ୍ତି ବୋଲି ସେ କହିଥିଲେ।

ଇଗ୍ନୋ ଉପକୁଳପତି ପ୍ରୋଫେସର ଉମା କଞ୍ଜିଲାଲ ତାଙ୍କ ଭାଷଣରେ କହିଥିଲେ ଯେ ଇଗ୍ନୋର ମୂଳ ଲକ୍ଷ୍ୟ ହେଉଛି ସମାବେଶୀ, ସମନ୍ତରାଳ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା । ରାଇରାଙ୍ଗପୁରରେ ନୂଆ ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ର ସ୍ଥାପନା ଦ୍ବାରା ମୟୂରଭଞ୍ଜ ଜିଲ୍ଲା ସମେତ କେନ୍ଦୁଝର, ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଜିଲ୍ଲାର ଛାତ୍ରଛାତ୍ରୀମାନେ ଡିଗ୍ରୀ, ଡିପ୍ଲୋମା, ସର୍ଟିଫିକେଟ୍ କୋର୍ସ ସହିତ ସହିତ କୃଷି, ଡିଜିଟାଲ୍ ପ୍ରଯୁକ୍ତି, ସ୍ବାସ୍ଥ୍ୟ, ଉଦ୍ୟୋଗିତା ଇତ୍ୟାଦି କ୍ଷେତ୍ରରେ ଦକ୍ଷତାମୂଳକ ତାଲିମ ଗ୍ରହଣ କରିପାରିବେ ସମଗ୍ର ଭାବେ, ରାଇରାଙ୍ଗପୁରରେ ଇଗ୍ନୋ ରିଜିଓନାଲ୍ ସେଣ୍ଟର ଏବଂ ସ୍କିଲ୍ ସେଣ୍ଟରର ଭର୍ଚୁଆଲ୍ ଉଦଘାଟନ ଏକ ଐତିହାସିକ ପଦକ୍ଷେପ, ଯାହା ଶିକ୍ଷା ଓ ଦକ୍ଷତା ବିକାଶ ମାଧ୍ଯମରେ ସ୍ଥାନୀୟ ଲୋକମାନଙ୍କୁ ସଶକ୍ତ କରିବ। ଏହା ଦେଶର “ସମସ୍ତଙ୍କ ପାଇଁ ଶିକ୍ଷା” ଏବଂ “ଦକ୍ଷ ଭାରତ” ସ୍ୱପ୍ନ ସାକାର କରିବାରେ ଏକ ଗୁରୁତ୍ବପୁର୍ଣ ମାଇଲ୍‌ଷ୍ଟୋନ୍ ଭାବେ ଚିହ୍ନଟ ହେବ ।
ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ର ର ଉଦଘାଟନ ଏହି ଅଞ୍ଚଳର ଉଚ୍ଚଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଏକ ଐତିହାସିକ ପଦକ୍ଷେପ ଅଟେ I ଏହା ଦ୍ବାରା ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା, ଦୂରଶିକ୍ଷା ସୁବିଧା ଏବଂ ଚାକିରିମୁଖୀ କୌଶଳ ପ୍ରଶିକ୍ଷଣ ପାଇବେ । ଏହି କେନ୍ଦ୍ର ଅଞ୍ଚଳୀୟ ଯୁବଶକ୍ତିକୁ ସଶକ୍ତ କରିବା ସହ ଜାତୀୟ ଶିକ୍ଷା ଲକ୍ଷ୍ୟ ପୂରଣରେ ସହାୟକ ହେବ ବୋଲି ଡ଼. ମନୋଜ କୁମାର ଦାଶ, ବରିଷ୍ଟ ଆଞ୍ଚଳିକ ନିର୍ଦ୍ଦେଶକ, ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ଵବିଦ୍ୟାଳୟ (ଇଗ୍ନୋ) ଆଞ୍ଚଳିକ କେନ୍ଦ୍ର, ରାଇରଙ୍ଗପୁର ନିଜ ଅଭିଭାଷଣରେ କହିଛନ୍ତି ।
ଏହି ଲୋକାର୍ପଣ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ରାଇରଙ୍ଗପୁର ଇଗ୍ନୋ ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ନିର୍ଦ୍ଦେଶକ ଡଃ ମନୋଜ ଦାସଙ୍କ ତତ୍ୱାବଧାନରେ ରାଇରଙ୍ଗପୁର ପୌରପାଳିକା କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଜଙ୍ଗଲ,ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ସାରସକଣା ବିଧାୟକ ଭାଦବ ହାଁସଦା, ଜିଲ୍ଲାପାଳ ହେମକାନ୍ତ ସୟ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲ୍ଲୀ ପ୍ରମୁଖ ଯୋଗଦେଇଥିଲେ । ଏହି ଦୁଇ କେନ୍ଦ୍ର ଉଦଘାଟନ ହେବା ଫଳରେ ଶିକ୍ଷାର ଗୁଣାତ୍ମକ ବିକାଶ ହେବା ସହିତ ଅଣ ମ୍ୟାଟ୍ରିକ ଛାତ୍ରଛାତ୍ରୀ, ମା ଭଉଣୀ ମାନେ ମଧ୍ୟ ବୃତ୍ତିଗତ କ୍ଷେତ୍ରରେ ଉନ୍ନତି କରି ଆୟକ୍ଷମ ହୋଇପାରିବେ ଏବଂ ଅଂଚଳର ଅର୍ଥ ନୈତିକ ଅଭିବୃଦ୍ଧିରେ ସହାୟକ ହୋଇପାରିବ ବୋଲି ଅତିଥି ମାନେ ମତାମତ ଦେଇଥିଲେ । ଏଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂଚାରୁ କୁମାର ବଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଯଦୁନାଥ ଜେନା, ତହସିଲଦାର ବିଶ୍ୱନାଥ ବିଶ୍ୱାଳ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଗୋକୁଳାନନ୍ଦ ସାହୁ, ବରିଷ୍ଠ ବିଜେପି ନେତା ନବୀନ ରାମ, ସଞ୍ଜୀବ ମହାନ୍ତି, ଶିବୁ ଅଗ୍ରୱାଲ, ସୁରତ ପଟ୍ଟନାୟକଙ୍କ ସମେତ ଅନ୍ୟାନ୍ୟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *