“ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ପାଇଁ ଉଦଳା ବ୍ଲକ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ”

ବାରିପଦା-ଉଦଳା(କ:ବ୍ଯୁ) ତା. ୧୩/୧୧/୨୫ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ଆନୁକୁଲ୍ୟରେ ରାଜ୍ୟବ୍ୟାପି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହେଉଥିବା ପରିପ୍ରେକ୍ଷୀରେ ଉଦଳା ବ୍ଲକସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜନ ପାଇଁ ଉଦଳା ବିଡିଓ ସମରଜିତ୍ କରଙ୍କ ଅଧ୍ୟକ୍ଷତାରେ ଉଦଳା ବ୍ଲକ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରସ୍ତୁତି ବୈଠକରେ ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ଉଦଳା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ଜେନା, ଏବିଡିଓ ଶରତ ମହାନ୍ତି, ସିଡିପିଓ ଉଦଳା କୃଷ୍ଣା ମହାପାତ୍ର, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ଭାଗ୍ୟଶ୍ରୀ ବେହେରା ମଞ୍ଚାସୀନ ଥିବା ବେଳେ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ବିଭିନ୍ନ ବିଭାଗୀୟ ଅଧିକାରୀ, ପିଆରଆଇ ମେମ୍ବର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତା. ୨୧.୧୧.୨୫ ରିଖ ସକାଳ ୭ ଘଟିକାରୁ ଉଦଳା ହାଇସ୍କୁଲ ପଡିଆରେ ଉକ୍ତ ଶିବିର ଅନୁଷ୍ଠିତ ହେବ । ଭିନ୍ନକ୍ଷମ ପ୍ରମାଣ ପତ୍ର ନ ଥିବା କିମ୍ବା ପ୍ରମାଣ ପତ୍ର ଅବଧି ଶେଷ ହୋଇ ଯାଇଥିବା ଭିନ୍ନକ୍ଷମ ଭାଇ ଓ ଭଉଣୀମାନେ ଉକ୍ତ ଶିବିରରେ ଯୋଗଦାନ କରି ସରକାରଙ୍କ ତରଫରୁ ମିଳୁଥିବା ବିଭିନ୍ନ ସୁବୀଧା ସୁଯୋଗ ଯଥା – ଭିନ୍ନକ୍ଷମ ପ୍ରମାଣପତ୍ର, ବସ୍ ପାସ୍‌, ଆୟ ପ୍ରମାଣପତ୍ର, ଡିଆରଆଇ ଲୋନ ଏବଂ ଅନ୍ୟାନ୍ୟ ସରକାରୀ ଯୋଜନା ଗୁଡିକର ଲାଭ ଉଠାଇବା ସୁଯୋଗ ନିଅନ୍ତୁ । ଉକ୍ତ ଶିବିରରେ ଯୋଗ ଦେବା ପାଇଁ ଅନଲାଇନ ଆବେଦନ କରିବା ବାଧ୍ୟତାମୂଳକ ଅଟେ । ଅନଲାଇନ ଆବେଦନ ନିମନ୍ତେ ଆଧାର କାର୍ଡ, ପାସ୍‌ପୋର୍ଟ ସାଇଜ୍ ଫଟୋ ଏବଂ ଆଧାର କାର୍ଡରେ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବର ସହିତ www.swavlambancard.gov.in ୱେବ ସାଇଟରେ ଆବେଦନ କରିପାରିବେ ଏବଂ ଶିବିରକୁ ଆସିବା ସମୟରେ ଆଧାରକାର୍ଡ, ରାସନ କାର୍ଡ, ଭୋଟ ପରିଚୟ ପତ୍ର, ବିପିଏଲ୍ କାର୍ଡ(୧୯୯୭), ବ୍ୟାଙ୍କ ପାସ୍‌ବୁକ ଇତ୍ୟାଦିର ଅବିକଳ ନକଲ(ଜେରକ୍ସ କପି) ଆଧାର କାର୍ଡ ଲିଙ୍କ ହୋଇଥିବା ମୋବାଇଲ୍ ନମ୍ବର, ପାଞ୍ଚଗୋଟି ପାସପୋର୍ଟ ସାଇଜ୍ ଫଟୋ ସହିତ ଅନଲାଇନ ଆବେଦନ ରସିଦ୍ କପି ସାଙ୍ଗରେ ଆଣିବା ବାଧ୍ୟତାମୂଳକ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *