
ବାରିପଦା-ଉଦଳା(କ:ବ୍ଯୁ) ତା୦୧/୧୧/୨୫ ଆଜିର ଶିଶୁ ଆସନ୍ତାକାଲିର ନାଗରିକ, ଉତ୍ତମ ରାଷ୍ଟ୍ର ଗଠନର ନିୟାମକ ଭାବେ ସେମାନଙ୍କ ଭବିଷ୍ୟତ ଉଜ୍ଜଳମୟ କରିବା ସହିତ ସୁନାଗରିକ ଭାବେ ଗଢି ତୋଳିବା ପାଇଁ ସେମାନଙ୍କ ପରେ ଅର୍ନ୍ତନିହିତ ପ୍ରତିଭାର ବିକାଶ ଜରୁରୀ । ଏ ଦିଗରେ ସୁରଭି ମଞ୍ଚ ପ୍ରେରଣା ଓ ପ୍ରଦର୍ଶନର ଏକ ପ୍ରକୃଷ୍ଟ ମଞ୍ଚ ବୋଲି ଶୁକ୍ରବାର ଦିନ ରାଢୋ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ(କେଜିବିଭି) ପରିସରରେ ଅନୁଷ୍ଠିତ ଉଦଳା ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ପ୍ରକାଶ କରିଥିଲେ । ଗୋଷ୍ଠୀ ଶିକ୍ଷା ଅଧିକାରୀ ଦୀପକ ମିଶ୍ରଙ୍କ ସଭାପତିତ୍ୱରେ ଏବଂ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ମିନତୀ ମଞ୍ଜରୀ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି ସୁରଭି ମଞ୍ଚର ଉଦଘାଟନୀ ଆସରରେ ବରେଣ୍ୟ ଅତିଥି ଭାବେ ଉଦଳା ପଞ୍ଚାୟତ ସମିତି ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ, ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସନ୍ଧ୍ୟାରାଣୀ ବାରିକ, ପ୍ରଧାନଶିକ୍ଷୟିତ୍ରୀ ରାଢୋ ଉପ୍ରା ମାଳତୀ ବେହେରା ଏବଂ ଉଦଯାପନ ସମାରୋହରେ ମାନ୍ୟବର ଉଦଳା ବିଧାୟକ ଭାସ୍କର ମଢେଇ, ସେବାନିବୃତ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଶିକ୍ଷକ ପ୍ରଶିକ୍ଷକ, ବାରିପଦା ପ୍ରିୟରଞ୍ଜନ ଦାଶ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଠାର ନିହିତ ପ୍ରତିଭାର ବିକାଶ ପାଇଁ ବକ୍ତବ୍ୟମାନ ରଖିଥିଲେ । ସଫଳତା ପାଇବାକୁ ହେଲେ ଅବିରତ ଅଟଳ ପ୍ରୟାସ, ଅଦମ୍ୟ ସାହସ, ଦୃଢ ମନୋବଳ, ସହନଶୀଳତା ସର୍ବୋପରି ଲକ୍ଷ୍ୟ ପୂରଣର ଚାବିକାଠି ଅଗାଧ ପରିଶ୍ରମକୁ ପାଥେୟ କରିବାକୁ ହେବ ବୋଲି ଅତିଥିମାନେ ପରାମର୍ଶ ପ୍ରଦାନ କରିଥିଲେ । ୫ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ନେଇ ବ୍ଲକ ଅନ୍ତର୍ଗତ ୧୨ ଗୋଟି କ୍ଲଷ୍ଟରର ସମସ୍ତ ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ, ସ୍ଥାନୀୟ ଅଭିଭାବକ, ଅଭିଭାବିକା ଆଦିମାନଙ୍କୁ ନେଇ ସୁନ୍ଦର ସାଜସଜ୍ଜା ସହ ଏକ ଭରପୁର ମଞ୍ଚରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ବିଭିନ୍ନ ଲୋକକଳା,ଆଦିବାସୀ ନୃତ୍ୟ, ସାମାଜିକ ମୂଲ୍ୟବୋଧକ ନୃତ୍ୟ, ଓଡିଶାର କଳା ସଂସ୍କୃତି ଆଧାରିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସମସ୍ତ ବିଜେତାମାନଙ୍କୁ ଅତିଥିମାନଙ୍କ ଦ୍ୱାରା ଟ୍ରଫି ଓ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା । ଉଲ୍ଲେଖଯୋଗ୍ୟ କି, ସାଂସ୍କୃତିକ ନୃତ୍ୟ ପ୍ରତିଯୋଗିତା ସହ ସଙ୍ଗୀତ, ବକ୍ତୃତା, ତର୍କ, ସୃଜନଶୀଳ ଲିଖନ, ପ୍ରବନ୍ଧ, ହସ୍ତଶିଳ୍ପ, ପୋଷଣ, ଚିତ୍ରାଙ୍କନ ଆଦି ୩୨ ପ୍ରକାରର ପ୍ରତିଯୋଗିତା ଜୁନିୟର ଓ ସିନିୟର ଗୃପ ମଧ୍ୟରେ ଆୟୋଜନ କରାଯାଇଥିଲା । ପ୍ରକାଶଯୋଗ୍ୟ କି, ସମସ୍ତ ବର୍ଗରେ ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବିଜେତାମାନେ ଆଗାମୀ ଜିଲ୍ଲାସ୍ତରୀୟ ସୁରଭିରେ ଅଂଶଗ୍ରହଣ କରିବେ । ଲଳିତ କୁମାର ବେହେରା, ଶାନ୍ତନୁ କୁମାର ଦାଶ, ତପନ କୁମାର ମିଶ୍ର, ଦୀପକ ଦାସ, ମହେଶ୍ୱର ରାଉତ, ଗୌରାଙ୍ଗ ପାଲ, ନନ୍ଦନ ପଣ୍ଡା, ଆଲୋକ ପରିଡା, ଭାନୁ ପ୍ରସାଦ ପାତ୍ର, ବୈଶାଖୀ ସାହୁ, ଗୌରକିଶୋର ବିନ୍ଧାଣୀ, ପ୍ରମୋଦ କୁମାର ସାହୁ ପ୍ରମୁଖ ୧୨ ଜଣ ସିଆରସିସି ଏବଂ ଉମାକାନ୍ତ ନନ୍ଦ, ତାପସ ନନ୍ଦ, ପରେଶ ବିଦ୍, ସରସ୍ୱତୀ ଟୁଡୁ, ପ୍ରୀତିମୟୀ ଟୁଡୁ, ଭକ୍ତିପ୍ରସନ୍ନ ବିଭୁଦତ୍ତ ବିନ୍ଧାଣୀ, ଶାନ୍ତନୁ ନାୟକ, ରଚିତା ରାଉତ, ଭାରତୀମଣି ପୃଷ୍ଟି, ଅସୀମା ଅରୁନ୍ଧତୀ, ପ୍ରଜ୍ଞା ପଦ୍ମଗନ୍ଧା ଦାସବାବୁ, ମିନାକ୍ଷୀ ମିଶ୍ର, ତପନ ମହାନ୍ତ, ଉର୍ମିଳା ପାଢୀଙ୍କ ସମେତ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏହି ସୁରଭି କାର୍ଯ୍ୟକ୍ରମ ଆୟୋଜନରେ ବିଭିନ୍ନ ସଂପୃକ୍ତଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)