

ରାଜଗାଙ୍ଗପୁର:- ରାଜଗାଙ୍ଗପୁର ଥାନା ପୁଲିସ୍ ଅପରେସନ ଅଗ୍ନି ମାଧ୍ୟମରେ ରାଜଗାଙ୍ଗପୁର ପୁଲିସ ଗୁରୁବାର ସନ୍ଧ୍ୟାରେ ସହରର ବଗିଚାପଡ଼ା ସ୍ଥିତ ଜନୈକ ବ୍ୟବସାୟୀଙ୍କ ଏକ ଗୋଦାମ ଘର ତାଲା ଭାଙ୍ଗି ବେଆଇନ ଭାବେ ଗଚ୍ଛିତ ରଖାଯାଇଥିବା ୪୫ ପେଟି ବାଣ ଜବତ କରିଛି। ଯାହାର ଅନୁମାନିକ ମୂଲ୍ୟ ପ୍ରାୟ ୧୦ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ ଅନୁମାନ କରୁଛି। ସୂଚନା ମୁତାବକ, ବଗିଚାପଡ଼ା ଆଦର୍ଶ ବିଦ୍ୟାଳୟ ପଛପଟେ ଥିବା ଜଣେ ବ୍ୟବସାୟୀଙ୍କ ଗୋଦାମ ଘରେ ବିନା ଲାଇସେନ୍ସରେ ବେଆଇନ ବାଣ ଗଚ୍ଛିତ ରଖୁଥିବା ବିଶ୍ୱସ୍ତ ସୂତ୍ରରୁ ପୁଲିସ୍କୁ ସୂଚନା ମିଳିଥିଲା । ରାଜଗାଙ୍ଗପୁର ଥାନା ଅଧିକାରୀ ବିଜୟ କିଶୋର ଦାଶଙ୍କ ନେତୃତ୍ୱରେ ପୁଲିସର ଏକ ଟିମ୍ ଆଜି ଉକ୍ତ ଗୋଦାମ ଘରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଗୋଦାମ ଘରେ ତାଲା ପଡିଥିବାରୁ ପରେ ମାଜିଷ୍ଟ୍ରେଟ ତଥା ରାଜଗାଙ୍ଗପୁର ଅତିରିକ୍ତ ତହସିଲଦାର କିରଣ କୁମାର ସୋରେନଙ୍କ ଉପସ୍ଥିତିରେ ପୁଲିସ ଉକ୍ତ ତାଲା ଭାଙ୍ଗିଥିଲା । ଯଞ୍ଚ ପରେ ପୁଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗୋଦାମରେ ଗଚ୍ଛିତ ଥିବା ବିଭିନ୍ନ ପ୍ରକାରର ୪୫ଟି ପେଟିରେ ରଖାଯାଇଥୁବା ୧୧୦୦ କେଜିର ବାଣ ଜବତ କରିଥିଲା । ଏ ନେଇ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ କେହି ଗିରଫ ହୋଇ ନାହାନ୍ତି। ଏହି ଚଢ଼ଉରେ ଏସ୍ଇ ପ୍ରଜ୍ଞା ପ୍ରୀତମ ଜେନା, ଦମୟନ୍ତୀ ମହନ୍ତ, ଏଏସ୍ଆଇ ପ୍ରଶାନ୍ତ ସେନାପତି ପ୍ରମୁଖ ସାମିଲ ଥିଲେ।
ଅବଦୁଲ ରଜାକ ଖାନ
ରାଜଗାଙ୍ଗପୁର