” ଉଦଳା ଠାରେ ଶାରଦୀୟ ଦୁର୍ଗାପୂଜା ଓ କାଳୀପୂଜା ନିମନ୍ତେ ଶାନ୍ତି କମିଟି ବୈଠକ”

ବାରିପଦା-ଉଦଳା ତା(କବ୍ଯୁ) ୨୫/୦୯ /୨୫ ଆଗାମୀ ଶାରଦୀୟ ଦୁର୍ଗାପୂଜା ଏବଂ କାଳୀପୂଜା – ୨୦୨୫ କପ୍ତିପଦା ଉପଖଣ୍ଡରେ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିବା ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ, କପ୍ତିପଦା, ଉଦଳାଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଉଦଳା ବିଧାୟକ ଭାସ୍କର ମଢେଇ, ଏନଏସି ଅଧ୍ୟକ୍ଷା ପ୍ରମିଳା ପଣ୍ଡା, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାୟକ, ପ୍ରକଳ୍ପ ପ୍ରଶାସକ ଆଇଟିଡିଏ ନରେନ୍ଦ୍ର ଖମାରୀ, ଉପଖଣ୍ଡ ଚିକିତ୍ସାଳୟର ଡା. ପ୍ରଜ୍ଞାପରମିତା ବେହେରା ପ୍ରମୁଖ ଯୋଗ ଦେଇଥିବା ବେଳେ ଉପଖଣ୍ଡର ବିଭିନ୍ନ ବିଭାଗୀୟ ଅଧିକାରୀ, ପୂଜା କମିଟିର କର୍ମକର୍ତ୍ତା, ବୁଦ୍ଧିଜୀବି, ଅନ୍ୟାନ୍ୟ ସଂପୃକ୍ତ ବ୍ୟକ୍ତିବିଶେଷ ତଥା ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ ବିଗତ ବର୍ଷର ଶାନ୍ତି କମିଟି ବୈଠକ ବିବରଣୀ ଅନୁଯାୟୀ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା । ବୈଠକରେ ଆଲୋଚନା ମଧ୍ୟରେ ପୂଜା ମଣ୍ଡପ, ତୋରଣ, ଅଗ୍ନି ନିରାପତ୍ତା, ବିଦ୍ୟୁତକରଣ ବ୍ୟବସ୍ଥା, ଶାନ୍ତିଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ପାନୀୟ ଜଳ, ରାସ୍ତା ମରାମତି, ପରିଷ୍କାର ପରିଚ୍ଛନ୍ନ, ରାସ୍ତା ଆଲୋକିକରଣ, ଡାକବାଜୀ ଯନ୍ତ୍ର ବ୍ୟବହାର, ମାଦକ ଦ୍ରବ୍ୟ ବ୍ୟବହାର ନିୟନ୍ତ୍ରଣ, ରାବଣ ପୋଡି ଏବଂ ମୂର୍ତ୍ତି ବିସର୍ଜନ ଆଦି ବିଷୟ ଉପରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରାଯାଇ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ମାନ ଗ୍ରହଣ କରାଯାଇଥିଲା । ସମସ୍ତ ପୂଜା ମଣ୍ଡପରେ ଅଗ୍ନି ନିରାପତ୍ତା, ବିଦ୍ୟୁତ୍ ସଂଯୋଗ ଏବଂ ଶାନ୍ତିଶୃଙ୍ଖଳା ସହ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ପୂଜା କମିଟି କର୍ମକର୍ତ୍ତା ବିଶେଷ ଧ୍ୟାନ ଦେବାକୁ ମଞ୍ଚାସୀନ ସମସ୍ତ ଅତିଥି ପରାମର୍ଶ ଦେଇଥିଲେ । ସର୍ବଶେଷରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ବୈଠକକୁ ସଫଳ କରିବାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ ରମେଶ ଚନ୍ଦ୍ର ପୃଷ୍ଟି, ସତ୍ୟପ୍ରକାଶ ପାତ୍ର, କୈଳାସ ଦନୈକ ଏବଂ କରୁଣାକର ମହାନ୍ତ ତଥା ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *