ପଦ୍ମପୁର : ଆଜି ଅଭିଯୋଗ ଶୁଣାଣିରେ ପାଇକମାଲ ଠାରେ ଚାଷୀ ଓ ଜିଲ୍ଲାପାଳ ମୁହାଁମୁହିଁ ହେବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସାର ଯୋଗାଣ ଏବଂ ଧାନ ପଂଜିକରଣ ଅବଧି ବୃଦ୍ଧି ଦାବିରେ ଜିଲ୍ଲାପାଳ ଓ ଚାଷୀଙ୍କ ପ୍ରଶ୍ନ ବାଣ ରହିଛି । ବରଗଡ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ପାଇଁ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ସମୟରେ ସେଠାରେ ଆଂଚଳିକ କୃଷକ ସଂଗଠନର ଚାଷୀମାନେ ଚଳିତ ଖରିଫ ଋତୁର ଧାନ ବିକ୍ରୟ ପାଇଁ ପଂଜିକରଣରୁ ପାଇକମାଲ ଅଂଚଳର ୨୫୫ ଜଣ ଚାଷୀ ବାଦ ପଡିଛନ୍ତି , ତେଣୁ ଧାନ ବିକ୍ରୟ ପାଇଁ ଚାଷୀ ପଂଜିକରଣ ଅବଧିବୃଦ୍ଧି କରିବା ସହ ପାଇକମାଲ ଅଂଚଳରେ ଚାଷୀ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଇଦେବା ପାଇଁ ବରଗଡ ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ । ହେଲେ ଜିଲ୍ଲାପାଳ କୌଣସି ସନ୍ତୋଷ ଜନକ ଉତର ଦେଇ ନ ଥିବାରୁ ଚାଷୀ ମାନେ ଜିଲ୍ଲାପାଳଙ୍କ ଗାଡି ଅଟକାଇ ସମ୍ମୁଖରେ ଧାରଣାରେ ବସି ପଡିଥିଲେ । ପରେ ଚାଷୀ ସଂଗଠନ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଦିର୍ଘ ସମୟ ଯୁକ୍ତିତର୍କ ହୋଇଥିଲା । ବୁଝାସୁଝା ପରେ ଚାଷୀମାନେ ଜିଲ୍ଲାପାଳଙ୍କୁ ଯିବାକୁ ଦେଇଥିଲେ l ଉପଖଣ୍ଡ ପଦ୍ମପୁରରୁ ଫକୀର ଦୀପଙ୍କ ରିପୋର୍ଟ