“ଭାରତୀୟ ସ୍ଥଳ ବାହିନୀ ତରଫରୁ ବାରିପଦା ବିବାହ ମଣ୍ଡପ ଠାରେ ୩ ଦିନିଆ ଆଦର୍ଶ ସମନ୍ୱିତ ସ୍ୱାସ୍ଥ୍ୟ ଶିବିର ଉଦଘାଟିତ”

ବାରିପଦା(କ:ବ୍ଯୁ) ତା୦୮-୦୯-୨୦୨୫ ରିଖ.

ଭାରତୀୟ ସ୍ଥଳ ବାହିନୀର ଷ୍ଟେସନ ହେଡ଼ କ୍ୱାଟର, ବାଲେଶ୍ୱର (ଚାନ୍ଦିପୁର-ଅନ-ସି) ଓ ଜିଲ୍ଲା ପ୍ରଶାସନ, ମୟୂରଭଞ୍ଜଙ୍କ ମିଳିତ ଆନୁକୂଲ୍ୟରେ ଆଜିଠାରୁ ତା ୧୦-୦୯-୨୦୨୫ରିଖ ପର୍ଯ୍ୟନ୍ତ ୩ ଦିନ ବ୍ୟାପୀ ବାରିପଦାର ଷ୍ଟେସନବଜାର ଆଶୀର୍ବାଦ ଛକ ନିକଟସ୍ଥ ବିବାହ ମଣ୍ଡପ ଠାରେ ଆୟୋଜିତ ଆଦର୍ଶ ସମନ୍ବିତ ସ୍ୱାସ୍ଥ୍ୟ ଶିବିର ଆଜି ଉଦଘାଟିତ ହୋଇଯାଇଛି।

ଉଦଘାଟନୀ ଉତ୍ସବରେ ଆଜି ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ସମ୍ମାନୀୟ ମହାରାଜା ଶ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ, ସମ୍ମାନୀୟା ମହାରାଣୀ ରଶ୍ମି ରାଜ୍ୟଲକ୍ଷ୍ମୀ ଭଞ୍ଜଦେଓ, ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଜି ଓ ସି, ମଧ୍ୟ ପ୍ରଦେଶ ଅଂଚଳର ଲେଫ୍ଟଟାଣ୍ଟ କର୍ଣ୍ଣେଲ ପି ଏସ ଶେଖାୱାତ, ବ୍ରିଗେଡ଼ିଅର ତେଜିନ୍ଦର ସିଂ ବାୱା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନେତ୍ରାନନ୍ଦ ମଲ୍ଲିକ ଓ ପ୍ରତିରକ୍ଷା ବିଭାଗର ଅନ୍ୟାନ୍ୟ ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇଥିଲେ।

ପ୍ରାରମ୍ଭରେ ନିମନ୍ତ୍ରିତ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯିବା ପରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜଳନ କରି ସ୍ୱାସ୍ଥ୍ୟ ଶିବିରର ଶୁଭ ଉଦଘାଟନ କରିଥିଲେ।

ଏହାପରେ ନିମନ୍ତ୍ରିତ ଅତିଥି ବୃନ୍ଦ ଏହି ଶିବିରର ଆଭିମୁଖ୍ୟ ଓ ଉଦେଶ୍ୟ ସମ୍ପର୍କରେ ଉଲ୍ଲେଖ କରିବା ସହ ସମସ୍ତଙ୍କ ସହଯୋଗରେ ଶିବିର ଉଦେଶ୍ୟ ନିଶ୍ଚିତ ଫଳପ୍ରସୂ ହେବ ବୋଲି ଆଶା ପୋଷଣ କରିଥିଲେ

ପ୍ରକାଶ ଥାଉକି ଉକ୍ତ ଶିବିରରେ ପୂର୍ବତନ ସୈନିକ, ବୀରନାରୀ, ବୀରମାତା ଏବଂ ତା’ଙ୍କ ପରିବାରର ପୀଡିତ ବ୍ୟକ୍ତିଙ୍କୁ ବିବିଧ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯିବ। ଉକ୍ତ ସ୍ୱାସ୍ଥ୍ୟ ସେବା ଶିବିରରେ ହାଇ ଟେକ ହସ୍ପିଟାଲ ଏବଂ ଅନ୍ୟାନ୍ୟ ପ୍ରମୁଖ ହସ୍ପିଟାଲର ବିଭିନ୍ନ ବିଭାଗର ଡାକ୍ତର,ବିଶେଷଜ୍ଞ ମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ।

ଉକ୍ତ ଶିବିରରେ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହିତ ଅବସରକାଳୀନ ଭତ୍ତା, ECHS, SPARSH ଇତ୍ୟାଦି ସମ୍ଭନ୍ଧରେ ଆଇନଗତ ପରାମର୍ଶ ଦିଆଯିବା ସହିତ CSD କ୍ୟାଣ୍ଟିନର ବିଶେଷ ସୁବିଧା ମଧ୍ୟ ଉପଲବ୍ଧ ହେବ।

ପ୍ରତିରକ୍ଷା ବିଭାଗର ପୂର୍ବତନ କର୍ମଚାରୀଙ୍କ ବ୍ୟତୀତ ଉକ୍ତ ଶିବିରରେ ସାଧାରଣ ଜନତାଙ୍କ ପାଇଁ ମଧ୍ୟ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ସେବା ଉପଲବ୍ଧ ହେବ।

ପ୍ରତିରକ୍ଷା ବିଭାଗର ଷ୍ଟେସନ ହେଡ଼କ୍ୱାଟର, ବାଲେଶ୍ୱର (ଚାନ୍ଦିପୁର-ଅନ-ସି) ର ପ୍ରଶାସନିକ କମାଣ୍ଡେଣ୍ଟ ସନ୍ତୋଷ କୁମାର ପଣ୍ଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରତିରକ୍ଷା ବିଭାଗର ବିଭିନ୍ନ ପଦାଧିକାରୀ, ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ସ୍ତରୀୟ ଅଧିକାରଙ୍କ ସମେତ ମୟୂରଭଞ୍ଜ ପୂର୍ବତନ ସୈନିକ ସଙ୍ଘର ସଦସ୍ୟ ମାନେ ଯୋଗ ଦେଇଥିଲେ ଏବଂ ବିଭିନ୍ନ ବ୍ଲକରୁ ବୀର ନାରୀ, ବୀର ମାତା, ସେମାନଙ୍କ ପରିବାରର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *