
ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତର ଲଦି ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏମତି ଅବସ୍ଥାରେ ଚାଲିଛି ଶିଶୁଙ୍କ ପଠାପଢ଼ା । ଦୁର୍ଗମ ଅଞ୍ଚଳରେ ପ୍ରାକ ଶିକ୍ଷା ଭଙ୍ଗା ଦଦରା ଘରେ, କେମିତି ପଢିବେ କେମିତି ରହିଛି ଚିନ୍ତା ନାହିଁ କାହାର । କେତେବେଳେ ଭାଙ୍ଗି ଯାଇ ଦୁର୍ଘଟଣା ଘଟିବାର ସମ୍ଭାବନା ଥିବାବେଳେ ପ୍ରଶାସନ କିନ୍ତୁ ନିରବ ଦ୍ରଷ୍ଟା । ସରକାରଙ୍କ ଅନୁଦାନରୁ ଲକ୍ଷାଧିକ ଟଙ୍କା ଅଟକଳରେ କେନ୍ଦ୍ର ନିର୍ମାଣ କରାଯାଉଛି କିନ୍ତୁ ରକ୍ଷଣାବେକ୍ଷଣ ର ଅଭାବ ହେତୁ ଘର ଗୁଡାକ ଭାଙ୍ଗି ଯିବାକୁ ବସିଲାଣି । ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା କହିଛନ୍ତି ଗ୍ରାମବାସୀ । ବହୁ ପୁରାତନ ହେତୁ ଭାଙ୍ଗିବାକୁ ବସିଲାଣି । ବର୍ଷା ଅଧିକ ହେଲେ ଛାତରୁ ପାଣି ଝରୁଛି । ପିଲାଙ୍କୁ ପ୍ରାକ ଶିକ୍ଷା ଦେବାକୁ ଅଭିବାଵକ ଛାଡିବାକୁ ନାରାଜ । କାରଣ କେନ୍ଦ୍ରର ଅବସ୍ଥା ଦେଖି ସମସ୍ତେ ନିଜ ପିଲାଙ୍କୁ ଛାଡିବାକୁ ଭୟ କରୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି । ଏହି କେନ୍ଦ୍ରର ଅବସ୍ଥା ବିଷୟରେ ପ୍ରଶାସନ ଅବଗତ ଅଛନ୍ତି କିନ୍ତୁ ନୂତନ ଗୃହ ନିର୍ମାଣ କରିବାକୁ ଅବହେଳା କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । ଏହି ଗାଁ ବ୍ଲକ ସଦର ଠାରୁ ପ୍ରାୟ ୩୦ କିମି ହେବ । ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଏହି ଗାଁ । ନାମକୁ ମାତ୍ର ରହିଛି ଏହି କେନ୍ଦ୍ର , ନା ଏଠାରେ ଅଛି ନଳକୂପ , ନା ରୋଷେଇ ଗୃହ ନା ସୁରକ୍ଷା ପାଚେରୀ । ବର୍ତ୍ତମାନ ଯେଉଁ ଘରେ ଅଙ୍ଗନବାଡି କେନ୍ଦ୍ର କାନ୍ଥରୁ ମାଟି ଖସୁଥିବା ବେଳେ ଛାତରୁ ପାଣି ଗଳୁଛି । ଭୟଭୀତ ଅବସ୍ଥାରେ ସମସ୍ତେ ରହୁଛନ୍ତି । କେତେବେଳେ କଣ ଘଟିବ କହିବା ଅସମ୍ଭବ । କୌଣସି ଦୁର୍ଘଟଣା ନ ଘଟିବା ଆଗରୁ ପ୍ରଶାସନ ଶୀଘ୍ର ନୂତନ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।