




ରାୟଗଡ-୨୭-୬-୨୬-(ଅଜୟ ରଥ)-ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡାରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି ରଥଯାତ୍ରା । ଜିଲ୍ଲା ପ୍ରଶାସନ ଏବଂ ବ୍ରାହ୍ମଣ ସାହି ସେବାୟତଙ୍କ ଦ୍ୱାରା ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସୁଦର୍ଶନଙ୍କୁ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା । ସକାଳ ୫ଟାରେ ମଙ୍ଗଳ ଆଳତୀ, ଅଡପ ଲାଗି ଓ ଗୋପାଳ ବଲ୍ଲଭ ନୀତି ଶେଷ ହୋଇଥିଲା । ସକାଳ ୭ଟାରେ ଖେଚୁଡି ଭୋଗ ପରେ ଠାକୁରଙ୍କ ବେଶ ନୀତି ଆରମ୍ଭ ହୋଇଥିଲା । ପରେ ଧାଡି ପହଣ୍ଡି ଆରମ୍ଭ ହୋଇଥିଲା । ପ୍ରଥମେ ସୁଦର୍ଶନଙ୍କୁ ରଥାରୂଢ କରାଯିବା ପରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରାଙ୍କୁ ରଥାରୂଢ କରାଯାଇଥିଲା । ଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ରଥାରୂଢ କରାଯାଇଥିଲା
ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ତଥା ଜଗନ୍ନାଥ ପ୍ରେମୀଙ୍କ ଭିଡରେ ରଥାରୁଢ ଚତୁର୍ଦ୍ଧାମୂର୍ତି ପଂହଚିଥିଲେ ଶ୍ରୀ ଗୁଣ୍ଡିଚା ମନ୍ଦିରରେ । କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା,ବିଧାୟକ କାଡ୍ରକା ଆପଲାସ୍ୱାମୀ, ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ଏସ. ସ୍ଵାତି କୁମାର, ଅତିରିକ୍ତ ଜିଲ୍ଲାପାଳ ରବି ନାୟକ,ଉପଜିଲ୍ଲାପାଳ ରମେଶ ଜେନା, ତହସିଲଦାର ପ୍ରିୟଦର୍ଶିନୀ ସ୍ୱାଇଁଙ୍କ ସମେତ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ରଥଟଣାରେ ସାମିଲ ହୋଇଥିଲେ । ଆଜି ପୂର୍ବାହ୍ନରେ ଶ୍ରୀଜୀଉଙ୍କ ପହଣ୍ଡି ବିଜେ କରାଯାଇ ରଥାରୁଢ କରାଯାଇଥିଲା । ପରେ ରଥ ଉପରେ ରାଜପୁରୋହିତଙ୍କ ଦ୍ଵାରା ଛେରା ପଂହରା କରିବା ପରେ ଅପରାହ୍ନ ସାଢେ ୪ଟା ସମୟରେ ରଥଟଣା ଆରମ୍ଭ ହୋଇଥିଲା । ଚଳିତ ବର୍ଷ ମଧ୍ୟ ଗୋଟିଏ ପଟ ରଥ ଦଉଡିକୁ ମହିଳାମାନେ ଟାଣି ଥିବା ବେଳେ ଆଉ ଗୋଟିଏ ପଟ ଦଉଡିକୁ ପୁରୁଷମାନେ ଭାବାବେଗରେ ରଥ ଟାଣି ଥିଲେ । ସଂଧ୍ୟା ୬ଟା ସମୟରେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ରଥ ପଂହଚିଥିଲା । ଆଜି ପାଗ ଅନୁକୂଳ ରହିଥିବାରୁ ହଜାର ହଜାର ସଂଖ୍ୟରେ ଜଗନ୍ନାଥ ପ୍ରେମୀଙ୍କ ପ୍ରବଳ ଭିଡ ହୋଇଥିଲା । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଳା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ରଥଟଣା ବେଳେ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଜିଲ୍ଳା ଆରକ୍ଷୀ ଅଧୀକ୍ଷକ
ସୁଶ୍ରୀ ଏସ. ସ୍ଵାତି କୁମାର ଅଘଟଣକୁ ଏଡ଼ାଇବା ପାଇଁ ନିଜେ ରଙ୍ଗ ଏବଂ ସବୁଜ ପତାକା ଦେଖାଇ ରଥର ଗତିବିଧିକୁ ନିୟନ୍ତ୍ରଣ କରୁଥିବାରୁ ଶ୍ରଦ୍ଧାଳୁ ଖୁସି ପ୍ରକଟ କରିଛନ୍ତି। ବହୁ ସଂଖ୍ୟାରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ସିଆରପିଏଫ ଯବାନମାନେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ଉପରେ ନଜର ରଖିଥିଲେ । ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ପକ୍ଷରୁ ପାନୀୟ ଜଳ,ଅନ୍ନ ପ୍ରସାଦ ଆଦି ବଂଟନ କରାଯାଇଥିବା ବେଳେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ପକ୍ଷରୁ ଧାରା ବିବରଣୀର ପ୍ରସାରଣ କରାଯାଇଥିଲା । ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡାର ଶ୍ରୀ ଜଗନ୍ନାଥ ମନ୍ଦିର ପାରମ୍ପରିକ ସେବାୟତମାନଙ୍କ ଦ୍ୱାରା ସମସ୍ତ ପୂଜାର୍ଚ୍ଚନା ରୀତିନୀତି ଅନୁଯାୟୀ ସଂପନ୍ନ ହୋଇଥିଲା । ଶ୍ରୀ ଗୁଣ୍ଡିଚା ମନ୍ଦିରକୁ ଚତୁର୍ଦ୍ଧାମୂର୍ତି ରାତ୍ର ୧୦ଘଂଟା ସମୟରେ ବିଜେ କରିଥିଲେ ।