
Read more ନୂଆଦିଲ୍ଲୀ: ବିଷ ବଳୟରେ ରାଜଧାନୀ ଦିଲ୍ଲୀ । ବାୟୁ ପ୍ରଦୂଷଣ ଚରମ ରୂପ ଧାରଣ କରିଛନ୍ତି । କୁହୁଡି ଏବଂ ବିଷାକ୍ତ ବାୟୁରେ ଧୂଆଁ ଧୂଆଁ ହୋଇଛି । ନିଶ୍ବାସ ନେବା ଦିଲ୍ଲୀବାସୀଙ୍କ ପକ୍ଷେ ମୁସ୍କିଲ ହୋଇଛି । ଦିଲ୍ଲୀ, ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ବାୟୁ ଗୁଣବତା ଚରମସ୍ତରରେ ପହଞ୍ଚିଛି । ନଭେମ୍ବର ୧୯ ତାରିଖ ଅର୍ଥାତ୍ ମଙ୍ଗଳବାର ସକାଳୁ ଏୟାର କ୍ବାଲିଟି ଇଣ୍ଡେକ୍ସ ୫୦୦ ଅଙ୍କ ପାର୍ କରିଛି । ଫଳରେ ଏନସିଆରରେ ଲଗାତାର ସମସ୍ତ ଦିନରେ ବିଷାକ୍ତ ବାୟୁ ପ୍ରଦୂଷଣ ସହିତ ଘନ କୁହୁଡି ଦେଖିବାକୁ ମିଳିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁଯାୟୀ, ଦିଲ୍ଲୀର ଆନନ୍ଦ ବିହାର, ଅଶୋକ ବିହାର, ବଓ୍ବାନ, ଜାହାଙ୍ଗୀରପୁରୀ, ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ, ଏବଂ ଅନେକ ସ୍ଥାନରେ ବାୟୁ ଗୁଣବତା ସୂଚକାଙ୍କ ୫୦୦ ଅଙ୍କ ଛୁଇଁଛି । ଯାହାଫଳରେ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଚିନ୍ତା ବଢ଼ିଯାଇଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ମଧ୍ୟ ନିଜ ହାତ ଟେକି ଦେଇଛନ୍ତି। ଏବେ କେବଳ କୃତ୍ରିମ ବର୍ଷା ଭରସା। ପ୍ରଦୂଷଣରୁ ମୁକ୍ତି ପାଇଁ କୃତ୍ରିମ ବର୍ଷା କରାଇବାକୁ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ରାୟ କହିଛନ୍ତି ଯେ ବର୍ତ୍ତମାନ କେବଳ କୃତ୍ରିମ ବର୍ଷା ଦ୍ୱାରା ରାଜଧାନୀରେ ପ୍ରଦୂଷଣ ସ୍ତର ଏବଂ ବାୟୁର ଗୁଣବତ୍ତାରେ ଉନ୍ନତ ଆସିପାରିବ। ଏନେଇ ମଙ୍ଗଳବାର କେନ୍ଦ୍ର ସରକାରଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ମନ୍ତ୍ରୀ ଗୋପାଳ ରାୟ। “ଶୀତ ଅଧିବେଶନର ପୂର୍ବରୁ ୨୪ ରେ ସର୍ବଦଳୀୟ ବୈଠକ ଡାକିଲେ କେନ୍ଦ୍ର ସରକାର” ସମଗ୍ର ଉତ୍ତର ଭାରତ ଧୂଆଁର ଚାଦର ତଳେ ଢ଼ାଙ୍କି ହୋଇ ରହିଛି। ଏହି ଧୂଳି ଆଉ ଧୂଆଁରୁ ମୁକ୍ତି ପାଇବା ପାଇଁ ଏବେ ମାତ୍ର ଗୋଟିଏ ବିକଳ୍ପ ହେଉଛି କୃତ୍ରିମ ବର୍ଷା। ଏହା ଏକ ମେଡିକାଲ ଏମରଜେନ୍ସି ପରିସ୍ଥିତି। ପ୍ରଦୂଷଣ ସ୍ତରକୁ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ହସ୍ତକ୍ଷେପ କରିବା ଉଚିତ। ଏହା ସେମାନଙ୍କର ନୈତିକ ଦାୟିତ୍ୱ ଅଟେ। ପ୍ରଦୂଷଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ କେନ୍ଦ୍ର ପଦକ୍ଷେପ ନେବା ଉଚିତ୍ ବୋଲି ଗୋପାଳ ରାୟ କହିଛନ୍ତି।